କରୋନା ସ୍ଥିତି ମଧ୍ୟରେ ଦକ୍ଷିଣ କୋରିଆରେ ନିର୍ବାଚନ ଅନୁଷ୍ଠିତ : ରାଷ୍ଟ୍ରପତିଙ୍କ ମୁନ-ଜେ-ଇନଙ୍କ ଦଳ ବିଜୟୀ

Published By : Prameya-News7 Bureau | April 16, 2020 IST

ସାରା ଦୁନିଆ ବର୍ତ୍ତମାନ କରୋନା ସଙ୍କଟ ଦେଇ କରୁଛି | ଦୁନିଆର ଅନେକ ଦେଶ କରୋନା ଯୋଗୁଁ ପ୍ରଭାବିତ ହୋଇଛନ୍ତି | କରୋନା ବିସ୍ତାର ରୋକିବା ପାଇଁ ଅନେକ ଦେଶ ଲକଡାଉନ ଅଛି | ଏହି ସ୍ଥିତିରେ ଦକ୍ଷିଣ କୋରିଆରେ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହୋଇଛି | ନିର୍ବାଚନରେ ଶାସକ ଦଳ ବିଜୟୀ ହୋଇଛି | ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ-ଜେ-ଇନଙ୍କ ଡେମୋକ୍ରାଟିକ୍ୱ ପାର୍ଟି ସଂସଦୀୟ ନିର୍ବାଚନରେ ୧୬୩ ଆସନରେ ବିଜୟୀ ହୋଇଛନ୍ତି | ନିର୍ବାଚନ ଫଳାଫଳ ଅନୁଯାୟୀ ମୁନଙ୍କ ଦଳ ୩୦୦ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲିରେ ୧୬୩ ଆସନ ହାସଲ କରି ବିଜୟୀ ହୋଇଛି | କରୋନା ମହାମାରୀ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାରେ ଦକ୍ଷିଣ କୋରିଆ ଦୁନିଆର ପ୍ରଥମ ଦେଶ |

ଡେମୋକ୍ରାଟିକ୍ୱ ପାର୍ଟିର ସହଯୋଗୀ ଦଳକୁ ମଧ୍ୟ ୧୭ଟି ଆସନ ମିଳିଛି | ସହଯୋଗୀ ଦଳକୁ ମିଶାଇ ଶାସକ ଦଳ ପାଖରେ ବର୍ତ୍ତମାନ ୧୮୦ ଆସନ ରହିଛି | ନିର୍ବାଚନରେ ପାଖାପାଖି ୩୫ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଥିଲେ | ଅସଲି ଟକ୍କର ଡେମୋକ୍ରାଟିକ୍ୱ ପାର୍ଟି ଓ କଞ୍ଜରଭେଟିଭ ବିପକ୍ଷ, ୟୁନାଇଟେଡ଼ ଫ୍ୟୁଚର ପାର୍ଟି ମଧ୍ୟରେ ଥିଲା | 

ରାଷ୍ଟ୍ରପତି ମୁନଙ୍କ ଅଧା କାର୍ଯ୍ୟକାଳ ଓ କରୋନା ଲଢେଇ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଜନମତ ସଂଗ୍ରହ ଭାବେ ପରଖା ଯାଉଛି | ଦେଶରେ ୧୪ ହଜାର ମତଦାନ କେନ୍ଦ୍ର କରାଯାଇଥିଲା | ଭୋଟର ଲାଇନରେ ଛିଡା ହୋଇ ମତଦାନ ସାବ୍ୟସ୍ତ କରିଥିଲେ | ଲାଇନରେ ଗୋଟିଏ ମିଟର ଲେଖାଏଁ ଦୂରତାରେ ଛିଡା ହେବା ପାଇଁ ଚିହ୍ନ କରାଯାଇଥିଲା | ନିର୍ବାଚନରେ ସାମାଜିକ ଦୂରତା ବଜାୟ ରଖାଯାଇଥିଲା | ଏହାସହ ଭୋଟରଙ୍କୁ ମାସ୍କ, ଗ୍ଳୋବ୍ସ ଓ ସାନିଟାଇଜର ଦିଆଯାଇଥିଲା |

ମତଦାନ ପାଇଁ ଲାଇନରେ ଛିଡା ହେବା ପୂର୍ବରୁ ପ୍ରତ୍ୟେକ ଭୋଟରଙ୍କ ତାପମାତ୍ରା ଯାଞ୍ଚ କରାଯାଇଥିଲା | ତାପମାତ୍ରା ୯୯.୫ ଡିଗ୍ରୀରୁ ଅଧିକ ଥିଲେ ତାଙ୍କୁ ଅଲଗା ମତଦାନ କେନ୍ଦ୍ରକୁ ନେଇ ମତଦାନ କରାଯାଇଥିଲା | ସେମାନଙ୍କ କରୋନା ଯାଞ୍ଚ ମଧ୍ୟ କରାଯାଇଥିଲା | ଦକ୍ଷିଣ କୋରିଆରେ ଏବେ ଯାଏଁ ୧୦ରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ ୨୨୯ ଜଣ ପ୍ରାଣ ହରାଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.