କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିଲେ ବୃଦ୍ଧ : ଆଉ ଫେରିଲେନି, ଦଳି ଦେଲା ହାତୀ

Published By : Prameya-News7 Bureau | June 18, 2020 IST

ବନ୍ତଳା ୧୮।୦୬ : ହାତୀ ନେଲା ଜୀବନ । ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ଆଜି ସକାଳ ସମୟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । ବନ ବିଭାଗ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ବନ୍ତଳା ବନାଞ୍ଚଳରେ ଥିବା ନନ୍ଧପୁର ପଂଚାୟତର ମଧୁପୁର ବାଘୁଆ ପାଟ ସାହିର କେତେକ ଗ୍ରାମବାସୀ ସକାଳ ସମୟରେ ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ତେବେ ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କୁ ହାତୀ ଦଳି ଦେଇ ଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ଖବର ପାଇ ବନ୍ତଳା ବନଆଞ୍ଚଳ ଅଧିକାରୀ ବିନ୍ଦୁ ପ୍ରସାଦ ପ୍ରଧାନ ସଦଳ ବଳେ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ ପଠାଇ ଥିବା ଜଣା ପଡ଼ିଛି । ଏ ସମ୍ପର୍କରେ ବନ୍ତଳା ରେଞ୍ଜ ଅଧିକାରୀ କହିଛନ୍ତି ଯେ, ମୃତ ବ୍ୟକ୍ତି ଜଣକ ସ୍ଥାନୀୟ ଅଞ୍ଚଳରୁ ହୋଇ ନଥିବା ହେତୁ ତାଙ୍କର ପରିଚୟ ମିଳି ପାରିନାହିଁ । ବୟସ ୫୦ ବର୍ଷ ହେବ । ମୃତ ଦେହ ନିକଟରୁ ଗୋଟିଏ ସାଇକେଲ , ରୋଷେଇ ସାମଗ୍ରୀ ଜବତ କରିଛି ବନ ବିଭାଗ । ବନ କର୍ମଚାରୀମାନେ ହାତୀକୁ ଜଙ୍ଗଲ ଭିତରକୁ ଘଉଡାଇବା ସହିତ ସ୍ଥାନୀୟ ଗ୍ରାମବାସୀଙ୍କୁ ଜଙ୍ଗଲକୁ ଯିବା ପାଇଁ ବାରଣ କରିଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.