ପ୍ରଥମ ପର୍ଯ୍ୟାୟ ସରୁସରୁ ରାଜ୍ୟରେ ବଢିଲାଣି ନିର୍ବାଚନୀ ହିଂସା : ରାଲି, ପତାକା ଓ ପ୍ରଚାରକୁ ନେଇ ମୁହାଁମୁହିଁ ୩ ଦଳର କର୍ମୀ

Published By : Prameya-News7 Bureau | April 14, 2019 IST

ଭୁବନେଶ୍ବର ୧୪/୪: ରାଜ୍ୟରେ ବଢ଼ିଲାଣି ନିର୍ବାଚନୀ ହିଂସା । ରାଲି ଓ ପତକା ଲାଗାଇବାକୁ ନେଇ ତିନି ଦଳ ଏବେ ହାତାହାତି ହେବା ସହ ହଣାକଟା ଆରମ୍ଭ ହୋଇଗଲାଣି । ବ୍ରହ୍ମଗିରିରେ ବିଜେଡି ପ୍ରାର୍ଥୀ ସଂଜୟ ଦାସବର୍ମୀଙ୍କ ରାଲିକୁ କିଛି ମହିଳା ବିରୋଧ କରିଛନ୍ତି । ଏହି ସମୟରେ ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଜଗତସିଂହପୁରରେ କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ ଭଞ୍ଜନଗରରେ ବିଜେପି ପ୍ରାର୍ଥୀଙ୍କ ଭଣଜା ଉପରେ ମରଣାନ୍ତକ ଆକ୍ରମଣ ହୋଇଛି।

ପୁରୀ ଜିଲ୍ଲା ବ୍ରହ୍ମଗିରିରେ ବିଜେଡି ପ୍ରାର୍ଥୀ ସଂଜୟ ଦାସବର୍ମାଙ୍କ ଶୋଭାଯାତ୍ରା ଯାଉଥିବା ବେଳେ ବାଟ ଓଗାଳିଲେ ମହିଳା । ଏ ହେଉଛି ସେହି ସମୟର ଦୃଶ୍ୟ । ଏଥିରେ ଯେ ବିଜେଡି-ବିଜେପି ମଧ୍ୟରେ ଛକାପଞ୍ଝା ରହୁଛି ତାହା ଏହି ଦୃଶ୍ୟ ବୟାନ କରୁଛି । କେବଳ ଏଇଠି ନୁହେଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରୁ ସରୁ ପ୍ରଚାର ଯେତିକି ତାତିଛି ସେହି ଅନୁସାରେ ଛକାପଞ୍ଝା ଓ ମାଡ଼ଗୋଳ ତୀବ୍ର ହୋଇଛି । ଜଗତସିଂହପୁରରେ ପୌରାଞ୍ଚଳରେ ଓ୍ବାର୍ଡ ନମ୍ବର ୨୦ରେ ମାଧରହାଟରେ ପତାକା ବନ୍ଧାକୁ ନେଇ କଂଗ୍ରେସ କର୍ମୀଙ୍କ ଉପରକୁ ଆକ୍ରମଣ ହୋଇଛି । ଭଞ୍ଜନଗରର ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକଙ୍କ ଭଣଜାଙ୍କ ଉପରକୁ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି ।  ସେପଟେ କନ୍ଧମାଳରେ ଜଣେ ଆରଟିଆଇ କର୍ମୀ ମହମ୍ମଦ ଜିଆଉଦ୍ଦିନଙ୍କ ଉପରେ ଆକ୍ରମଣ ହୋଇଛି।  କନ୍ଧମାଳ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ସଂପର୍କିତ କିଛି ଆରଟିଆଇ ତଥ୍ୟ ସେ ବାଣ୍ଟୁଥିଲେ।  ଯେଉଁଥିପାଇଁ ତାଙ୍କୁ ଆକ୍ରମଣ କରାଯାଇଥିବା ଥାନାରେ ଏତଲା ଦିଆଯାଇଛି । ଏଥିପାଇଁ ସେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି।

ତେବେ ବଢୁଥିବା ହିଂସାକାଣ୍ଡକୁ ନେଇ ବିଜେପି ଓ କଂଗ୍ରେସ ଏବେ ବିଜେଡି ଆଡ଼କୁ ଆକ୍ଷେପ କରିଛନ୍ତି। ନିର୍ବାଚନରେ ଜିତିବା ପାଇଁ ବିଜେଡି ହିଂସା ଆପଣାଉଥିବା ଅଭିଯୋଗ କରିଛନ୍ତି।  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବୁଲେଟ ଯବାବ ଲୋକେ ବାଲଟରେ ଦେବେ । ତେବେ ବିଜେଡି କହିଛି ଦଳ ହିଂସାରେ ବିଶ୍ବାସ କରେନା । ବ୍ରହ୍ମପୁର ହତ୍ୟାକଣ୍ତା କଥା ଉଠାଇ ବିଜେପିକୁ ନିଶାନ ସାଧିଛି ।  ଗୋଟିଏ ପ୍ରର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆହୁରି ତିନୋଟି ପ୍ରର୍ଯ୍ୟାୟ ବାକି ରହିଛି। କିନ୍ତୁ ଏବେ ହିଂସା କାଣ୍ତ ବଢ଼ିବାରେ ଲାଗିଛି। ଯାହା ପୋଲିସ ପାଇଁ ହିଁ ପରୀକ୍ଷାର ବିଷୟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.