ଥମୁନି ହାତୀପଲଙ୍କ ଉପଦ୍ରବ : ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଏକର ଏକର ଫସଲ, ଚିନ୍ତାରେ ଚାଷୀ
4/01/2021 at 2:23 PM

ତେଲକୋଇ ୦୪।୦୧ : ଥମୁନି ହାତୀ ଉପଦ୍ରବ । ତେଲକୋଇ ରେଞ ଅଧିନସ୍ଥ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ହାତୀ ଗାଁରେ ପଶି ବ୍ୟାପକ କ୍ଷତିକ୍ଷତି କରିଛନ୍ତି । ଏପିରିକି କେତେକ ଘର ମଧ୍ୟ ଭାଙ୍ଗିଛନ୍ତି । ଭୟରେ ରହିଛନ୍ତି ସ୍ଥାନୀୟ ଲୋକ ।
ଖବର ଅନୁଯାୟୀ, ଶନିବାର ବିଳମ୍ବିତରେ ରାଣିବେଡା ଗାଁରେ ହାତୀ ପଶି ଗୋର୍ବଦ୍ଧନ ନାୟକଙ୍କ ଘର ଭାଙ୍ଗି ୧୧ ବସ୍ତା ଧାନ ଖାଇବା ସହ ୫ ବସ୍ତା ଚାଉଳ ଖାଇଯାଇଛନ୍ତି । ତେବେ ଘର ଭାଙ୍ଗିବା ଦେଖି ଲୋକେ ଜୀବନ ବିକଳରେ ଦୌଡ଼ି ପଳାଇ ଯାଇଥିଲେ । ସେହିପରି ଖୁଣ୍ଟାପଡା ଗାଁରେ ମଧ୍ୟ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଏକର ଏକର ଆଳୁ ଫସଲ ଓ କୋବି ଫସଲ ନଷ୍ଟ ହୋଇଛି । ଖଳାରେ ଥିବା ବସ୍ତା ବସ୍ତା ଧାନକୁ ଖାଇଯାଇଛନ୍ତି ହାତୀପଲ । ଗାଁର ପ୍ରଦୀପ ପ୍ରଧାନ, ସୁଶାନ୍ତ ପ୍ରଧାନ, କାଳିଆ ପ୍ରଧାନ ଓ ରମେଶ ସାହୁ ଙ୍କର ପରିବା ଫସଲ ନଷ୍ଟ କରିବା ସହ ଖଳାରୁ ଧାନ ଖାଇ ନଷ୍ଟ କରିଛନ୍ତି ।
ବାରମ୍ବାର ଘର ଭାଙ୍ଗିବା ସହ ଫସଲ ନଷ୍ଟ ହେଉଥିବାରୁ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସରକାରୀ ସହାୟତା ମିଳୁଥିବା ବେଳେ ଏହା ସମୁଦ୍ରକୁ ଶଙ୍ଖେ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଯଦି ଦାବି ପୂରଣ ନହେଲେ , ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ।