କମଲନାଥଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ, ଷ୍ଟାର ପ୍ରଚାରକ ତାଲିକାରୁ ହଟିଲା ନାଁ, କୋର୍ଟ ଯିବ କଂଗ୍ରେସ

Published By : Prameya-News7 Bureau | October 30, 2020 IST

ଭୋପାଳ ୩୦।୧୦: ମଧ୍ୟ ପ୍ରଦେଶର ୨୮ ଆସନରେ ହେବାକୁ ଥିବା ବିଧାନସଭାର ଉପ ନିର୍ବାଚନରେ ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର  ବରିଷ୍ଠ ନେତା କମଲନାଥଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନିର୍ବାଚନ ଆୟୋଗ କମଲନାଥଙ୍କ ନାମ ଷ୍ଟାର ପ୍ରଚାରକ ତାଲିକାରୁ ହଟାଇ ଦେଇଛନ୍ତି। ନିର୍ବାଚନ ଆୟୋଗ ବାରମ୍ବାର ନିର୍ବାଚନୀ  ଆଚରଣ ବିଧି ଉଲ୍ଲଂଘନ କରିବା କାରଣରୁ କମଲନାଥଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି।

ନିର୍ବାଚନ ଆୟାେଗଙ୍କ ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ କଂଗ୍ରେସ କୋର୍ଟ ଯିବ ବୋଲି କହିଛି। କଂଗ୍ରେସ ମଧ୍ୟ ପ୍ରଦେଶର ୟୁନିଟ୍ ମିଡିଆ ସଂଯୋଜକ ନରେନ୍ଦ୍ର ସଲୁଜା କହିଛନ୍ତି, ନିର୍ବାଚନ ଆୟୋଗ ତରଫରୁ ପାର୍ଟିର ନେତା କମଲନାଥଙ୍କ ତାରକା ପ୍ରଚାରକ ମାନ୍ୟତା ସମାପ୍ତ କରିଛନ୍ତି। ଏହି ନିଷ୍ପତ୍ତି ବିରୋଧରେ ପାର୍ଟି କୋର୍ଟର ଦ୍ଵାରସ୍ଥ ହେବ।

ଶୁକ୍ରବାର ନିର୍ବାଚନ ଆୟୋଗ ଜାରି ନିଜର ଆଦେଶରେ କହିଛନ୍ତି, କମଲନାଥଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନର ଅଭିଯୋଗ ବାରମ୍ଵାର ଆସିଥିଲା। ଏହାକୁ ନେଇ ନିର୍ବାଚନ ଆୟୋଗ କମଲନାଥଙ୍କୁ ବାରମ୍ବାର ଚେତାବନୀ ମଧ୍ୟ ଦେଇଥିଲେ। ଏହା ପରେ ବି କମଲନାଥ ନିର୍ବାଚନ ଆୟୋଗଙ୍କ ପରାମର୍ଶକୁ ଅଣଦେଖା କରି ବାରମ୍ଵାର ଆଚରଣ ବିଧି ଉଲ୍ଲଂଘନ କରିଥିଲେ। ଏହା ପରେ ନିର୍ବାଚନ ଆୟୋଗ କଠୋର କାର୍ଯ୍ୟାନୁଷ୍ଠାନ ନେଇ ନିର୍ବାଚନ ଆଚରଣ ବିଧିର ଅନୁଚ୍ଛେଦ ୧ ଓ ୨ ଆଧାରରେ କମଲନାଥଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ଉଲ୍ଲେଖନୀୟ ବିଜେପି ନେତା ଇମର୍ତ୍ତୀ ଦେବୀଙ୍କୁ ‘ଆଇଟମ’ କହିବା ପରେ କମଲନାଥ ଅନ୍ୟ ଏକ ସଭାରେ ଶିବରାଜ ସିଂହଙ୍କୁ ‘ନୌଟଙ୍କି କଳାକାର’ ମଧ୍ୟ କହିଥିଲେ। ନିର୍ବାଚନ ଆୟୋଗ କହିଛନ୍ତି ଏବେ କମଲନାଥଙ୍କୁ ଷ୍ଟାର ପ୍ରଚାରକ ଭାବେ ଅଧିକାରୀଙ୍କ ଦ୍ଵାରା କୌଣସି ଅନୁମତି ଦିଆଯିବ ନାହିଁ। କିନ୍ତୁ କମଲନାଥ ମଧ୍ୟ ପ୍ରଦେଶ ଉପ ନିର୍ବାଚନରେ ପ୍ରଚାର କରି ପାରିବେ, କିନ୍ତୁ ଏହାର ଖର୍ଚ୍ଚ ପାର୍ଟି ନୁହେଁ ପ୍ରାର୍ଥୀଙ୍କୁ ଦେବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.