ତେଲକୋଇ: ବୃଦ୍ଧ ଦମ୍ପତିଙ୍କୁ ମିଳୁ ନାହଁ ଭତ୍ତା ଟଙ୍କା, ସରକାରୀ ଯୋଜନା ବାଟମଣା

Published By : Prameya-News7 Bureau | January 29, 2021 IST

ତେଲକୋଇ୨୯/୧: ସରକାରଙ୍କ ମାଳମାଳ ଯୋଜନା। ବେଳେ ବେଳେ ସରକାରୀ ଯୋଜନା ବାଟମଣା ହୋଇଯାଉଛି।ଏଥିରୁ ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଛନ୍ତି। ତେଲକୋଇ ବ୍ଲକ ଛାମୁଣ୍ଡା ପଞ୍ଚାୟତରୁ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ତେଲକୋଇ ବ୍ଲକ ଛାମୁଣ୍ଡା ଗାଁରେ ଗୋଟିଏ ବୃଦ୍ଧ ଦମ୍ପତି ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି।

ଗାଁର ଡମ୍ବରୁ ଦାସ ଓ ତାଙ୍କ ସ୍ତ୍ରୀ ରୁକ୍ମିଣୀ ଦାସ ବୟସ ଯଥାକ୍ରମେ ୮୫ ଓ ୭୫ ବର୍ଷ। ସେମାନେ ବାରମ୍ବାର ଭତ୍ତା ପାଇଁ ପଞ୍ଚାୟତ ଓ ବ୍ଲକକୁ ଦୌଡ଼ି ଦୌଡ଼ି ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କୁ ଭତ୍ତା ମିଳିପାରି ନାହିଁ । ଭୋଟର ଆଇଡରେ ଭୁଲ ତଥ୍ୟ ଯୋଗୁଁ ଭତ୍ତା ହୋଇ ନଥିବା ଜଣାପଡ଼ିଛି । ପ୍ରଥମେ ଭୋଟର ଆଇଡରେ ନାଁ ଭୁଲ ଥିବାରୁ ତାକୁ ସଂଶୋଧନ ପାଇଁ ଦିଆଯାଇଥିଲା। ସେଥିରେ ବୟସ ଠିକ ଥିଲା ତେବେ ନୂତନ ସଂଶୋଧନ ପରେ ନାଁ ଠିକ ଆସିଥିବା ବେଳେ ବୟସ କମି ଯାଇଥିଲା ଫଳରେ ଭତ୍ତା ମିଳିବା କଷ୍ଟକର ହୋଇପଡିଛି।

ଡମ୍ବରୁ ଦାସଙ୍କ ସ୍ତ୍ରୀ ରୁକ୍ମଣୀ ଅଜଣା ରୋଗରେ ପୀଡିତ ଥିବାବେଳେ ସ୍ତ୍ରୀଙ୍କ ସେବାରେ ଦିନ ତମାମ ଲାଗି ରହୁଛନ୍ତି ଡମ୍ବରୁ।ବୟସର ଅପରାହ୍ନରେ କୌଣସି କାମ କରି ପାରୁନାହାନ୍ତି ଡମ୍ବରୁ। ରାସନକାର୍ଡରେ ମିଳୁଥିବା ୧୦ କେଜି ଚାଉଳରେ ଓଳିଏ ଖାଇ, ଓଳିଏ ଉପାସରେ କାଟୁଛନ୍ତି ଏହି ବୃଦ୍ଧ ଦମ୍ପତି। ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.