କରୋନା ପାଇଁ ଘୁଞ୍ଚିଲା ରାଜ୍ୟସଭା ନିର୍ବାଚନ, ୨୬ ମାର୍ଚ୍ଚରେ ହୋଇଥାନ୍ତା ମତଦାନ
24/03/2020 at 11:54 AM

ନୂଆଦିଲ୍ଲୀ ୨୪।୩: କରୋନା ଭାଇରସ୍ ଯୋଗୁଁ ନିର୍ବାଚନ ଆୟୋଗ ରାଜ୍ୟସଭା ନିର୍ବାଚନକୁ ସ୍ଥଗିତ ରଖିଛନ୍ତି। ରାଜ୍ୟସଭାର ୫୫ସିଟ୍ ପାଇଁ ନିର୍ବାଚନ ହେବା ନେଇ ଘୋଷଣା କରାଯାଇଥିଲା । ସେଥିମଧ୍ୟରୁ ପ୍ରାର୍ଥୀମାନେ ୩୭ଟି ଆସନରେ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଛନ୍ତି । ବଳକା ରହିଥିବା ୧୮ଟି ଆସନ ପାଇଁ ୨୬ ମାର୍ଚ୍ଚରେ ନିର୍ବାଚନ ହେବାରେ ଥିଲା । ତେବେ ଏହାକୁ ସ୍ଥଗିତ ରଖାଯାଇଛି।
ନିର୍ବାଚନ ଆୟୋଗ ମଙ୍ଗଳବାର ଦିନ ଅନୁଷ୍ଠିତ ବୈଠକ ପରେ ରାଜ୍ୟସଭା ନିର୍ବାଚନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ଆୟୋଗ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତି ଠିକ୍ ନାହିଁ, ଯଦି ଏପରି ପରିସ୍ଥିତିରେ ନିର୍ବାଚନ ହୁଏ, ତେବେ ଭୋଟିଂ ଏଜେଣ୍ଟଙ୍କଠାରୁ ଭୋଟରଙ୍କ ସମାଗମ ହେବ । ଯାହା ଏଭଳି ସ୍ଥିତିରେ ଠିକ୍ ନୁହଁ । ଲୋକଙ୍କୁ ସବୁଆଡେ ଏକତ୍ରିତ ହେବାକୁ ରୋକାଯାଉଛି | ଏଭଳି ପରିସ୍ଥିତିରେ ନିର୍ବାଚନ ସ୍ଥଗିତ ରଖାଯାଇଛି।
ରାଜ୍ୟସଭାର ୫୫ଟି ଆସନ ମଧ୍ୟରୁ ୧୮ଟି ଆସନରେ ମତଦାନ ହେବ। ଏଥିରେ ଗୁଜୁରାଟ ଏବଂ ଆନ୍ଧ୍ରପ୍ରଦେଶରେ ୪ଟି ସିଟ୍, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ୩ଟି, ଝାଡଖଣ୍ଡରେ ୨ଟି ଏବଂ ମଣିପୁର ଏବଂ ମେଘାଳୟରେ ଗୋଟିଏ ସିଟ୍ ଅନ୍ତର୍ଭୁକ୍ତ।
ରାଜ୍ୟସଭା ନିର୍ବାଚନରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର, କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱାଲେ ଏବଂ ରାଜ୍ୟସଭା ଉପସଭାପତି ହରିବଂଶ ନାରାୟଣ ସିଂହଙ୍କ ସମେତ ୩୭ ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ମହାରାଷ୍ଟ୍ରର ୭ଜଣ, ତାମିଲନାଡୁର ୬ଜଣ, ହରିୟାଣା, ଛତିଶଗଡ ଏବଂ ତେଲେଙ୍ଗାନାର ୨ଜଣ, ଓଡିଶାର ୪ଜଣ, ବିହାର ଏବଂ ପଶ୍ଚିମବଙ୍ଗର ୫ଜଣ ଏବଂ ହିମାଚଳ ପ୍ରଦେଶର ଜଣେ ରହିଛନ୍ତି ।