ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ଗୋଟିଏ ପରିବାରର ୮ ଜୀବନ

Published By : Prameya-News7 Bureau | January 27, 2021 IST

ଜୟପୁର, ୨୭/୧: ରାଜସ୍ଥାନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୮ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜୟପୁର-କୋଟା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ତୀବ୍ର ଗତିରେ ଆସୁଥିବା ଗୋଟିଏ ଟ୍ରକ ଆଗରେ ଯାଉଥିବା ଏକ କାରକୁ ଧକ୍କା ମାରିଥିଲା । ଯେଉଁଥିରେ କାରରେ ବସିଥିବା ୮ ଜଣ ଲୋକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ପାଞ୍ଚଜଣ ଲୋକ ଗଭୀର ଭାବେ ଆହାତ ହୋଇଥିଲେ । ଆହାତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ସ୍ଥିତି ଜଟିଳ ହେବାରୁ ସେମାନଙ୍କୁ ଜୟପୁରକୁ ରେଫର୍ କରିଯାଇଥିବା ଜଣାପଡ଼ିଛି ।

ତେବେ ଏହି କାରଟିରେ ଯାଉଥିବା ସମସ୍ତ ଲୋକ ମଧ୍ୟପ୍ରଦେଶ ରାଜଗଢ଼ ଜିଲ୍ଲାର ଜିରାପୁର ଗ୍ରାମର ହୋଇଥିବା ଜଣାପଡ଼ିଛି । ସେମାନେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ ଅଟନ୍ତି । ଖାଟୁ ଶ୍ୟାମ୍ ଜିଙ୍କ ଦର୍ଶନ ସାରି ସମସ୍ତେ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା ।

ଏହି ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍ କରି ମୃତକଙ୍କ ପାଇଁ ଶୋକ କରିବା ସହ ତାଙ୍କ ପରିବାରକୁ ଏହି ଦୁଃଖ ସହିବା ପାଇଁ ଇଶ୍ୱର ଶକ୍ତି ଦିଅନ୍ତୁ ବୋଲି ଲେଖିଛନ୍ତି । ଏହାଛଡ଼ା ଆହାତଙ୍କ ଶିଘ୍ର ଆରୋଗ୍ୟ କାମନା ମଧ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.