ନିଜ ଦଳର ନେତାଙ୍କୁ ତେଜପ୍ରତାପଙ୍କ ଚ୍ୟାଲେଞ୍ଜ, କହିଲେ- ମୋତେ ଆରଜେଡିରୁ ବାହାର କରିବା ପାଇଁ କାହାର ଦମ୍‌ ନାହିଁ

Published By : Prameya-News7 Bureau | October 11, 2021 IST

ପାଟନା ୧୧/୧୦: ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ଏବେ ଖୋଲମଖୋଲା ଆରଜେଡି ନେତାଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି। ପାଟନାରେ ଜେପି ଜୟନ୍ତୀ ଅବସରରେ ଜନଶକ୍ତି ଯାତ୍ରାର ଶୁଭାରମ୍ଭ କରିଛନ୍ତି ତେଜପ୍ରତାପ । ଏହି ସମୟ​‌ରେ ସେ ମିଡିଆକୁ ସିଧାସଳଖ କହିଛନ୍ତି, ମୁଁ ଜେପିଙ୍କ ଅନୁଗାମୀ, କୃଷ୍ଣ ଭକ୍ତ। ଆରେଜିଡିରୁ ମୋତେ ବାହାର କରିବା ପାଇଁ କାହା ପାଖରେ ଦମ୍‌ ନାହିଁ।

ନିକଟରେ ଆରଜେଡିର ବରିଷ୍ଠ ନେତା ଶିବାନନ୍ଦ ତିଓ୍ବାରୀ ତେଜପ୍ରତାପଙ୍କୁ ପାର୍ଟିରୁ ବହିଷ୍କାର କରିବାକୁ ନେଇ ବୟାନ ଦେଇଥିଲେ। ଏହା ପରେ ଆଜି ତେଜପ୍ରତାପ ରୋକଠୋକ ଜବାବ ଦେବା ସହ ନିଜର ଯାତ୍ରା ଆରମ୍ଭ କରିଛନ୍ତି। ଜନଶକ୍ତି ଯାତ୍ରା ଅବସରରେ ତେଜପ୍ରତାପ ଆହୁରି କହିଛନ୍ତି, ‘ ଦେଶ ପୁଣି ଥରେ ଖରାପ ସମୟ ଦେଇ ଗତି କରୁଛି। ​ତେଣୁ ଆମେ ଜେପିଙ୍କ ପଦାଙ୍କ ଅନୁସରଣ କରୁଛୁ। ଚାରିଆଡେ ଅରାଜକତା । ଛାତ୍ରଙ୍କ ସହ ଅନ୍ୟାୟ ହେଉଛି। ଏହି ଯାତ୍ରା ମାଧ୍ୟମରେ ଆମେ ସରକାରଙ୍କ ନିଦ ଭାଙ୍ଗିବାକୁ ଚେଷ୍ଟା କରୁଛୁ।’

ସେପଟେ ଆଜି ଜନଶକ୍ତି ଯାତ୍ରାକୁ ନେଇ ବଡ଼ ଭାଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ତେଜସ୍ବୀ ଯାଦବ। ଯଦିଓ ତେଜସ୍ବୀ ତେଜପ୍ରତାପଙ୍କୁ ଶୁଭକାମନା ଦେଇଛନ୍ତି କିନ୍ତୁ ଦୁଇ ଭାଇଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି। ତେଜପ୍ରତାପ ଲାଗତାର ନିଜ ସାନ ଭାଇ ତେଜସ୍ବୀ ଯାହାଙ୍କୁ ସେ କୃଷ୍ଣ ବୋଲି ସମ୍ବୋଧନ କରନ୍ତି ତାଙ୍କୁ ଟାର୍ଗେଟ କରୁଛନ୍ତି। କିନ୍ତୁ ତେଜସ୍ବୀ ତେଜପ୍ରତାପଙ୍କଙ୍କୁ ଖୋଲା ଜବାବ ଦେଉ ନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.