କେରଳର ଏହି ବୃଦ୍ଧ ଦମ୍ପତ୍ତି କରୋନା କବଳରୁ ହେଲେ ସୁସ୍ଥ, ଖାଦ୍ୟପେୟ ଓ ଜୀବନଶୈଳୀ ଆଗରେ ହାର୍ ମାନିଲା ଭାଇରସ୍

Published By : Prameya-News7 Bureau | April 02, 2020 IST

ଥିରୁଅନନ୍ତପୁରମ୍ ୨।୪: ସାରା ବିଶ୍ବରେ ଆତଙ୍କ ଖେଳାଇଛି କରୋନା ଭାଇରସ୍ । ଏଭଳି ପରିସ୍ଥିତିରେ ୯୩ ବର୍ଷ ବୟସ୍କ ଥାମସ୍ ଆବ୍ରାହିମ୍ ଏବଂ ତାଙ୍କ ପତ୍ନୀ ୮୮ ବର୍ଷ ବୟସ୍କ ମରିୟମା କରୋନା ଭାଇରସ୍ ସଂକ୍ରମଣରୁ ସୁସ୍ଥ ହେଉଥିବା ଡାକ୍ତରମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଉଭୟ ଗତ ମାସରେ ଇଟାଲୀରୁ ଫେରିଥିବା ପୁଅ, ବୋହୂ ଏବଂ ନାତିଙ୍କ ସଂସ୍ପର୍ଶରେ ଆସିବାରୁ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏବେ ପରିବାରର ୫ ସଦସ୍ୟ କରୋନା କବଳରୁ ମୁକ୍ତ ହୋଇଛନ୍ତି ।

ବୃଦ୍ଧ ଦମ୍ପତି ଏହି ବୟସରେ ମଧ୍ୟ ସୁସ୍ଥ ରହିବାର କାରଣ ହେଉଛି ତାଙ୍କ ଜୀବନଶୈଳୀ । ଏହା ପ୍ରକାଶ କରିଛନ୍ତି ତାଙ୍କ ନାତି ରିଜୋ ମୋନସୀ । ରିଜୋ କରିଛନ୍ତି ଯେ ୯୩ ବର୍ଷ ବୟସ୍କ ତାଙ୍କ ଜେଜେବାପା ଜିମ୍ ନଯାଇ ମଧ୍ୟ ସିକ୍ସଥ ପ୍ୟାକ୍ ବଡି କରିଛନ୍ତି । ସେ କେବେ ବି ମଦ୍ୟପାନ କରିନାହାଁନ୍ତି କି ସିଗାରେଟ୍ କୁ ହାତ ମଧ୍ୟ ଲଗାଇନାହାନ୍ତି ।

କେରଳର ପଥାନାମଥିଟ୍ଟା ଜିଲ୍ଲାରେ ରୁହନ୍ତି ଥାମସ୍ । ସେ ଜଣେ କୃଷକ । ରିଜୋଙ୍କ ଅନୁଯାୟୀ, ଜେଜେବାପା ଏବଂ ଜେଜେମା ଆଇସୋଲେସନରେ ରହିବା ବେଳେ ସାଦା ଏବଂ ପୃଷ୍ଟିକର ଖାଇବାକୁ ପସନ୍ଦ କରୁଥିଲେ । ଜେଜେବାପା ଚାଉଳର ପ୍ରସ୍ତୁତ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । ଏହା କେରଳରେ ପ୍ରସିଦ୍ଧ ଖାଦ୍ୟ ।ଏହା ଦଲିଆ ଏବଂ ଚାଉଳକୁ ମିଶାଇ ପ୍ରସ୍ତୁତ କରାଯାଏ । ଏହା ବ୍ୟତୀତ ଫଳ ଏବଂ ପନିପରିବାରୁ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିବା ବେଳେ ଜେଜେମା ମାଛ-କଡି ଖାଇବାକୁ ପସନ୍ଦ କରନ୍ତି ।

ଯେତେବେଳେ ସେମାନ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଉଭୟଙ୍କ ଅବସ୍ଥା ଗୁରୁତର ଥିଲା ବୋଲି ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର କହିଥିଲେ । ସେମାନଙ୍କ ଜୀବନ ବଞ୍ଚାଇବା ବହୁତ କଠିନ ଥିଲା । ମାତ୍ର ସେମାନେ ଧିରେ ଧିରେ ଠିକ୍ ହୋଇଥିଲେ । ଦିନେ ଦୁଇ ଦିନ ଭିତରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ଡାକ୍ତର କହିଛନ୍ତି ।

ବୃଦ୍ଧ ଦମ୍ପତ୍ତିଙ୍କ ଠିକ୍ ହେବା ପରେ କେରଳ ସରକାର ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଶଂସା କରିଥିଲେ । ଏହି ଦମ୍ପତିଙ୍କ ଚିକିତ୍ସାରେ ୭ ଡାକ୍ତର ବିଶିଷ୍ଟ ଟିମ୍ ନିୟୋଜିତ ଥିଲେ । ଏହା ବ୍ୟତୀତ ୪୦ଜଣ ମେଡିକାଲ କର୍ମଚାରୀ ଥିବାବେଳେ ସେମାନଙ୍କ ମଧ୍ୟରେ ୨୫ ଜଣ ନର୍ସ ସାମିଲ୍ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.