୧୫ଦିନ ପରେ ଭୋଟ୍, ହେଲେ ଖାଁ ଖାଁ କଳାହାଣ୍ଡି ଜିଲ୍ଲାର ରାଜନୀତି : ସବୁ ନେତା ଡେରା ପକାଇଛନ୍ତି ରାଜଧାନୀରେ
21/03/2019 at 3:16 PM
ଭବାନୀପାଟଣା ୨୧|୩ (ମହମ୍ମଦ ଅସଲମ) : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତାଲିକାରେ ରହିଛି କଳାହାଣ୍ଡି ଜିଲ୍ଳା । ଏମିତିରେ ଏବେ ପ୍ରଚାରରେ ମାହୋଲ ଜମିବା କଥା । ନାମାଙ୍କନ ଦାଖଲ ପାଇଁ ଧାଡ଼ି ଲାଗିବା କଥା । ହେଲେ କଳାହାଣ୍ଡିରେ ସେମିତି କିଛି ଦେଖିବାକୁ ମିଳିନି । ଗଲା ୧୮ରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଥିଲେ ବି ମାତ୍ର ୫ଜଣ ପ୍ରାର୍ଥୀ ନୋମିନେସନ ଫାଇଲ କରିଛନ୍ତି । ସେପଟେ ଟିକେଟ୍ ବଣ୍ଟକୁ ନେଇ ବିଭିନ୍ନ ଦଳର ଅଙ୍କ ଛିଣ୍ଡୁନଥିବାରୁ ଆଶା, ଆଶଙ୍କାରେ ରହିଛନ୍ତି ଆଶାୟୀ ।
ଅର୍କଙ୍କ ଆଶା ମଉଳିଗଲା । ବାଜି ମାରିନେଲେ ପୁଷ୍ପେନ୍ଦ୍ର । ଆଉ କଳାହାଣ୍ଡି ବିଜେଡିରେ ବିଦ୍ରୋହୀଙ୍କ ସଂଖ୍ୟା ବଢ଼ିଲା । ସେପଟେ ପୁଣି ଲାଞ୍ଜିଗଡ଼ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରିନାହିଁ । ଏମିତିରେ ପାଞ୍ଚ ପାଞ୍ଚ ଥର ବିଧାୟକ ହୋଇଥିବା ବଳଭଦ୍ର ମାଝିଙ୍କୁ ନେଇ ମଧ୍ୟ କଳ୍ପନା ଜଳ୍ପନା ଜାରି ରହିଛି । ଯୋଉଠି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ସେଠି ଦଳୀୟ ଟିକେଟ୍ ବଣ୍ଟନରେ ବିଳମ୍ବ ଆଶାୟୀଙ୍କୁ ଅକଳରେ ପକାଇଛି ।

କୁହାଯାଉଛି ବିଜେପିର ପ୍ରାର୍ଥୀ ତାଲିକା ବିଳମ୍ବ ହେଉଥିବାରୁ ଏହି ଆସନରେ କୌଣସି ନିଷ୍ପତି ନେଇପାରୁନି ବିଜେଡି । ସେପଟେ ବିଜେଡିରୁ ଟିକେଟ୍ ନମିଳିଲେ ବଳଭଦ୍ର ବିଜେପିକୁ ଡିଆଁ ମାରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏମିତିରେ ସ୍ଥାନୀୟ ବିଜେପି ନେତାଙ୍କ ଚିନ୍ତା ବଢ଼ିବା ସ୍ବାଭାବିକ୍ ।
ଟିକେଟ ପାଇଁ ରାଜଧାନୀରେ ଡେରା ପକାଇଛନ୍ତି ନେତା । ତେଣେ ନିର୍ବାଚନ ମଣ୍ଡଳି ଖାଁ ଖାଁ । ଖାଲି ବିଜେଡି କି ବିଜେପି କାହିଁକି କଂଗ୍ରେସରେ ମଧ୍ୟ ଟିକେଟ୍ ଅଙ୍କ ଜଟିଳ ହେବାରେ ଲାଗିଛି । ଧର୍ମଗଡ଼ ଓ ଲାଞ୍ଜିଗଡ଼ ପାଇଁ ଦଳ ପ୍ରାର୍ଥୀ ଫାଇନାଲ କରିଥିଲେ ମଧ୍ୟ ଜିଲ୍ଲାର ଅନ୍ୟ ନିର୍ବାଚନ ମଣ୍ଡଳୀରେ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ କିଛି ଫାଇନାଲ ହୋଇପାରିନାହିଁ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ଶେଷ ତାରିଖ ମାର୍ଚ୍ଚ ୨୫ । ସେହିଭଳି ଏପ୍ରିଲ ୯ରେ ସରିବ ପ୍ରଚାର । ହାତରେ ଆଉ ମାତ୍ର ୧୩-୧୪ଦିନ ସମୟ । ଏତେ କମ୍ ସମୟ ଭିତରେ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ କେମିତି ସବୁ ଲୋକଙ୍କ ପାଖରେ ପହଞ୍ଚିବେ, କେମିତି ଦଳୀୟ ଇସ୍ତାହାରକୁ ଭୋଟରଙ୍କ ପାଖରେ ପହଞ୍ଚାଇବେ ସେଇ ଚିନ୍ତାରେ ନେତା ଆଖିରୁ ନିଦ ହଜିଗଲାଣି । ପ୍ରଚାର ପାଇଁ କମ୍ ସମୟ ଥିବାରୁ ଏଥର ନିର୍ବାଚନରେ ପ୍ରଚୁର ଟଙ୍କା କାରବାର ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।