ଭୋଟର ତାଲିକାରେ କେମିତି ଯୋଡିବେ ନାଁ, କେମିତି ସଂଶୋଧନ କରିବେ ତଥ୍ୟ ? ପଢନ୍ତୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଟିପ୍ସ

Published By : Prameya-News7 Bureau | September 01, 2018 IST

ଚିଠା ଭୋଟର ତାଲିକା ପ୍ରକାଶ କଲେ ନିର୍ବାଚନ କମିଶନ । ଅକ୍ଟୋବର ୩୧ ଯାଏଁ ଏହି ତାଲିକା ବଳବତ୍ତର ରହିବ । ଭୋଟର ତାଲିକା ସଂଶୋଧନ ପାଇଁ ଏହି ତାଲିକା ପ୍ରକାଶ କରାଯାଇଛି । ଏଥିରେ ନୂଆ ନାଁ ଯୋଡିବା, ଯେଉଁମାନେ ମୃତ ସେମାନଙ୍କ ନାଁ କାଟିବା ଏବଂ ଅନ୍ୟ କିଛି ତ୍ରୁଟି ଥିଲେ ସଂଶୋଧନ ଆଦି କରାଯିବ । ଦୁଇ ମାସ ଅବଧି ଭିତରେ ଏହି ପ୍ରକ୍ରିୟା ସରିବାପରେ ୨୦୧୯ ଜାନୁଆରୀ ୪ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା । ୨୦୧୯ ଜାନୁୟାରୀ ପହିଲା ସୁଦ୍ଧା ଯେଉଁମାନଙ୍କୁ ୧୮ ବର୍ଷ ପୂରଣ ହେଉଥିବ, ଭୋଟର ତାଲିକାକୁ ସେମାନଙ୍କ ନାଁ ଉଠିବ । ଏଥିପାଇଁ ଫର୍ମ-୬ରେ ଆବେଦନ କରିବାକୁ ପଡ଼ିବ । ଏହାସହ ରଙ୍ଗୀନ ପାସପୋର୍ଟ ସାଇଜ ଫଟୋ, ଜନ୍ମ ତାରିଖ, ବାସସ୍ଥାନ ଆଦିର ପ୍ରମାଣପତ୍ର ଦେବାକୁ ହେବ । ଯଦି କେହି ନିଜ ନାଁ ଭୋଟର ତାଲିକାରୁ ବାଦ ଦେବାକୁ ଚାହୁଁଛନ୍ତି ତାହେଲେ ସେମାନେ ଫର୍ମ ୭ରେ ଆବେଦନ କରିବେ । ଭୋଟର ତାଲିକାରେ ନାମ, ବୟସ ଓ ଠିକଣାରେ ତ୍ରୁଟି ଥିଲେ ସଂଶୋଧନ ପାଇଁ ଫର୍ମ ୮ରେ ଆବେଦନ କରିବାକୁ ହେବ । ସେହିଭଳି ଗୋଟିଏ ବିଧାନସଭା କ୍ଷେତ୍ରରୁ ଅନ୍ୟ ବିଧାନସଭା କ୍ଷେତ୍ରକୁ ଭୋଟର ତାଲିକା ବଦଳାଇବାକୁ ଚାହୁଁଥିଲେ, ଫର୍ମ ୮ (କ) ରେ ଆବେଦନ କରିବାକୁ ପଡ଼ିବ । ୩୭ ହଜାର ୬୦୬ ବୁଥରେ ନିଯୁକ୍ତ ଅଫିସରଙ୍କ ପାଖରେ ଏସବୁ ଫର୍ମ ରହିଛି । ଭୋଟର ତାଲିକା ସଂଶୋଧନରେ ନୂଆ ଭୋଟରଙ୍କୁ ଅଗ୍ରାଧିକାର ଦିଆଯିବ । ସେହିଭଳି ଭିନ୍ନକ୍ଷମ, ଅନୁସୁଚିତ ଜାତି ଓ ଜନଜାତିର ଲୋକମାନେ ଯେଭଳି ବାଦ ନପଡନ୍ତି ସେଥିପାଇଁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ଜିଲାପାଳମାନଙ୍କୁ କୁହାଯାଇଛି । ତେବେ ଏକାଧିକ ସ୍ଥାନରେ ଭୋଟର ନାମ ପଞ୍ଜୀକୃତ ହୋଇଥିଲେ ଦଣ୍ଡିତ ହେବାକୁ ପଡ଼ିବ । ଏଥିପାଇଁ ଏକ ବର୍ଷ ଜେଲ, ଓ ଜରିମାନା କିମ୍ବା ଉଭୟ ଲାଗୁ କରାଯାଇପାରେ । ଭୋଟର ତାଲିକା ସମ୍ପର୍କିତ ଅଭିଯୋଗ ପାଇଁ ହେଲ୍ପ ଲାଇନ ଖୋଲାଯାଇଛି । ନିଜ ଅଞ୍ଚଳର ଅଂଚଳର କୋଡ ନମ୍ବର ସହ ୧୯୫୦ ଡାଏଲ୍ କରି ଲୋକେ ସେମାନଙ୍କ ଅଭିଯୋଗ ଦେଇପାରିବେ । ୨୦୧୯ ଜାନୁଆରୀ ୪ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା । ବର୍ତ୍ତମାନ ରାଜ୍ୟରେ ୩ କୋଟି ୧୨ ଲକ୍ଷ ୫୨ ହଜାର ୩୩୩ ଜଣ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରୁ କୋଟିଏ ୬୧ ଲକ୍ଷ ୧୪ ହଜାର ୨୦୦ ପୁରୁଷ, କୋଟିଏ ୫୧ ଲକ୍ଷ ୩୬ ହଜାର ୩୬ ଜଣ ମହିଳା ଏବଂ ବାକି ୨ ହଜାର ୯୭ ଜଣ ତୃତୀୟ ଲିଙ୍ଗ । ସେହିଭଳି ଗ୍ରାମାଞ୍ଚଳରେ ବୁଥ ପିଛା ୧୨ ଶହ ଭୋଟର ଓ ସହରାଞ୍ଚଳରେ ବୁଥ ପିଛା ୧୪ଶହ ଭୋଟର ଧାର୍ଯ୍ୟ ହୋଇଛି । ସବୁ ରାଜନୈତିକଦଳ ପ୍ରତି ବୁଥରେ ଏଜେଣ୍ଟ ନିଯୁକ୍ତ କରି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ସହଯୋଗ କରିବାକୁ ନିର୍ବାଚନ କମିଶନ ଅନୁରୋଧ କରିଛନ୍ତି । ଭୁବନେଶ୍ବରରୁ କ୍ୟାମେରା ପର୍ସନ ଲକ୍ଷ୍ମୀଧରଙ୍କ ସହ ସୁକାନ୍ତ ରାଉତରାୟ, ନ୍ୟୁଜ୍ ସେଭେନ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.