ଏଜାଜ ପଟେଲଙ୍କ ରେକର୍ଡ : ଗୋଟିଏ ଇନିଂସରେ ସବୁ ଭାରତୀୟ ବ୍ୟାଟସମ୍ୟାନଙ୍କୁ କଲେ ଆଉଟ୍

Published By : Prameya-News7 Bureau | December 04, 2021 IST

ମୁମ୍ବାଇ, ୦୪/୧୨:    ଏଜାଜ ପଟେଲଙ୍କ ରେକର୍ଡ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ମୁମ୍ବାଇ ଟେଷ୍ଟରେ ୧୦ଟି ଓ୍ୱିକେଟ୍ ନେଇଛନ୍ତି ଏଜାଜ । ସେ ସମସ୍ତ ଭାରତୀୟ ବ୍ୟାଟରଙ୍କୁ ଦେଖାଇଛନ୍ତି ପ୍ୟାଭିଲିୟନର ରାସ୍ତା ।

ମୁମ୍ବାଇ ଓ୍ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ । ପ୍ରଥମ ଟେଷ୍ଟ ଡ୍ର ରହିଥିବା ବେଲେ ଦ୍ୱିତୀୟ ଟେଷ୍ଟ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ତେବେ ପ୍ରଥମ ଇନିଂସରେ ଭାରତର ସବୁ ବ୍ୟାଟସମ୍ୟାନଙ୍କ ଓ୍ୱିକେଟ୍ ନେଇଛନ୍ତି ଏଜାଜ ପଟେଲ ।

ମୟଙ୍କ ଅଗ୍ରଓ୍ୱାଲଙ୍କଠୁ ଆରମ୍ଭ କରି ଶୁଭମନ ଗିଲ୍, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅକ୍ଷର ପଟେଲ, ଆର ଅଶ୍ୱିନ, ଶ୍ରେୟସ ଆୟର, ରିଦ୍ଧମାନ ଶାହ, ଉମେଶ ଯାଦବ ଓ ମହମ୍ମଦ ସିରାଜଙ୍କୁ ଆଉଟ୍ କରିଛନ୍ତି ଏଜାଜ । ସବୁଠାରୁ ବଡ କଥା ହେଲା ଯେ ତାଙ୍କ ବଲିଂରେ ୪ ଜଣ ବ୍ୟାଟସମ୍ୟାନ୍ ବିନା କୌଣସି ରନରେ ଆଉଟ୍ ହୋଇଛନ୍ତି ଯ ଯେଉଁଥିରେ ବିରାଟ କୋହଲି ରହିଛନ୍ତି ।

ଏଜାଜ ପଟେଲ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରିବାର ୧୯୯୬ରେ ନ୍ୟୁଜିଲାଣ୍ଡ ଚାଲିଯାଇଥିଲେ । ସେଠାରେ ସେମାନେ ନାଗରିକତା ଗ୍ରହଣ କରିଥିଲେ । ତେବେ ଏଜାଜ ହେଉଛନ୍ତି ଟେଷ୍ଟ କ୍ରିକେଟରେ ତୃତୀୟ ବୋଲର ଯିଏ କି ସମସ୍ତ ବ୍ୟାଟସମ୍ୟାନଙ୍କୁ ଆଉଟ୍ କରିଛନ୍ତି । ତାଙ୍କ ପୂର୍ବରୁ ଅନିଲ କୁମ୍ବଲେ ଓ ଇଂଲଣ୍ଡର ଜେସି ଲାକେର ଏହି କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି ।

ସୂଚନାଯୋଗ୍ୟ, ମୁମ୍ବାଇ ଟେଷ୍ଟରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୨୫ ରନରେ ଅଲଆଉଟ୍ ହୋଇଛି । ଦଳ ପକ୍ଷରୁ ମୟଙ୍କ ଅଗ୍ରଓ୍ୱାଲ ସର୍ବାଧିକ ୧୫୦ ରନ୍ କରିଥିଲେ । ସେହିପରି ଅକ୍ଷର ପଟେଲ ୫୨ ରନ୍ କରିଥିଲେ । ଶେଷ ଖବର ସୁଦ୍ଧା ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୪ ଓ୍ୱିକେଟ୍ ହରାଇ ୩୦ ରନ୍ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.