ଏଥର ନିର୍ବାଚନରେ ଇଭିଏମରେ ରହିବ ପ୍ରାର୍ଥୀ ଫଟୋଙ୍କ : ଏହିଭଳି ହେବ ନିର୍ବାଚନ

Published By : Prameya-News7 Bureau | March 10, 2019 IST

ଦିଲ୍ଲୀ ୧୦/୩ : ୨୦୧୯ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ | ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ | ମେ ୨୩ ତାରିଖରୁ ଭୋଟ ଗଣତି ଆରମ୍ଭ ହେବ | ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୧, ଦ୍ବିତୀୟ ପର୍ଯ୍ୟାୟ ଏପ୍ରିଲ ୧୮, ତୃତୀୟ ପର୍ଯ୍ୟାୟ ଏପ୍ରିଲ ୨୩, ଚତୁର୍ଥ ପର୍ଯ୍ୟାୟ ଏପ୍ରିଲ ୨୯, ପଞ୍ଚମ ପର୍ଯ୍ୟାୟ ମେ ୬, ଷଷ୍ଠ ପର୍ଯ୍ୟାୟ ମେ ୧୨ ଏବଂ ସପ୍ତମ ପର୍ଯ୍ୟାୟ ମେ ୧୨ରେ ଅନୁଷ୍ଠିତ ହେବ |


ଦିଲ୍ଲୀର ବିଜ୍ଞାନ ଭବନରେ ନିର୍ବାଚନ ଆୟୋଗ ମୁଖ୍ୟ ସୁନୀଲ ଅରୋରା ଏନେଇ ଘୋଷଣା କରିଛନ୍ତି | ସେ କହିଛନ୍ତି ଯେ, ଚଳିତ ନିର୍ବାଚନରେ ୯୦ କୋଟି ନାଗରିକ ଭୋଟ ଦେବେ | ଗତ ଲୋକସଭା ନିର୍ବାଚନ ତୁଳନାରେ ଚଳିତ ବର୍ଷ ୮.୪୩ କୋଟି ଭୋଟ ଅଧିକ ହେବ | ଭୋଟ ପାଇଁ ଦେଶରେ ୧୦ ଲକ୍ଷ ବୁଥ ତିଆରି କରାଯିବ | ଚଳିତ ବର୍ଷ ଏଭିଏମ ମେସିନରେ ସମସ୍ତ ପ୍ରାର୍ଥୀଙ୍କ ଫଟୋ ମଧ୍ୟ ରହିବ | ପ୍ରଥମଥର ପାଇଁ ୧.୫ କୋଟି ଯୁବକଯୁବତୀ ଭୋଟ ଦେବେ | ଯେଉଁମାନଙ୍କ ବୟସ ୧୮ ବର୍ଷରୁ ୧୯ ବର୍ଷ | ଭୋଟ ପାଇଁ ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରରେ VVPAT ବ୍ୟବହାର କରାଯିବ |

ନିର୍ବାଚନ ତାରିଖ ଘୋଷଣା ସହ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ କରାଯାଇଛି | ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି ଯେ, ଆଦର୍ଶ ଆଚରଣ ବିଧି ଉଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ରାତି ୧୦ଟା ରୁ ସକାଳ ୬ଟା ମଧ୍ୟରେ ନିର୍ବାଚନ ପ୍ରଚାର ପାଇଁ ଲାଉଡ଼ ସ୍ପିକର ବ୍ୟବହାର ଉପରେ ରୋକ ଲଗାଇଛନ୍ତି ଆୟୋଗ | ଭୋଟ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ କୌଣସି ଲାଉଡ଼ ସ୍ପିକର ବ୍ୟବହାର କରାଯିବ ନାହିଁ | ଇଭିଏମ ସୁରକ୍ଷାକୁ ଦୃଷ୍ଟିରେ ରଖି ଇଭିଏମ ମେସିନକୁ ନେଉଥିବା ସବୁ ଦଳର ଗାଡିରେ ଜିପିଏସ ଲଗାଯିବ |


ନିର୍ବାଚନ ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି ଆୟୋଗ | କୌଣସି ପ୍ରକାର ଅସୁବିଧା ହେଲେ ୧୯୫୦ ନମ୍ବରକୁ ଫୋନ କରିପାରିବେ | ନିର୍ବାଚନ ସମ୍ବନ୍ଧୀୟ ଅଭିଯୋଗ ପାଇଁ ଏକ ଆପ ଲଞ୍ଚ କରିଛନ୍ତି ଆୟୋଗ | ଏହି ଆପ ଜରିଆରେ ଅଭିଯୋଗ କଲେ ୧୦୦ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ନିର୍ବାଚନ ଆୟୋଗ କଣ୍ଟ୍ରୋଲ ରୁମ ୨୪ ଘଣ୍ଟା ଖୋଲା ରହିବ |


ସୋସିଆଲ ମିଡ଼ିଆ ଉପରେ ମଧ୍ୟ ନିର୍ବାଚନ ଆୟୋଗ କଡା ନଜର ରଖିବ | ପ୍ରାର୍ଥୀଙ୍କୁ ନିଜ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ସମ୍ବନ୍ଧୀୟ ସମସ୍ତ ସୂଚନା ଆୟୋଗକୁ ଦେବାକୁ ହେବ |


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.