ଆଜିଠୁ ପୁଣି କମ୍ପିବ ପିପିଲି, ପ୍ରଚାର ମଇଦାନକୁ ଓହ୍ଲାଇବେ ହେଭିୱେଟ୍ ନେତା

Published By : Prameya-News7 Bureau | September 20, 2021 IST

ପିପିଲି ୨୦।୦୯:  ପିପିଲି ଉପନିର୍ବାଚନ ଲାଗି ଆଜିଠୁ ଆରମ୍ଭ ହେବ ବିଧିବଦ୍ଧ ପ୍ରଚାର । ସାନି ପ୍ରଚାର ଲାଗି ବିଜେଡି ବିଜେପି ଓ କଂଗ୍ରେସ ନିଜ ନିଜ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରି ସାରିଛନ୍ତି । କୋଭିଡ କଟକଣା ଭିତରେ ହେବାକୁ ଥିବା ସାନି ପ୍ରଚାରରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିରୁ ତିନି କେନ୍ଦ୍ରମନ୍ତ୍ରୀ ଓ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ନାଁ ରହିଛି । ବଡ ବଡ ଶୋଭାଯାତ୍ରା ନକରି ଏଥର ଛୋଟ ଛୋଟ ସଭା ଓ ଡୋର ଟୁ ଡୋର କ୍ୟାମ୍ପେନ ଉପରେ ଯୋର ଦେଇଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ।କୋଭିଡ କଟକଣା ଭିତରେ ଧାର୍ଯ୍ୟ ଗାଇଡ ଲାଇନ ଅନୁସାରେ ପ୍ରଚାର କରିବାକୁ ବିଜେଡି ବିଜେପି ଓ କଂଗ୍ରେସ ନିଜ ନିଜର ସାନି ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରି ସାରିଛନ୍ତି ।

ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଧାୟକ, ମନ୍ତ୍ରୀ ଓ ସାଂସଦଙ୍କୁ ମିଶାଇ ୨୦ ଜଣ ଷ୍ଟାର କ୍ୟାମ୍ପେନର ତାଲିକାରେ ଅଛନ୍ତି । ପୂର୍ବରୁ ପିପିଲିରେ ମୁଖ୍ୟମନ୍ତ୍ରୀ ଦଳ ପାଇଁ ପ୍ରଚାର କରିସାରିଛନ୍ତି । ଏବେ କୋଭିଡ କଟକଣାରେ ପ୍ରଚାର ହେଉଥିବାରୁ ୱାଡ ୱାରୀ ବୈଠକ ଓ ଘର ଘର ବୁଲି ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ଲାଗି ଷ୍ଟାର କ୍ୟାମ୍ପେନର ଭୋଟ ପ୍ରଚାର କରିବା ନେଇ ପ୍ଲାନ କରିଛି ବିଜେଡି । ପିପିଲି ବଡ ବ୍ୟବଧାନରେ ଜିତିବା ଦଳ ପାଇଁ ଚ୍ୟାଲେଞ୍ଜ ବୋଲି ବିଜେଡି କହିଛି ।

ସେହିପରି  ପିପିଲିରେ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାରକୁ ଓହ୍ଲାଇବେ ୨୦ ଜଣିଆ ଷ୍ଟାର ପ୍ରଚାରକ। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ବିଶ୍ବେଶ୍ବର ଟୁଡୁ, ରାଜ୍ୟ ପ୍ରଭାରୀ ଡି ପୁରେନ୍ଦେଶ୍ବରୀ, ସାଂସଦ ଅପରାଜିତା ଷଡଙ୍ଗୀ, ପ୍ରତାପ ଷଡଙ୍ଗୀ, ଜୁଏଲ ଓରାମ ଓ ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସମତେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପ୍ରମୁଖ ଅଛନ୍ତି । ଗତ ସାଧାରଣ ନିର୍ବାଚନରେ ପିପିଲିରେ ବିଜେପି କମ୍ ଭୋଟ ବ୍ୟବଧାନରେ ପରାଜିତ ହୋଇଥିବାରୁ ଏଥର ଦଳ ବିଜୟୀ ହେବ ବୋଲି କହିଛି ।

ପିପିଲି ଉପନିର୍ବାଚନ ପ୍ରଚାର ଲାଗି କଂଗ୍ରେସର ପ୍ରସ୍ତୁତି । ଦଳର ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ରଙ୍କ ଲାଗି ପ୍ରଚାର କରିବାକୁ ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାରଙ୍କୁ ନେଇ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରିଛି । ତାଲିକାରେ ବିଧାୟକ ଦଳର ନେତା ନରସିଂହ ମିଶ୍ର, ବିଧାୟକ ସୁରେଶ ରାଉତରାୟ, ମହମ୍ମଦ ମୋକିମ, ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ସମେତ ଆଗଧାଡିର ନେତା ଅଛନ୍ତି । ଷ୍ଟାର ପ୍ରଚାରକ ମାନେ ପ୍ରଚାର ଘର ଘର ବୁଲି ଭୋଟରଙ୍କୁ ଭେଟିବା ଉପରେ ଗୁରୁତ୍ବ ଦେଇଛି କଂଗ୍ରେସ । ଦଳ ପିପିଲିରେ ଭଲ କରିବ ବୋଲି ଆଶା ରଖିଛି ।

ତେବେ ତିନି ଥର ତାରିଖ ଘୁଞ୍ଚିବା ପରେ ୩୦ରେ ପିପିଲି ଭୋଟ ଲାଗି ସାନି ତାରିଖ ଘୋଷଣା ହୋଇଛି । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ପିପିଲିରେ ଭଲ ପ୍ରଦର୍ଶନ କରି ଭୋଟରଙ୍କୁ ବାର୍ତ୍ତା ଦେବାକୁ ଲାଗି ପଡିବେ ରାଜ୍ୟର ତିନି ପ୍ରମ୍ମୁଖ ଦଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.