ଆଜି ବାଚସ୍ପତି ନିର୍ବାଚନ, ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଖିବେ ପ୍ରସ୍ତାବ

Published By : Prameya-News7 Bureau | June 19, 2019 IST

ନୂଆଦିଲ୍ଲୀ ୧୯|୬: ଆଜି ଲୋକସଭାରେ ବାଚସ୍ପତି ନିର୍ବାଚନ ହେବ। ବିଜେପି ସାଂସଦ ଓମ୍ ବିର୍ଲା ହେବେ ସପ୍ତଦଶ ଲୋକସଭା ବାଚସ୍ପତି । ଏନେଇ ବିଜେପି ବିଧିବଦ୍ଧ ନିଷ୍ପତ୍ତି ନେଇସାରିଛି। ରାଜସ୍ଥାନ କୋଟାର ବିଜେପି ସାଂସଦ ଓମ୍ ବିର୍ଲାଙ୍କୁ ବାଚସ୍ପତି କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ପ୍ରସ୍ତାବ ଆଗତ କରିବେ। ଏହାକୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସମର୍ଥନ କରିବେ ।

ସେହିପରି ଅମିତ ଶାହା ପରବର୍ତ୍ତୀ ପ୍ରସ୍ତାବକ ରହିବେ ଏବଂ ଏହାକୁ ନିତିନ ଗଡ଼କରି ସମର୍ଥନ କରିବେ। ଏନଡିଏର ବାଚସ୍ପତି ପ୍ରାର୍ଥୀ ଓମ ବିର୍ଲାଙ୍କୁ ସମର୍ଥନ ଦେବ ବୋଲି ଘୋଷଣା କରିଛି ବିଜେଡି । ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଲୋକସଭାରେ ପ୍ରସ୍ତାବକ ରହିବେ ଏବଂ ଅଚ୍ୟୁତ ସାମନ୍ତ ଏହାକୁ ସମର୍ଥନ କରିବେ । ଏନଡିଏର ସଂଖ୍ୟା ଗରିଷ୍ଠତା ଥିବାରୁ ଓମ ବିର୍ଲା ବାଚସ୍ପତି ନିର୍ବାଚନ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

ସେପଟେ ବାଚସ୍ପତି ପ୍ରସ୍ତାବକୁ ବିରୋଧ କରିବେନି ବୋଲି କଂଗ୍ରେସ ଘୋଷଣା କରିଛି। ୧୭ ବୟସରୁ ଓମ ବିର୍ଲା ରାଜନୀତିରେ ସକ୍ରିୟ ଥିଲେ । ରାଜସ୍ଥାନ କୋଟାରୁ ସେ ୩ ଥର ବିଧାୟକ ଥିଲେ । ସେ ଦ୍ବିତୀୟ ଥର ପାଇଁ ସାଂସଦ ହୋଇଛନ୍ତି ।

ତେବେ ଲୋକସଭାର ଉପ ବାଚସ୍ପତି କିଏ ହେବ ତାକୁ ନେଇ ସସପେନ୍ସ ଜାରି ରହିଛି । ଚର୍ଚ୍ଚାରେ ଭର୍ତ୍ତୃହରିଙ୍କ ନାଁ ରହିଛି । ଏନେଇ ବିଜେଡି ଲୋକସଭା ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଏହି ଚର୍ଚ୍ଚା ସଂପର୍କରେ କହିଛନ୍ତି, ଶାସକ ଦଳ ପ୍ରସ୍ତାବ ଦେଲେ ଆମେ ନିଷ୍ପତ୍ତି ନେବୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ନିଷ୍ପତ୍ତି ନେବେ ବୋଲି ପିନାକୀ କହିଛନ୍ତି । ଲୋକସଭା ଉପବାଚସ୍ପତି ପଦ ପାଇଁ ୱାଇଏସଆରସିପି କିମ୍ବା ବିଜେଡି ନେତାଙ୍କୁ ସୁଯୋଗ ଦେବା ନେଇ ଚିନ୍ତା କରୁଛି ବିଜେପି । କାରଣ ଅଣବିଜେପି ମେଣ୍ଟରେ ସାମିଲ ହୋଇନଥିବାରୁ ଏବଂ କଂଗ୍ରେସଠାରୁ ଦୂରତା ରଖୁଥିବାରୁ ଏହି ଦୁଇ ଦଳ ବିଜେପିର ପ୍ରଥମ ପସନ୍ଦ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.