ଟ୍ରେନ୍ ଧକ୍କାରେ ଛୁଆ ହାତୀର ମୃତ୍ୟୁ, ମୃତଦେହ ଉଦ୍ଧାର କରି ଛାନ୍‌ଭିନ୍ କରୁଛି ବନବିଭାଗ

Published By : Prameya-News7 Bureau | February 06, 2020 IST

ଢେଙ୍କାନାଳ ୬।୨: ଢେଙ୍କାନାଳ ପୋଡପଡାଠାରେ ପୁଣି ହାତୀ ମୃତ । ଟ୍ରେନ୍ ଲାଇନ୍ ନିକଟରୁ ହାତୀ ଛୁଆର ମୃତଦେହ ଠାବ ହୋଇଛି । ଟ୍ରେନ୍ ଧକ୍କାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ସଦର ବନାଞ୍ଚଳର ପୋଡପଡା ଗ୍ରାମ ନିକଟରେ ଟ୍ରକ୍ ଧକ୍କାରେ ଗୋଟିଏ ହାତୀ ମରିଥିବାବେଳେ ଅନ୍ୟ ଏକ ଗୁରୁତର ଦନ୍ତା ହାତୀକୁ ଏଯାଏଁ ଠାବ କରିପାରିନି ବନ ବିଭାଗ । ଏମିତିରେ ଆଜି ପୋଡପଡା ଗ୍ରାମ ନିକଟସ୍ଥ ଟ୍ରେନ୍ ଲାଇନ୍ ନିକଟରୁ ପୁଣି ଏକ ହାତୀ ଛୁଆର ମୃତଦେହ ଠାବ କରାଯାଇଛି । ମୃତ୍ୟୁର ସଠିକ୍ କାରଣ ଜଣାପଡିନଥିବା ବେଳେ ଟ୍ରେନ୍ ଧକ୍କାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ପୋଡପଡା ଗ୍ରାମ ନିକଟରେ ଯାଇଥିବା ପୂର୍ବତଟ ରେଳ ଲାଇନ୍ ଠାରୁ ପ୍ରାୟ ଶହେ ମିଟର ଦୂରରେ ପଡିଛି ଏହି ହାତୀଛୁଆର ମୃତଦେହ । ସ୍ଥାନୀୟ ଲୋକେ ଦେଖି ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ । ମୃତ ହାତୀ ଛୁଆର ପାଟି ଓ ଶୁଣ୍ଢରେ ଗଭୀର କ୍ଷତ ହୋଇଥିବାରୁ ଟ୍ରେନ୍ ଧକ୍କାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି । ହାତୀ ଛୁଆର ବୟସ ୨ରୁ ୩ମାସ ହେବ ବୋଲି ଜଣାପଡିଛି ।

ଖବର ପାଇ ଘଟଣାସ୍ଥଳକୁ ସଦର ବନକର୍ମଚାରୀମାନେ ପହଞ୍ଚି ହାତୀ ଛୁଆର ମୃତଦେହ ଉଦ୍ଧାର କରିଛନ୍ତି । ଡାକ୍ତରୀ ଦଳ ମାଧ୍ୟମରେ ବ୍ୟବଚ୍ଛେଦ କରାଯାଉଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.