Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ସ୍ବାଭାବିକ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟରେ ଲାଗିଛନ୍ତି ବିଦ୍ୟୁତ୍ କର୍ମଚାରୀ ; ଆନ୍ଧ୍ର, ତେଲେଙ୍ଗାନା ଓ ପଶ୍ଚିମବଙ୍ଗର ୩ ହଜାରରୁ ଅଧିକ କର୍ମଚାରୀ ସାମିଲ

9/05/2019 at 11:20 AM

ଭୁବନେଶ୍ବର ୯|୫: ପ୍ରଳୟଙ୍କରୀ ବାତ୍ୟା ହଜାଇ ଦେଇଛି ଓଡିଶାର ଚିହ୍ନ । ଗୋଟିଏ ପଟେ ହଜାର ହଜାର ଲୋକ ଧର୍ଯ୍ୟହରା ହୋଇ ଚିତ୍କାର କରୁଛନ୍ତି । ଅନ୍ୟପଟେ ଯେମିତି ଦେବଦୂତ ହୋଇ ଝାଳ ବୁହାଇ ଚାଲିଛନ୍ତି ବିଦ୍ୟୁତ୍ କର୍ମଚାରୀ । ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ସ୍ବାଭାବିକ କରିବା ପାଇଁ ନିଜ ଘର ଦ୍ବାର ଛାଡି ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏହି କର୍ମଚାରୀମାନେ।

ଏମାନଙ୍କର ଯେତେ ପ୍ରଶଂସା କଲେ କମ ହେବ । ନିରବଚ୍ଛିନ୍ନ ଭାବେ କି ଦିନ କି ରାତି ୪୦ ଡିଗ୍ରୀ ତାପମାତ୍ରାରେ ଏମାନେ ଲାଗି ରହିଛନ୍ତି ନିଜ କାମରେ । ଗୋଟିଏ ପଟେ ହଜାର ହଜାର ଲୋକ ଧର୍ଯ୍ୟହରା ହୋଇ ଚିତ୍କାର କରୁଛନ୍ତି । ଏପଟେ ଯେମିତି ଦେବଦୂତ ହୋଇ ଝାଳ ବୁହାଇ ଚାଲିଛନ୍ତି ଏହି ବିଦ୍ୟୁତ କର୍ମଚାରୀମାନେ । ଏମାନେ ରାତିଦିନ ଏକ କରିଦେଇଛନ୍ତି ଏଥିପାଇଁ ନୁହେଁ ଯେ ଏମାନେ ଦରମା ପାଉଛନ୍ତି ବରଂ ଏଥିପାଇଁ ଏମାନଙ୍କ କାର୍ଯ୍ୟ ଉପରେ ଡହଳ ବିକଳ ହୋଇ ଅନେଇ ରହିଛନ୍ତି ଲକ୍ଷ ଲକ୍ଷ ଲୋକ।

ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ସ୍ବାଭାବିକ କରିବା ପାଇଁ ନିଜ ଘର ଦ୍ବାର ଛାଡି ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏହି କର୍ମଚାରୀମାନେ। ଟାଇଁ ଟାଇଁ ଖରା, ଅନ୍ଧକାର ରାତି, ସବୁକୁ ଖାତିର ନକରି ଅକ୍ଲାନ୍ତ ପରିଶ୍ରମ କରିଚାଲିଛନ୍ତି । ଚନ୍ଦକା ଜଙ୍ଗଲରେ ଯାଇଥିବା ୧୩୨ କେଭି ବିଦ୍ୟୁତ୍ ଟାୱାର ଉପୁଡି ପଡିଥିବା ବେଳେ ପାଓ୍ବାର ଗ୍ରୀଡ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମରାମତିରେ ଲାଗିଛନ୍ତି । ଏହାଛଡା ସବ୍ ଷ୍ଟେସନଠାରୁ ଟ୍ରାନ୍ସଫର୍ମର ପର୍ଯ୍ୟନ୍ତ କେମିତି ଯଥାଶୀଘ୍ର ବିଜୁଳି ସଂଯୋଗ କରାଯାଇପାରିବ ଏକ ମୁହାଁ ହୋଇ କାମ କରିଚାଲିଛନ୍ତି ।

ରାଜ୍ୟ ସରକାରଙ୍କ ପାଖାପାଖି ୨ ହଜାର କର୍ମଚାରୀ କାମରେ ଲାଗିଥିବା ବେଳେ ପଡୋଶୀ ଆନ୍ଧ୍ର ଓ ତେଲେଙ୍ଗାନା ଓ ପଶ୍ଚିମବଙ୍ଗରୁ ୩ ହଜାରରୁ ଅଧିକ ବିଦ୍ୟୁତ୍ କର୍ମଚାରୀ କାମରେ ଲାଗିଛନ୍ତି  । କେବଳ ବିଜୁଳି ନୁହେଁ ବିଭିନ୍ନ ସ୍ଥାନରେ ପାଣି  ଓ ଗମନାଗମନ ସମସ୍ୟାକୁ ଦ୍ବିଗୁଣିତ କରିଛି । ରାସ୍ତାରୁ ଗଛ କାଟି ସଫା କରିବା ସହ ସ୍ଥିତି ସ୍ବାଭାବିକ୍ କରାଇବାକୁ ଦିନ ରାତି ଲାଗିଛନ୍ତି ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ । ଶହ ଶହ କର୍ମଚାରୀ କଟର ମେସିନ ସାହାଯ୍ୟରେ ରାସ୍ତା ଘାଟ ସଫା କରିବାରେ ଲାଗିପଡିଛନ୍ତି । ଏମାନେ ସରକାରୀ କର୍ମଚାରୀ ସତ । କିନ୍ତୁ ଏଭଳି ଦୁର୍ଦ୍ଦଶା ସମୟରେ  ନିଜ ପରିବାରକୁ ଛାଡି ଲୋକଙ୍କୁ ଯନ୍ତ୍ରଣାରୁ ମୁକ୍ତ କରିବା ଲକ୍ଷ୍ୟରେ କାମରେ ଲାଗିଛନ୍ତି ।

ଦଇବ ସିନା ଦାଉ ସାଧିଲା । ଫୋନି ପ୍ରକୋପରେ ସବୁ ଛାରଖାର ହୋଇଗଲା । ଏହାପରେ ପ୍ରଭାବିତ ଅଞ୍ଚଳରେ ପରିସ୍ଥିତି ସ୍ବାଭାବିକ ପାଇଁ ଏମାନଙ୍କ ପରିଶ୍ରମକୁ ଯେତେ ପ୍ରଶଂସା କଲେ ବି କମ୍ ।

   Related Posts