ଲିଭ୍‌ଇନ୍‌ରେ ରହୁଥିବା ୭୨ ବର୍ଷ ବୃଦ୍ଧ ଓ ୫୦ ବର୍ଷୀୟ ମହିଳାଙ୍କୁ ନିର୍ମମ ହତ୍ୟା: ସମ୍ପତ୍ତି ପାଇଁ ପୁଅ ହତ୍ୟା କରିଥିବା ସନ୍ଦେହ

Published By : Prameya-News7 Bureau | November 19, 2020 IST

ଯମୁନାନଗର ୧୯/୧୧ : ହରିୟାଣା ଯମୁନାନଗର ସାଢୋରା ବକାଲା ଗାଁରେ ଏକ ହତ୍ୟାକାଣ୍ଡକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଜଣେ ୭୨ ବର୍ଷ ବୟସ୍କ ବୃଦ୍ଧ ଓ ୫୦ ବର୍ଷ ବୟସ୍କ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ୬ ବର୍ଷ ପୂର୍ବରୁ ବୃଦ୍ଧଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇସାରିଥିଲା। ଜମିଜମା ଓ ସମ୍ପତ୍ତିକୁ ନେଇ ପୁଅ ସହ ସବୁବେଳେ ଗଣ୍ଡଗୋଳ ଲାଗି ରହିଥାଏ। ସେଥିପାଇଁ ସେ ୫୦ ବର୍ଷ ବୟସ୍କା ମହିଳାଙ୍କ ସହ ଅଲଗା ଲିଭଇନରେ ରହୁଥିଲେ। ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଟିମ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ଓ ହତ୍ୟାକାଣ୍ଡର ସୁରାକ ଖୋଜିବାକୁ ଚେଷ୍ଟା କରୁଛି। ପୋଲିସ ସବୁ ଏଙ୍ଗଲଋ ତଦନ୍ତ କରୁଛି ଏବଂ ଖୁବ ଶୀଘ୍ର ହତ୍ୟାକାରୀକୁ ଗିରଫ କରିବ ବୋଲି ଦାବି କରିଛି।

ଯମୁନାନଗର ପୋଲିସ ଅଧିକ୍ଷକ କମଲଦୀପ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବୃଦ୍ଧ ପିଡ଼ବ୍ଲୁଡ଼ି (PWD )ର ଅବସରପ୍ରାପ୍ତ କର୍ମଚାରୀ। କେହି ୭୨ ବର୍ଷ ବୟସ୍କ ରୋଶନଲାଲ ଓ ତାଙ୍କ ସହ ଲିଭଇନରେ ରହୁଥିବା ୫୦ ବର୍ଷୀୟ ପରମଜିତଙ୍କୁ ହତ୍ୟା କରି ମୃତଦେହ ରାସ୍ତାରେ ଫୋପାଡ଼ି ଦେଇଥିଲା। ଗତ ୮ ମାସ ହେଲା ଉଭୟ ସ୍ୱାମୀ-ସ୍ତ୍ରୀ ଭଳି ଏହି ଗାଁରେ ରହୁଥିଲେ। ରୋଶନଲାଲ ଓ ପରମଜିତଙ୍କ ବେକ, ମୁହଁ ଓ ମୁଣ୍ଡରେ ଅନେକ ଆଘାତ ଚିହ୍ନ ରହିଛି।

ପୋଲିସ ଗ୍ରାମବାସୀଙ୍କୁ ପଚରାଉଚୁରା କରୁଛି। କିନ୍ତୁ କେହି ବି କିଛି କହିବାକୁ ପ୍ରସ୍ତୁତ ନୁହନ୍ତି। କିନ୍ତୁ ଗାଁରେ ଚର୍ଚ୍ଚା ହେଉଛି ଯେ ରୋଶନଲାଲ ଓ ତାଙ୍କ ପୁଅ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଚାଲିଥିଲା। ବାପା-ପୁଅ ଭିତରେ ଭଲ ସମ୍ପର୍କ ନଥିଲା। ହତ୍ୟା ପଛର କାରଣ ଜମି ଓ ପେନସନ ଟଙ୍କା ହୋଇଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି। ରୋଶନଲାଲଙ୍କର ପାଖାପାଖି ୩ ଏକର ଜମି ଅଛି ଏବଂ ବ୍ୟାଙ୍କ ବାଲାନ୍ସ ମଧ୍ୟ ଅଛି। କିନ୍ତୁ ସେ ନିଜ ପୁଅକୁ ଟଙ୍କା ଦେଉନଥିଲେ। ଟଙ୍କା ଓ ଜମି ପାଇଁ ପୁଅ ବାପାକୁ ହତ୍ୟା କରିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଘଟଣା ପରେ ପୋଲିସ ରୋଶନଲାଲଙ୍କ ନାତିକୁ ହେପାଜତକୁ ନେଇ ପଚରାଉଚୁରା କରୁଛି ଯିଏ ଘରେ ଲୁଚି ରହିଥିଲା। ପଚରାଉଚୁରା ପରେ ଘଟଣାର ଖୁଲାସା ହେବ ବୋଲି ଏସପି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.