Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଦ୍ୟୁତ ଅଧିନିୟମ ଧାରା ୨୦୦୩ର ସଂଶୋଧନ: ସଂସ୍କାର କମ୍ ପ୍ରସ୍ତାବ ବେଶି

7/05/2020 at 3:41 PM

ବିଦ୍ୟୁତ ଅଧିନିୟମ ଧାରା ୨୦୦୩ର ସଂଶୋଧିତ ଚିଠାପ୍ରସ୍ତାବ ପ୍ରକାଶ ପାଇଛି। କେନ୍ଦ୍ର ଶକ୍ତି ମନ୍ତ୍ରାଳୟ (ଏମଓପି)ଙ୍କ ଦ୍ୱାରା ପ୍ରକାଶିତ ଚିଠା ପ୍ରସ୍ତାବରେ ବିଦ୍ୟୁତକୁ ସମବାୟ ତାଲିକାଭୁକ୍ତ କରାଯାଇଥିବା ବେଳେ ଏବେ କ୍ଷମତା  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପଭୋଗ କରିପାରିବେ।

ସଂଶୋଧିତ ବିଧେୟକ ଚିଠାପ୍ରସ୍ତାବ ୨୦୨୦ରେ ମନ୍ତ୍ରାଳୟ ଇଲେକ୍ଟ୍ରିସିଟି ଆକ୍ଚ ୨୦୦୩ରେ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ (ଏସଇଆରସିଏସ୍) ମାନଙ୍କ ଅଧିନରେ ବିଦ୍ୟୁତ କଣ୍ଟ୍ରାକ୍ଟ ଏନଫୋର୍ସମେଣ୍ଟ ଅଥରିଟି (ଇସିଇଏ) ସ୍ଥାପନା ଲାଗି ପ୍ରସ୍ତାବ ରଖିଛନ୍ତି, ଯାହାଙ୍କର ରାଜିନାମା  କାର୍ଯ୍ୟଦକ୍ଷତା ସମୀକ୍ଷା ଅଧିକାର ରହିବ। ଏହା ବ୍ୟତୀତ ଚିଠା ପ୍ରସ୍ତାବରେ ମନ୍ତ୍ରାଳୟ ଆହୁରି ଅନେକ ପରିବର୍ତ୍ତନର ସୁପାରିଶ କରିଥିବା ବେଳେ ବିଦ୍ୟୁତ ଆଇନ ସଂଶୋଧନ ନେଇ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। 

ସଂଶୋଧନରେ ପ୍ରଥମତଃ ଏମଓପି ୨୦୦୩ ଅଧିନିୟମର ଧାରା ୮୬(୧)(ଏଫ୍) କିଛି ସଂଶୋଧନ ସାମିଲ କରିଛନ୍ତି। ଯେଉଁଥିରେ ନୂଆ କରି ସାମିଲ ଧାରା ୧୦୯(ଏ) କୌଣସି ପ୍ରକାର ବିବାଦୀୟ ପରିସ୍ଥିତିରେ ଇସିଇଏଙ୍କୁ ସୁରକ୍ଷିତ ରଖିବ। ୨୦୦୩ ଅଧିନିୟମର ମୂଳ ଧାରା   ୮୬(୧) (ଏଫ୍) ଲାଇସେନ୍ସଧାରୀ ଓ ଉତ୍ପାଦନକାରୀଙ୍କ ମଧ୍ୟରେ କୌଣସି ବିବାଦ ଉପୁଜିବା ସ୍ଥଳେ ସମାଧାନ କ୍ଷମତା ରାଜ୍ୟ ଆୟୋଗଙ୍କୁ ପ୍ରଦାନ କରୁଥିଲା। ଯିଏ ଆବଶ୍ୟକତା ସ୍ଥଳେ ବିବାଦକୁ ଆର୍ବିଟରଙ୍କ ନିକଟକୁ ପଠାଇ ପାରୁଥିଲେ। ଜିୟୁଭିଏନଏଲ ବନାମ ଏସାର ମାମଲାରେ ସୁପ୍ରିମକୋର୍ଟ ଧାରା ୮୬(୧)ରେ ସମସ୍ତ ବିବାଦ (ଏ)ରୁ (ଇ) ଓ (ଜି)ରୁ (କେ) ପର୍ଯ୍ୟନ୍ତ ଦର୍ଶାଯାଇଥିବା ଧାରା ଅନ୍ତର୍ଗତ ନୁହେଁ ବୋଲି କହିଥିଲେ। ଏଣୁ ଲାଇସେନ୍ସଧାରୀ ଓ ଉତ୍ପାଦନକାରୀଙ୍କ ବିବାଦ ରାଜ୍ୟ ଆୟୋଗ ଅଥବା ତାଙ୍କ ଦ୍ୱାରା ନିଯୁକ୍ତ ଆର୍ବିଟରଙ୍କ ଦ୍ୱାରା ସମାଧାନ ହୋଇପାରିବ ବୋଲି କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ହେଲେ ସଂଶୋଧନ ପ୍ରକାରେ ଏବେ ରାଜ୍ୟ ଆୟୋଗଙ୍କ ବିବାଦ ସମାଧାନ କ୍ଷମତା ଇସିଇଏଙ୍କୁ ପ୍ରଦାନ କରାଯିବ। 

