ନିର୍ଦ୍ଦୟ ମାଲିକ ; ପାରା ପାଇଁ ୮ ବର୍ଷର ଝିଅକୁ ପିଟି ପିଟି ନିର୍ମମ ହତ୍ୟା
14/06/2020 at 2:52 PM

ରାୱଲପିଣ୍ଡି ୧୪।୦୬: ପାକିସ୍ତାନରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସେଠାରେ କିଛି ପୋଷା ପାରାଙ୍କୁ ଛାଡି ଦେଇଥିବାରୁ ଏକ ୮ ବର୍ଷୀୟା ବାଳିକାକୁ ପିଟି ପିଟି ହତ୍ୟା କରାଯାଇଛି । ଜାହରା ଶାହ ନାମ୍ନୀ ଏହି ବାଳିକାଟିକୁ ଜଣକ ଘରେ କାମ କରିବା ପାଇଁ ନିୟୋଜିତ କରାଯାଇଥିଲା । ଘରର ମାଲିକ ହାସନ ସିଦ୍ଦିକ ଝିଅର ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେମାନେ ତା’ର ପାଠପଢ଼ା ପାଇଁ ବ୍ୟବସ୍ଥା କରିବେ ।
କିନ୍ତୁ କିଛି ସପ୍ତାହ ତଳେ ଝିଅଟି ଉକ୍ତ ବ୍ୟକ୍ତିଙ୍କ ଘରେ ରଖାଯାଇଥିବା କିଛି ପୋଷା ପାରାଙ୍କୁ ଛାଡି ଦେଇଥିଲା । ପ୍ରକୃତରେ ଝିଅଟି ପଞ୍ଜୁରୀ ଭିତରେ ଖାଦ୍ୟ ରଖିବା ପାଇଁ ତା’ର ଦ୍ୱାରକୁ ଖୋଲିଥିଲାବେଳେ ପାରାମାନେ ଖସି ପଳାଇଥିଲେ । ଏହି ଘଟଣାରେ କ୍ଷୁବ୍ଧ ହୋଇ ଘର ମାଲିକ ଏବଂ ତାଙ୍କ ପତ୍ନୀ ତା’କୁ ନିର୍ଧୂମ ପିଟିବା ଆରମ୍ଭ କରିଥିଲେ । ଏହାଯୋଗୁ ସେ କ୍ଷତାକ୍ତ ଓ ରକ୍ତାକ୍ତ ହୋଇପଡିଥିଲା । ତା’ ପରେ ଘର ମାଲିକ ତା’କୁ ନେଇ ସ୍ଥାନୀୟ ହସ୍ପିଟାଲକୁ ଯାଇଥିଲେ କିନ୍ତୁ ସେଠାରେ ଝିଅଟିର ଚିକିତ୍ସା ଚାଲିଥିଲାବେଳେ ସେ ସେଠାରୁ ଖସି ପଳାଇଥିଲେ । ଏହାପରେ ହସ୍ପିଟାଲ ତରଫରୁ ପୁଲିସକୁ ଏନେଇ ସୂଚନା ଦିଆଯାଇଥିଲା । ଜୁନ୍ ୧ରେ ଝିଅଟିର ମୃତ୍ୟୁ ହୋଇଥିଲା । ଏହି ଘଟଣା ପାକିସ୍ତାନରେ ଆଲୋଡନ ସୃଷ୍ଟି କରିଥିଲା ଏବଂ ଉକ୍ତ ଶିଶୁଟିକୁ ନ୍ୟାୟ ଦେବା ପାଇଁ ବିଭିନ୍ନ ମହଲରୁ ଦାବି ଉଠିଥିଲା । ପାକିସ୍ତାନର ପୁଲିସ ଇତିମଧ୍ୟରେ ଉକ୍ତ ବ୍ୟକ୍ତି ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି । ଉଭୟଙ୍କର ଲାଇ ଡିଟେକ୍ଟର ଟେଷ୍ଟ କରାଯିବାକୁ ଧାର୍ଯ୍ୟ ହୋଇଛି ।