ଚୀନ ବିରୋଧରେ ଖୋଲିଲା ବଡ ମୋର୍ଚ୍ଚା, ଆମେରିକା ସହିତ ହାତ ମିଳାଇଲେ ୭ ଦେଶ

Published By : Prameya-News7 Bureau | June 06, 2020 IST

ବେଜିଂ/ଓ୍ଵାଶିଂଟନ ୦୬।୦୬: କରୋନା ଭାଇରସ୍‌, ଦକ୍ଷିଣ ଚୀନ ସାଗର ଓ ହଂକଂକୁ ନେଇ ଚୀନ ପୂରା ଦୁନିଆର ଟାର୍ଗେଟ୍‌ରେ ରହିଛି। ଅନ୍ୟପଟେ ଭାରତ ସହିତ ଲଦାଖ ପୂର୍ବ ସୀମାନ୍ତରେ ଜାରି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଉପରେ ମଧ୍ୟ ଦୁନିଆର ନଜର ରହିଛି। ଏମିତି ସମୟରେ ଆମେରିକା ସମେତ ୮ ଦେଶ ଚୀନର ଉପସ୍ଥିତିକୁ ବିଶ୍ଵ ବଜାର, ସୁରକ୍ଷା ଏବଂ ମାନବାଧିକାର ପାଇଁ ବିପଦ ମଣି ଏକ ମେଣ୍ଟ ଗଠନ କରିଛନ୍ତି। ଏହାର ନାମ ଇଣ୍ଟର ପାର୍ଲାମେଣ୍ଟାରୀ ଅଲାୟନ୍ସ ଅନ ଚାଇନା(IPAC) ରହିଛି। ଏହାକୁ ନେଇ ଚୀନ ପ୍ରତିକ୍ରିୟାଶୀଳ ହୋଇ ଉଠିଛି। ଚୀନରେ ଏହି ସଂଗଠନକୁ ଫର୍ଜି ବୋଲି କୁହାଯାଇଛି। ଚୀନ କହିଛି ଯେ, ଏବେ କୌଣସି ଦେଶ ତାକୁ ହଇରାଣ କରି ପାରିବେ ନାହିଁ। ପାଶ୍ଚାତ୍ୟ ଦେଶର ନେତାଙ୍କୁ ଶୀତଳ ଯୁଦ୍ଧ ଚିନ୍ତାଧାରାରୁ ବାହାରିବା ଉଚିତ୍।

ବ୍ଲୁମର୍ଗର ରିପୋର୍ଟ ଅନୁଯାୟୀ, ଶୁକ୍ରବାର IPAC ଲଞ୍ଚ କରାଯାଇଛି। ଏଥିରେ ଆମେରିକା, ଜର୍ମାନୀ, ବ୍ରିଟେନ୍‌, ଜାପାନ, ଅଷ୍ଟ୍ରେଲିଆ, କାନାଡା, ସ୍ଵିଡେନ୍, ନରଓ୍ଵେ ଓ ୟୁରୋପର ସଂସଦର ସଦସ୍ୟ ସାମିଲ। ଏହି ସଂଗଠନର ଉଦ୍ଦେଶ୍ୟ ଚୀନ ସମ୍ବନ୍ଧିତ ପ୍ରସଙ୍ଗ ଉପରେ ସକ୍ରିୟତା ସହ ରଣନୀତି ତିଆରି କରି ସହଯୋଗ ସହିତ ଉଚିତ୍ ପ୍ରତିକ୍ରିୟା ଦେବା। ଚୀନର ସମାଲୋଚକ ଓ ଆମେରିକାର ରିପବ୍ଲିକନ ପାର୍ଟିର ସିନେଟର ମାର୍କୋ ରୁବିଓ IPACର ସହ ସଭାପତି ଅଛନ୍ତି।

ରୁବିଓ କହିଛନ୍ତି, କମ୍ୟୁନିଷ୍ଟ ପାର୍ଟି ଶାସନ କାଳରେ ଚୀନ ବିଶ୍ଵରେ ପ୍ରତିଦ୍ଵନ୍ଦିତାମୂଳକ ପରିସ୍ଥିତି ସୃଷ୍ଟି କରୁଛି। ଚୀନ ବିରୋଧରେ ଯେଉଁ ଦେଶ ଛିଡା ହେଉଛି ତାକୁ ଏକାକୀ କରି ଦିଆଯାଉଛି ଏବଂ ଉକ୍ତ ଦେଶକୁ ବହୁମୂଲ୍ୟ ଦେବାକୁ ପଡୁଛି। କରୋନା ସଂକ୍ରମଣ ବ୍ୟାପିବା ପରେ ଚୀନ ଓ ଆମେରିକା ମଧ୍ୟରେ ସଂପର୍କରେ ତିକ୍ତତା ବଢିବାରେ ଲାଗିଛି। ଯାହାର ପ୍ରଭାବ ବାଣିଜ୍ୟ ଓ ଗମନାଗମନ ଉପରେ ମଧ୍ୟ ପଡିଛି।

{"id":282225,"sizeSlug":"large"}

ଚୀନରେ ବିଶ୍ଵର ଏହି ଦେଶଗୁଡିକ ପକ୍ଷରୁ ଉଠାଯାଇଥିବା ଏହି ପଦକ୍ଷେପର ତୂଳନା ୧୯୦୦ ଦଶନ୍ଧିରେ ବ୍ରିଟେନ୍, ଆମେରିକା, ଜର୍ମାନୀ, ଫ୍ରାନ୍ସ, ରୁଷ, ଜାପାନ, ଇଟାଲୀ ଓ ଅଷ୍ଟ୍ରେଲିଆ-ହଙ୍ଗେରୀର ୮ ନେସନ ଆଲାୟନ୍ସ ସହ କରାଯାଉଛି। ଚୀନର ସରକାରୀ ଖବର କାଗଜ ଗ୍ଲୋବାଲ୍ ଟାଇମ୍ସ ଅନୁଯାୟୀ ଏହି ଦେଶଗୁଡିକର ସେନା ବେଜିଂ ଓ ଅନ୍ୟ ସହରରେ ଲୁଟ୍‌ପାଟ୍‌ କରିଥିଲେ ଏବଂ ସାମାଜ୍ର୍ୟବାଦ୍ ବିରୋଧରେ ଚାଲିଥିବା ଏହେତୁଆନ ଆନ୍ଦୋଳନକୁ ଚପାଇବାକୁ ଚେଷ୍ଟା କରିଥିଲେ।

ବେଜିଂରେ ଚାଇନା ବୈଦେଶିକ ମନ୍ତ୍ରଣାଳୟର ବିଶେଷଜ୍ଞ ଲି ହାଏଡଙ୍ଗ କହିଛନ୍ତି ଚୀନ ଏବେ ୧୯୦୦ ଦଶନ୍ଧି ପରି ରହି ନାହିଁ। ତାକୁ ଏବେ କୌଣସି ଦେଶ ହଇରାଣ କରି ପାରିବେ ନାହିଁ। ଲିଙ୍କ କହିବା କଥା ଆମେରିକା ନିଜର ଚୀନ ବିରୋଧୀ ଆଭିମୁଖ୍ୟରେ ଅନ୍ୟ ଦେଶକୁ ମଧ୍ୟ ସାମିଲ କରିବାକୁ ଚାହୁଁଛି। ପଶ୍ଚିମରେ ଚୀନ ବିରୋଧରେ ମାହୋଲ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି, ଯଦ୍ଵାରା ଆମେରିକାକୁ ଫାଇଦା ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.