ଦାଉଦର ଠିକଣା କହିଦେଲା ଏଜାଜ୍…କରାଚୀରେ ରହୁଛି , ଦୁଇଟି ଘର ଅଛି ତାର

Published By : Prameya-News7 Bureau | January 15, 2020 IST

ନୂଆଦିଲ୍ଲୀ ୧୫/୦୧- ଦାଉଦ ଇବ୍ରାହିମ କୋଉଠି ରହୁଛି ? ଭାରତୀୟ ଗୋଇନ୍ଦା, ଭାରତୀୟ ସୁରକ୍ଷା କର୍ମୀ ଏବଂ ଭାରତ ସରକାର ସମସ୍ତଙ୍କ ପାଇଁ ମୋଷ୍ଟ ୱାଣ୍ଟେଡ ଦାଉଦ ଇବ୍ରାହିମ୍ । ମୁମ୍ବାଇ ସିରିଜ ବିସ୍ଫୋରଣ ସହ ଅନେକ ସଙ୍ଗୀନ ମାମଲାରେ ତାକୁ ଖୋଜୁଛି ଭାରତ । ଦାଉଦ ନାମରେ ଇଣ୍ଟରପୋଲ୍ ବି ରେଡ କର୍ଣ୍ଣର ନୋଟିସ ଜାରି କରିସାରିଛି । ଆନ୍ତର୍ଜାତୀୟ ସମୁଦାୟ ବି ଦାଉଦକୁ ଆତଙ୍କୀ କହିସାରିଛନ୍ତି । କିନ୍ତୁ ପାକିସ୍ତାନ ନା ଦୁବାଇ , କେଉଁଠି ଦାଉଦ ଇବ୍ରାହିମ୍ ? ଅନେକ ଦେଶରେ ବିଭିନ୍ନ ଅପରାଧର ରାକେଟ ଚଳାଇଥିବା ଦାଉଦକୁ ଖୋଜା ଚାଲିଛି । ସେହି କୁଖ୍ୟାତ ଡନ୍ ତେବେ ପାକିସ୍ତାନର କରାଚୀରେ ଅଛି । ଏହି ତଥ୍ୟ ଦେଇଛି ଏକଦା ଦାଉଦର ଘନିଷ୍ଠ ଥିବା ଏଜାଜ୍ ଲାକଦେୱାଲା । କେବଳ ତଥ୍ୟ ଦେଇନି ଦାଉଦର ଠିକଣା ବି କହିଛି । ଗତ ସପ୍ତାହରେ ଗିରଫ ଏଜାଜ୍ ଭାରତୀୟ ଗୋଇନ୍ଦା ଏବଂ ପୋଲିସର ଜେରା ବେଳେ ଦାଉଦ ସଂପର୍କରେ ଦେଇଛି ଚାଞ୍ଚଲ୍ୟକର ସୂଚନା ।

ଦାଉଦ ଇବ୍ରାହିମ ବର୍ତ୍ତମାନ ପାକିସ୍ତାନର ବନ୍ଦର ସହର କରାଚୀରେ ରହୁଛି । କରାଚୀର ଦୁଇଟି ଘରେ ସେ ଭିନ୍ନ ଭିନ୍ନ ସମୟରେ ଅବସ୍ଥାନ କରୁଛି । ପାକିସ୍ତାନର ବାଣିଜ୍ୟିକ ରାଜଧାନୀ କୁହାଯାଉଥିବା କରାଚୀ ହିଁ ହୋଇଛି ଦାଉଦର କଣ୍ଟ୍ରୋଲ ଅଫିସ ।ଏହିଠାର ସେ ତାର ଅପରାଧ ସିଣ୍ଡିକେଟ୍, ଗ୍ୟାଙ୍ଗ୍ ଏବଂ କାରବାର ନିୟନ୍ତ୍ରଣ କରୁଛି । ଏଜାଜ୍ ଅନେକ ତଥ୍ୟ ଦେଇଥିଲେ ବି  ତାହାକୁ ଗୋପନ ରଖିଛି ମୁମ୍ବାଇ କ୍ରାଇମବ୍ରାଞ୍ଚର ଆଣ୍ଟି ଏକ୍ସଟୋରେସନ ସେଲ୍ ଟିମ୍ । ତେବେ କରାଚୀରେ  ଦୁଇଟି ଘରେ ହିଁ କଡା ସୁରକ୍ଷାରେ ରହୁଛି ଦାଉଦ । ତାର ନିଜସ୍ୱ ସୁରକ୍ଷାକାରୀ ଏବଂ ବିଶ୍ୱସ୍ତ ଲୋକଙ୍କ ବ୍ୟତୀତ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସଆଇ ମଧ୍ୟ ତାକୁ ସୁରକ୍ଷା ଦେଉଥିବା ଜଣାଯାଇଛି । କରାଚୀରୁ ଦାଉଦ ଆଉ କେଉଁଆଡେ ଯାଉ ବି ନାହିଁ । ଏହି ସୂଚନା ବ୍ୟତୀତ ଦାଉଦର କାରବାର, ସୁରକ୍ଷାଦାତା ଏବଂ ବିଭିନ୍ନ ଲିଙ୍କ୍ ନେଇ ମଧ୍ୟ ଏଜାଜ୍ ଠାରୁ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ  କିଛି ଠୋସ୍ ସୂଚନା ପାଇଥିବା ଆଶା କରାଯାଉଛି ।

 ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଗତ ସପ୍ତାହରେ ଫେରାର ଡନ୍ ଏଜାଜ୍ ଲାକଦେୱାଲାକୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଗିରଫ କରିଥିଲା । ତାହାର କିଛି ଦିନ ପୂର୍ବରୁ ଜାଲ ଠିକଣାର ପାସ ପୋର୍ଟରେ ବିଦେଶ ଯିବାକୁ ଉଦ୍ୟମ କରୁଥିବା ବେଳେ ଏଜାଜର ଝିଅକୁ ଗିରଫ କରିଥିଲା ମୁମ୍ବାଇ କ୍ରାଇମ ବ୍ରାଞ୍ଚ । ଦାଦାବଟି, ଧମକ, ହତ୍ୟା ଉଦ୍ୟମ, ଦଙ୍ଗା ଆଦି ମାମଲାରେ ପୋଲିସ ଲାଗି ୱାଣ୍ଟେଡ ଥିଲା ଏଜାଜ୍ ଲାକଦେୱାଲା । ତା ନାଁରେ ବି ପୂର୍ବରୁ ରେଡ କର୍ଣ୍ଣର ନୋଟିସ ଜାରି ହୋଇଥିଲା । ଏଜାଜ୍ ପୂର୍ବରୁ ଦାଉଦ ଇବ୍ରାହିମ ଏବଂ ଛୋଟା ରାଜନଙ୍କ ସହଯୋଗୀ ଥିଲା । ସେ ଦାଉଦ ଗ୍ୟାଙ୍ଗର ଛତିଲା ଜଣେ ପ୍ରମୂଖ ସଦସ୍ୟ  । କିନ୍ତୁ ମତାନ୍ତର ହେବାରୁ ସେ ଦୀର୍ଘ ବର୍ଷ ହେଲା ଅଲଗା ହୋଇ ନିଜର ଗ୍ୟାଙ୍ଗ୍ ଗଠନ କରି ଅପରାଧ କରୁଥିଲା । ତେବେ ସେ ବେଶି ସମୟ ବିଦେଶରେ ହିଁ ରହୁଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.