ଓଡିଶାରେ ମେ ୧୪ରେ ପାଳନ ହେବ 'ଇଦ୍‌' ପର୍ବ, ଘୋଷଣା କଲା କମିଟି

Published By : Prameya-News7 Bureau | May 12, 2021 IST

କଟକ ୧୨।୦୫:  ଓଡିଶାରେ ୧୪ ତାରିଖରେ ପାଳନ ହେବ ପବିତ୍ର 'ଇଦ୍‌' ପର୍ବ। ଅଞ୍ଜୁମାନ ଇସଲାମିଆ ଏହଲେ ସୁନତ ଅଲ ଜମାତ ଚାନ୍ଦ କମିଟି ପକ୍ଷରୁ ଏହାର ଘୋଷଣା କରାଯାଇଛି। ଶୁକ୍ରବାର ଦିନ ସମଗ୍ର ଓଡ଼ିଶାରେ ପାଳନ ହେବ ଇସଲାମ ଧର୍ମାବଲମ୍ବୀଙ୍କ ଇଦ୍ ପର୍ବ। ଦେଶର କୌଣସି ସ୍ଥାନରେ ଚାନ୍ଦ ଦେଖାଯାଇ ନ ଥିବାରୁ ଆସନ୍ତା ଶୁକ୍ରବାର ଦିନ ଇଦ୍ ପର୍ବ ପାଳନ କରାଯିବ ବୋଲି କମିଟି ପକ୍ଷରୁ ଘୋଷଣା କରାଯାଇଛି।

କୋଭିଡ୍ କଟକଣା ମଧ୍ୟରେ ମସଜିଦ୍‌ରେ ନମାଜ ପାଠ ହେବ। ମସଜିଦ୍‌ରେ ସମୂହ ନମାଜ ପାଠ କରାଯିବ ନାହିଁ। ଇମାନଙ୍କ ସହ କେବଳ ୫ ଜଣ ନମାଜ ପାଠ କରିବେ। କମିଟିର ସଭାପତି ମହମ୍ମଦ ଅବଦ୍ଦୁଲ ଆହେଦ ଏହାର ଘୋଷଣା କରିଛନ୍ତି।

ସାଧାରଣତଃ ସାଉଦି ଆରବରେ ଚାନ୍ଦ ଦେଖାଯିବାର ଦ୍ଵିତୀୟ ଦିନ ଭାରତରେ ଚାନ୍ଦ ରାତିର ପରମ୍ପରା ରହିଛି। ଏହି ଦୃଷ୍ଟିରୁ ଇଦ ସାଉଦି ଆରବରେ ମେ ୧୩ରେ ପାଳନ କରାଯାଉଛି। ଏଥିପାଇଁ ଭାରତରେ ଏହାର ଗୋଟିଏ ଦିନ ପରେ ଅର୍ଥାତ ମେ ୧୪ରେ ପବିତ୍ର ଇଦ୍ ପର୍ବ ପାଳନ କରାଯିବ। ରମଜାନ ମାସର ୩୦ ରୋଜା ପରେ ବା ୩୦ ଦିନ ପରେ ଏହି ପବିତ୍ର ମାସ ସମାପ୍ତ ହୋଇଥାଏ। ଏହାର ପରବର୍ତ୍ତୀଦିନ ଇଦ୍ ପାଳନ କରାଯାଏ।

ଇଦ ଉଲ ଫିତର ଦିନ  ସକାଳୁ ଲୋକେ ନୂତନ ପୋଷାକ ପରିଧାନ କରି ନମାଜ ପାଠ କରି ଶାନ୍ତି ଏବଂ ସମୃଦ୍ଧିର ଦୁଆ ମାଗନ୍ତି। ପରସ୍ପରକୁ ଆଲିଙ୍ଗନ କରି ଭାଇଚାରା ବାଣ୍ଟନ୍ତି। ଏହି ଦିନ ମୁସଲମାନ ସଂପ୍ରଦାୟରେ ଭିନ୍ନ ଭିନ୍ନ ପ୍ରକାରର ମିଷ୍ଟାନ ପ୍ରସ୍ତୁତ କରାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.