ସେହିପରି ନୂତନ ସଂଶୋଧନରେ କ୍ରସ ସବସିଡି ସମ୍ପର୍କିତ ନିଷ୍ପତ୍ତି ଏବେ ପୂର୍ବ ଭଳି ଆଉ ଏସଇଆରସିଙ୍କ ଉପରେ ନ୍ୟସ୍ତ ରହିବ ନାହିଁ। କ୍ରସ ସବସିଡି ପ୍ରଦାନ କରାଯିବ କି ନା ତାହା ଏପର୍ଯ୍ୟନ୍ତ ଏସଇଆରସିଙ୍କ ବିବେକାଧିନ ବିଷୟ ଥିଲା। ଏଣୁ ଏଥି ଯୋଗୁ ଉପୁଜିବାକୁ ଥିବା ସମସ୍ୟ ଅଧିକ ବିବାଦୀୟ ହେବ ବୋଲି ଆଶଙ୍କା କରାଯାଉଛି। କାରଣ କେନ୍ଦ୍ର ଦ୍ୱାରା ପ୍ରସ୍ତାବିତ ଟାରିଫ ହୁଏତ ରାଜ୍ୟଙ୍କ ଲାଗି ଗ୍ରହଣୀୟ ହୋଇ ନପାରେ। ଏଣୁ ଏଭଳି ବିବାଦ ଉପୁଜିବା ସ୍ଥଳେ ସମାଧାନର ବିକଳ୍ପ ନାହିଁ। ଏଣୁ ଏଥିରୁ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଲାଗି ସଂଶୋଧନ ସଫଳ ହେବ କି ନା ଏବେ ସଂଶୟ ସୃଷ୍ଟି  କରିଛି।

ଦ୍ୱିତୀୟତଃ ରାଜ୍ୟମାନଙ୍କର ବିଦ୍ୟୁତ ନିୟାମକ ଆୟୋଗ (ଇଆରସି) ଥିବା ବେଳେ ସଂଶୋଧନରେ ଦୋହରା ପ୍ରାଧିକରଣ ସୃଷ୍ଟିର ଆବଶ୍ୟକତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟେଲିକମ୍, ବିମାନ ଆଦିଙ୍କ ନିଜସ୍ୱ ପ୍ରାଧିକରଣ ଅଛନ୍ତି। ସେମାନଙ୍କ ଲାଗି ଦୋହରା ପ୍ରାଧିକରଣର ଢାଞ୍ଚା ନଥିବା ଇଆରସିଙ୍କ ଅଧିନରେ ଇସିଏ ଗଠନ ହେବାଯୋଗୁ ବିବାଦ ଉପୁଜିବା ସ୍ଥଳେ ସମସ୍ୟା ସମାଧାନ ଲାଗି ଅଧିକ ସମୟ ଓ ଅର୍ଥ ନଷ୍ଚ ହେବ ବୋଲି ଶକ୍ତି ଉତ୍ପାଦକ ସଂଘ ଆଶଙ୍କା ପ୍ରକାଶ କରିଛନ୍ତି। ସେମାନେ ପିପିଏକୁ ଏହାର ଉଦାହରଣ ବୋଲି କହିଛନ୍ତି।

ଶକ୍ତି ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟିଙ୍କ ୩୭ତମ ରିପୋର୍ଟରେ ଗତ ଜୁନ ୨୦୧୭ ମସିହା ସୁଦ୍ଧା ବିଦ୍ୟୁତ କ୍ଷେତ୍ର ଉପରେ ୬ଲକ୍ଷ କୋଟି ଟଙ୍କା ବାକି ପଡିଥିବା ଜଣାପଡିଛି। ଏଥିରୁ ୩୪ ହଜାର ୯୪୧କୋଟି ଟଙ୍କା ଏନପିଏ ଥିବା ବେଳେ ପୁନନିର୍ମାଣ ଅଗ୍ରୀମ ରାଶି ୬୦ ହଜାର ୮୫୮ କୋଟି ଟଙ୍କାକୁ ଛୁଇଁଛି। ଏଥିରେ ଉପଭୋକ୍ତାଙ୍କୁ ଭ୍ରମିତ କରିବାଲାଗି ଜଟିଳ କାର୍ଯ୍ୟକାରୀ ପ୍ରଣାଳୀ ଆଣିବା ଅପେକ୍ଷା ପ୍ରଚଳିତ କ୍ଷତିର ମୁକାବିଲା ଲାଗି ପ୍ରସ୍ତାବରେ ସଂଶୋଧନକୁ ଗୁରୁତ୍ୱ ଦିଆଯାଇଥିଲେ ଅଧିକ ଲାଭ ହୋଇଥାନ୍ତା ବୋଲି ଏବେ କୁହାଯାଉଛି।

   Related Posts