ଦୀପାବଳିରେ ହୃଦୟ ବିଦାରକ ଘଟଣା : ବିଷାକ୍ତ ମଦ ପିଇ ୮ଜଣଙ୍କ ମୃତ୍ୟୁ ! ସାଂଘାତିକ ଅଭିଯୋଗ ଆଣିଲେ ପରିବାର ଲୋକେ

Published By : Prameya-News7 Bureau | November 04, 2021 IST

ପାଟନା ୦୪/୧୧ : ବିହାରରେ ମଦ ବିକ୍ରି ଏବଂ ପିଇବା ଉପରେ ସମ୍ପୂର୍ଣ୍ଣ ଭାବେ କଟକଣା ଲଗାଯାଇଛି । କିନ୍ତୁ ବେଆଇନ ଭାବେ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ବିହାରର ପଶ୍ଚିମ ଚମ୍ପାରଣରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ବିଷାକ୍ତ ମଦ ପିଇ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ପ୍ରଶାସନ ପକ୍ଷରୁ ମୃତ୍ୟୁ ବାବଦରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । କିନ୍ତୁ ମୃତକଙ୍କ ପରିବାର ଲୋକଙ୍କ କହିବା କଥା ଯେ ମଦ ପିଇବା​‌ ପରେ ହିଁ ସେମାନେ ଗୁରୁତର ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ସମସ୍ତ ମୃତକ ଗୌତମ ଥାନା ଅନ୍ତର୍ଗତ ଦକ୍ଷିଣୀ ତେଲହୁଆ ଗାଁର ବୋଲି ଜଣାପଡିଛି ।

ମୃତକଙ୍କ ପରିବାର ଲୋକଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ, ବୁଧବାର ସନ୍ଧ୍ୟାରେ ମଦ ପିଇବା ପରେ ହଠାତ୍‌ ତାଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲା । ତୁରନ୍ତ ହସ୍ପିଟାଲକୁ ନିଆଯାଉଥିବା ବେଳେ ରାସ୍ତାରେ ହିଁ ମୃତ୍ୟୁ ଘଟିଥିଲା । ଆଉ ଜଣେ ମୃତକଙ୍କ ପରିବାର ମଧ୍ୟ ସମାନ କଥା କହିଛନ୍ତି । କିନ୍ତୁ ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ । ପରିବାର ଲୋକେ ବିଷାକ୍ତ ମଦ ଜନୀତ ମୃତ୍ୟୁ ଯୋଗୁଁ ସହାୟତା ରାଶି ପ୍ରଦାନ କରିବାକୁ ଦାବି କରିଛନ୍ତି ।

ଘଟଣାକୁ ନେଇ ପୋଲିସ କହିଛଇ ଯେ, ମାମଲାର ତଦନ୍ତ ଜାରି ରହିଛି । ପ୍ରକୃତରେ କେଉଁ କାରଣ ପାଇଁ ଏବଂ କେଉଁ ପରିସ୍ଥିତିରେ ୮ ଜଣଙ୍କର ମୃତ୍ୟୁ ହେଲା ସେ ନେଇ ତଦନ୍ତ ଜାରି ରହିଛି । କେବଳ ୩ ଜଣଙ୍କର ମଦ ଜନୀତ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରାଯାଇଛି । ଅନ୍ୟ ୫ ଜଣଙ୍କର ମୃତ୍ୟୁ ବାବଦରେ ସ୍ପଷ୍ଟ ଜଣାପଡି ନାହିଁ ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇ ମାସରେ ପଶ୍ଚିମ ଚମ୍ପାରଣରେ ବିଷାକ୍ତ ମଦ ପିଇ ୧୬ ଜଣଙ୍କର ମୃତ୍ୟୁ ଘଟିଥିଲା । ଘଟଣାକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.