ଦେଶର ୪ଟି ରାଜ୍ୟରୁ ନିର୍ବାଚିତ ହୋଇ ସଂସଦକୁ ଯାଇଥିଲେ ବାଜପେୟୀ

Published By : Prameya-News7 Bureau | August 16, 2018 IST

ସେ ଥିଲେ ଝଡ଼ରେ ବେଫିକର ଉଡ଼ୁଥିବା ବାଜପକ୍ଷୀ। ସେ ଥିଲେ ସବୁ ଝଡ଼ଝଞ୍ଜାରେ ଅଟଳ ରହୁଥିବା ହିମାଳୟ। ସ୍ବଭାବରେ ଖୁବ ନରମ, କିନ୍ତୁ ଚଟ୍ଟାଣ ଭଳି ସ୍ଥିର ଚିତ୍ତ। ଚିର ଅବିବାହିତ କିନ୍ତୁ ସମସ୍ତଙ୍କୁ ସାଙ୍ଗରେ ନେଇ ଗୋଟିଏ ପରିବାରରେ କେମିତି ଚାଲିବାକୁ ହୁଏ ସେମିତି ଜଣେ ଗୃହକର୍ତ୍ତା । ଏମିତି ଜଣେ ପୁରୁଷ ଇତିହାସ ପୃଷ୍ଠାରେ ଥରେ ଅଧେ ସ୍ଥାନ ପାଆନ୍ତି ଆଉ ଏମିତି ଜଣେ ବିରଳ ପୁରୁଷ ଥିଲେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ। ଯିଏ କଥା କହିଲେ ଓଠରୁ ଝରିଥାଏ କବିତା। ଯିଏ ସମ୍ବୋଧନ କଲେ କରିଦେଉଥିଲେ ସମ୍ମୋହନ। ଯାହାଙ୍କ ଧିର ଚାଲିରେ ଥିଲା ଅଟଳ ଆଭିମୁଖ୍ୟ, ଯାହାକି ବିରୋଧୀଙ୍କୁ ନତମସ୍ତକ କରିଦେଉଥିଲା ଏମିତି ଜଣେ ବ୍ୟକ୍ତିତ୍ବ ଥିଲେ ଅଟଳ ବିହାରୀ ବାଜପେୟୀ। କେବେବି ପରିସ୍ଥିତି ସହିତ ସାଲିସ୍ କରିନାହାନ୍ତି, କେବେବି ଅନୀତିକୁ ନୀତି କହିନାହାନ୍ତି, କେବେବି ସମୂହଠାରୁ ନିଜକୁ ଉର୍ଦ୍ଧ୍ବର ବୋଲି ଭାବିନାହାନ୍ତି ଏମିତି ଜଣେ ଯୁଗ ପୁରୁଷ ଥିଲେ ଅଟଳ ବିହାରୀ ବାଜପେୟୀ। ଦେଶର ରାଜନୀତିରେ ଅନେକ ଆସିଛନ୍ତି ଯାଇଛନ୍ତି କିନ୍ତୁ ଜଣେ ବ୍ୟକ୍ତିତ୍ବ ପାଖରେ ସମସ୍ତେ ଫିକା ପଡ଼ିଯାଆନ୍ତି ଏମିତି ଜଣେ ଇତିହାସପୁରୁଷ ଥିଲେ ବାଜପେୟୀ। ସେ ଥିଲେ ଏମିତି ଜଣେ ରାଷ୍ଟ୍ର ନେତା ଯେ କି ଦେଶର ୪ଟି ରାଜ୍ୟରୁ ନିର୍ବାଚିତ ହୋଇ ସଂସଦକୁ ଯାଇଥିଲେ। ଉତ୍ତରପ୍ରଦେଶ, ଦିଲ୍ଲୀ, ମଧ୍ୟପ୍ରଦେଶ ଏବଂ ଗୁଜରାଟରୁ ସେ ଜନଗଣଙ୍କ ମନ ଜିତି ନିର୍ବାଚିତ ହୋଇଥିଲେ। ୧୯୭୭ରେ ସେ ହୋଇଥିଲେ ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀ । ଜାତିସଂଘରେ ହିନ୍ଦିରେ ପ୍ରଥମଥର ସମ୍ବୋଧନ କରି ଏକ ନୂଆ ଅଧ୍ୟାୟ ଆରମ୍ଭ କରିଥିବା ବାଜପେୟୀ ଦେଶର ତିନି ଥର ପ୍ରଧାନମନ୍ତ୍ରୀ। ୧୯୯୬ମସିହାରେ ୧୩ ଦିନ ପାଇଁ । ୧୯୯୮ମସିହାରେ ୧୩ ମାସ ପାଇଁ ଏବଂ ୧୯୯୯ ମସିହାରେ ୫ ବର୍ଷ ପାଇଁ। ଆଉ ଏହି ସମୟରେ ମଧ୍ୟରେ ଦେଶ ଦେଖିଥିଲା ଏକ ସ୍ବର୍ଣ୍ଣିମ ଯୁଗ। ଦେଶର ସଡ଼କ ପଥର ବିକାଶ ହେଉ କି ଦେଶର ସୂଚନା ପ୍ରଯୁକ୍ତି ଏବଂ ଟେଲିକମ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ। ଏସବୁ କିଛି କହିବା ବାହୁଲ୍ୟ। ୧୯୯୮ମସିହାରେ ପୋଖରାନରେ ଭାରତର ଆଣବିକ ପରାକ୍ରମ ଦେଖାଇଥିଲେ, ଲାହୋର ପର୍ଯ୍ୟନ୍ତ ବସରେ ଯାଇ ପାକିସ୍ତାନକୁ ବନ୍ଧୁତ୍ବ ହାତ ବଢ଼ାଇଥିଲେ ଆଉ କାରଗିଲରେ ପାକିସ୍ତାନକୁ ସବକ ଶିଖାଇଥିବା ଏମିତି ଜଣେ ରାଷ୍ଟ୍ରନେତା। ୨୦୧୪ମସିହାରେ ବାଜପେୟୀଙ୍କୁ ଭାରତରତ୍ନରେ ସମ୍ମାନିତ କରିଥିଲେ ଭାରତ ସରକାର। ତାଙ୍କ ବାସଭବନକୁ ଯାଇ ନିଜେ ସମ୍ମାନିତ କରିଥିଲେ ତତକାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ୨୦୦୧ ମସିହାରେ ଆଣ୍ଠୁରେ ସର୍ଜରୀ ପରେ ଚାଲିବାରେ ଅସୁବିଧା ସମ୍ମୁଖୀନ ହେଉଥିବା ବାଜପେୟୀ, ୨୦୦୯ମସିହାରେ ଷ୍ଟ୍ରୋକର ଶିକାର ହୋଇ ଅସୁସ୍ଥ ହୋଇପଡିଥିଲେ। ସେବେଠାରୁ ବାକ୍ ଶକ୍ତି ହରାଇଥିବା ଏହି କିମ୍ବଦନ୍ତୀ ପୁରୁଷ ୧୧ ତାରିଖରେ ଗୁରୁତର ଅସୁସ୍ଥ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.