ଭଲ ଫସଲ ପାଇଁ ନିଜ ପୁତୁରାକୁ ବଳି ଚଢାଇଲା ବଡବାପା !

Published By : Prameya-News7 Bureau | June 08, 2019 IST

ନୂଆପଡା ୮|୬: ଆସନ୍ତା ଋତୁରେ ଜମିରେ ଭଲ ଫସଲ ପାଇଁ ଜମିରେ ପୁତୁରାର ବଳି ଚଢାଇଲା  ବଡବାପା । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ନୂଆପଡା ଜିଲ୍ଲା କୋମନା ଥାନା ଜଡାମୁଣ୍ଡା ଗାଁରେ । ଅନ୍ଧବିଶ୍ବାସର କରୁଣ ପରିଣତି ଦେଖିବାକୁ ମିଳିଛି । ଭଲ ଫସଲ ପାଇଁ ବିଲରେ ପଶୁ ପକ୍ଷୀଙ୍କ ବଳି ଚଢାଇବା ପ୍ରଥା ରହିଛି । ତେବେ ନିଜ ପୁତୁରାକୁ ବଳି ଚଢାଇ ଗଣ୍ଡି ମୁଣ୍ଡ ଅଲଗା କରି ବିଲରେ ରକ୍ତ ଦେଇଛି ବଡବାପା ଚିନ୍ତାମଣି ମାଝୀ । ମୃତ ନାବାଳକ ହେଉଛନ୍ତି ଧନସିଂ ମାଝୀ । 

ସୂଚନା ଅନୁସାରେ ଆଜି ଚିନ୍ତାମଣି ନିଜ ଜମିରେ ବୁଲୁଥିବା ବେଳେ ପାଖ ଜମିରେ କାମ କରୁଥିବା ବଡ ପୁତୁରା ରୂପସିଂଙ୍କ ପାଇଁ ସାନ ପୁତୁରା ଧନସିଂ ପଖାଳ ନେଇଆସିଥିଲା । ସେହି ସମୟରେ ଧନସିଂକୁ ବଡବାପା ଏକ ମହୁଲ ଗଛ କାଟିବା ବାହାନାରେ ଡାକିଥିଲା । ସେଠାକୁ ଯିବାପରେ ପୂର୍ବ ଯୋଜନା ଅନୁଯାୟୀ ଆକ୍ରମଣ କରିଥିଲା ବଡବାପା । ତେବେ ଆକ୍ରମଣ କରିବା ବେଳେ ଧନସିଂ ଚିତ୍କାର କରିଥିଲା । ଏହା ଶୁଣି ବଡଭାଇ ରୂପସିଂ ଦୌଡି ଆସିଥିଲା । ସେତେବେଳକୁ ବଡବାପା ଏକ କଟୁରୀରେ  ଧନସିଂର ଗଣ୍ଡି ମୁଣ୍ଡ ଅଲଗା କରିଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ତରବୋଡ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.