ଜମିରେ ଧାନ କାଟୁଥିବା ବେଳେ ପଛରୁ ଆସି କଚାଡିମାରିଲା ଦନ୍ତା

Published By : Prameya-News7 Bureau | November 28, 2021 IST

ଦେବଗଡ ୨୮/୧୧ : ଦେବଗଡ ରେଞ୍ଜ ସୁଗୁଡା ବିଟ ଅନ୍ତର୍ଗତ ବୁଢୀବିଲ ଗ୍ରାମରେ ରବିବାର ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଜଣଙ୍କ ହେଲେ ସେହି ବୁଢୀବିଲ ଗ୍ରାମର ଚେମରୁ ନାଏକଙ୍କ ପୁଅ ୨୮ବର୍ଷ ବୟସ୍କ ଲମ୍ବୋଦର ନାଏକ । ମୃତ ଲମ୍ବୋଦର ଗ୍ରାମର ଅନ୍ୟକିଛି ବ୍ୟକ୍ତିଙ୍କ ସହ ମିଶି ଜମିରେ ଧାନ କାଟୁଥିବା ବେଳେ ହଠାତ୍ ଏକ ଦନ୍ତା ହାତୀ ଜଙ୍ଗଲ ମଧ୍ୟରୁ ବାହାରି ଆସି ତାଙ୍କୁ ପଛ ପଟରୁ ଆକ୍ରମଣ କରିଥିଲା । ଲମ୍ବୋଦରଙ୍କୁ ଦନ୍ତା ହାତୀଟି ଟେକି କଚାଡିଦେବା ସହ ପାଦରେ ଦଳିଦେଇଥିଲା । ସେଠାରେ ଉପସ୍ଥିତ ଅନ୍ୟମାନେ ତାଙ୍କୁ ସଙ୍ଗେ ସଙ୍ଗେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣାସ୍ଥଳରେ ଦେବଗଡ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେହିଭଳି ଦେବଗଡ ରେଞ୍ଜର ଦେବଦତ୍ତ ନନ୍ଦ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିଛନ୍ତି । ଗତ ପାଞ୍ଚ ଦିନ ମଧ୍ୟରେ ଦେବଗଡ ଜିଲ୍ଲାରେ ହାତୀ ଆକ୍ରମଣରେ ଏହା ଦ୍ବିତୀୟ ମୃତ୍ୟୁ  ଘଟଣା। ଏହା ପୂର୍ବରୁ ଗତ ୨୪ତାରିଖ ଦିନ ବାରକୋଟ ବ୍ଲକ ଅନ୍ତର୍ଗତ କାଲକାଠ ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଷାଠିଏ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ୨୪ ତାରିଖର ହାତୀ ଆକ୍ରମଣ ସ୍ଥାନ ଓ ଆଜିର ଆକ୍ରମଣ ସ୍ଥାନ ପାଖାପାଖି ରହିଥିବାରୁ ଗୋଟିଏ ଦନ୍ତା ହାତୀ ଉଭୟ ସ୍ଥାନରେ ଆକ୍ରମଣ କରିଥିବା ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.