ପଶ୍ଚିମବଙ୍ଗର ତୃତୀୟ ପର୍ଯ୍ୟାୟ ସହ ୪ଟି ରାଜ୍ୟରେ ନିର୍ବାଚନ ଶେଷ, ହିଂସାକାଣ୍ଡ ପାଇଁ ୩୧ଟି ନିର୍ବାଚନମଣ୍ଡଳୀ ହୁଲସ୍ତୁଲ, ଜଣେ ମୃତ
6/04/2021 at 6:54 PM

ନୂଆଦିଲ୍ଲୀ/ଭୁବନେଶ୍ଵର ୦୬।୦୪: ୮ ପର୍ଯ୍ୟାୟ ନିର୍ବାଚନର ସବୁଠାରୁ ବଡ଼ ପର୍ଯ୍ୟାୟ ମଙ୍ଗଳବାର ଶେଷ ହୋଇଛି । ଆସାମ, ତାମିଲନାଡୁ, କେରଳ, ପୁଡୁଚେରୀରେ ନିର୍ବାଚନ ଶେଷ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ଆଉ ୫ଟି ପର୍ଯ୍ୟାୟ ମତ ଦାନ ବାକି ରହିଛି। ତେବେ ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସାକାଣ୍ଡ ଘଟିଥିବା ବେଳେ କିଛି ସ୍ଥାନରେ ପୋଲିସ ଲାଠି ଚାର୍ଜ କରିଛି। ସେପଟେ ତାମିଲନାଡୁ କେରଳ ଓ ପୁଡୁଚେରୀରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ଶେଷ ହୋଇଛି।
ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ନିର୍ବାଚରେ ବି ବହିଛି ଗରମ ହାୱା। ନିର୍ବାଚନୀ ହିଂସାକାଣ୍ଡ ପାଇଁ ୩୧ଟି ନିର୍ବାଚନମଣ୍ଡଳୀ ହୁଲସ୍ତୁଲ ହେଉଥିଲା। ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଟିଏମସି ପ୍ରାର୍ଥୀ ସୁଜାତା ମଣ୍ଡଳ ଅଭିଯୋଗ କରିଛନ୍ତି ତାଙ୍କୁ ବିଜେପି କର୍ମୀ ଗୋଡ଼ାଇଲେ ମୁଣ୍ଡରେ ମାଡ଼ ମାରିଛନ୍ତି। ଏପରିକି ତାଙ୍କ ସହ ଥିବା ସହଯୋଗୀଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଛି ।

ସେହିପରି ଟିଏମସିର ନିର୍ମଳ ମାଝୀ ମଧ୍ୟ ଅନୁରୂପ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ମଧ୍ୟ ବିଜେପି କର୍ମୀ ଆକ୍ରମଣ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ବିଜେପି କର୍ମୀମାନେ ବୁଥ କ୍ୟାପଚର କରିବା ସହିତ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଡରାଇ ଧମକାଇ ଭୋଟ ନେଉଛନ୍ତି। ସେପଟେ ବିଜେପି ଉଲୁବେରିଆରେ ଦଳର କର୍ମୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ କରିଛି। ଉଲୁବେରିଆରେ ପୋଲିଂ ପାର୍ଟି ଟିଏମସି ନେତାଙ୍କ ଘରେ ଇଭିଏମ ଭିଭିପାଟ ରଖି ଶୋଇପଡ଼ିଥିବାର ଖବର ଆସିଥିଲା। ତୁରନ୍ତ ସଂପୃକ୍ତ ଅଧିକାରୀଙ୍କୁ ସସ୍ପେଣ୍ଡ କରିଦିଆଯାଇଛି। ଗୋଟିଏ ପଟେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିଲା ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାୱଡ଼ାରେ ନିର୍ବାଚନୀ ରାଲିକୁ ସମ୍ବୋଧନ କରି ଖେଳ ସରିଲା ବୋଲି ଆକ୍ଷେପ କରିଛନ୍ତି।

ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଥିବା ବେଳେ ଆସାମରେ ନିର୍ବାଚନ ଶେଷ ହୋଇଛି। ସେହିପରି ତାମିଲନାଡୁ, କେରଳ, ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଛି। ଏସବୁ ରାଜ୍ୟରେ କାଁ ଭାଁ ଘଟଣାକୁ ଛାଡ଼ିଦେଲେ ନିର୍ବାଚନ ଶାନ୍ତିପୂର୍ଣ୍ଣ ରହିଛି। ଅଭିନେତା ରଜିନିକାନ୍ତ ଭୋଟ ଦେବାକୁ ଆସିଥିବା ବେଳେ ତାଙ୍କ ଫ୍ୟାନ ମାନେ ତାଙ୍କୁ ଘେରିଯାଇଥିଲେ। ତାମିଲ ଅଭିନେତା ବିଜୟ ସାଇକେଲ ଧରି ବୁଥକୁ ଆସିଥିଲେ ଏବଂ ଭୋଟ ଦେଇଥିଲେ। ତାମିଲନାଡୁର ୨୩୪ କେରଳର ୧୪୦ ଟି ପୁଡୁଚେରୀରେ ୩୦ଟି ଆସନରେ ଆଜି ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଛି। ଏବେ କେବଳ ପଶ୍ଚିମ ବଙ୍ଗର ୫ଟି ପର୍ଯ୍ୟାୟରେ ନିର୍ବାଚନ ଜାରି ରହିବ। ମେ ୨ ତାରିଖରେ ନିର୍ବାଚନ ଗଣତି ଏକା ସାଙ୍ଗରେ କରାଯିବ।