ଲକ୍ସରରୁ ମିଳିଥିବା ପ୍ରାଚୀନ ‘ମମ୍ମି’ ଗୁଡିକର ତଥ୍ୟ ଉଜାଗର କଲେ ଇଜିପ୍ଟ ସରକାର, ଜାଣନ୍ତୁ କ’ଣ କହିଛନ୍ତି ପ୍ରତ୍ନତତ୍ୱ ମନ୍ତ୍ରାଳୟ
20/10/2019 at 8:22 PM

କାଇରୋ: ଦକ୍ଷିଣ ଇଜିପ୍ଟର ଲକ୍ସର ସହରରୁ ମିଳିଥିବା ମମ୍ମିଗୁଡିକର ତଥ୍ୟ ଉଜାଗର କରିଛନ୍ତି ଇଜିପ୍ଟ ପ୍ରତ୍ନତତ୍ୱ ଅଧିକାରୀ। ସୁପ୍ରିମ କାଉନସିଲ ଅଫ ଏଣ୍ଟିକ୍ସର ଜେନେରାଲ ସେକ୍ରେଟାରୀ ମୁସ୍ତାଫା ୱଜୀର ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ଏହାକୁ ଦେଶରେ ଏପର୍ଯ୍ୟନ୍ତ ସବୁଠାରୁ ବଡ ପ୍ରତ୍ନତାତ୍ୱିକ ଅନୁସନ୍ଧାନ ବୋଲି କହିଛନ୍ତି। କାଠରେ ନିର୍ମିତ ଏହି ମମ୍ମିଗୁଡିକ ୯୪୫ରୁ ୭୧୫ ଖ୍ରୀଷ୍ଟପୂର୍ବର ହୋଇଥିବା ବେଳେ ଏହା ୨୨ତମ ରାଜବଂଶର ବୋଲି ଏଥିରେ ଥିବା ଚିତ୍ର ଓ ଶିଳାଲେଖରୁ ଜଣାପଡିଥିବା କହିଛନ୍ତି।

୧୮ଟି କାଠରେ ନିର୍ମିତ କଫିନରେ ମୋଟ ୩୦ଟି ମମ୍ମି ଥିଲା। ଏଥିରୁ ୨୩ଜଣ ବୟସ୍କ ପୁରୁଷଙ୍କର ହୋଇଥିବା ବେଳେ ୫ ଜଣ ବୟୋଜ୍ୟେଷ୍ଠା ମହିଳା ଓ ୨ଟି ଶିଶୁଙ୍କ ମମ୍ମି ରହିଛି। ସମସ୍ତେ ରାଜବଂଶ ସଦସ୍ୟ ହୋଇଥିବା ସେକ୍ରେଟାରୀ ଜେନେରାଲ ଶିଳା ଓ ଚିତ୍ର ଲେଖା ସୂଚନା ଆଧାରରେ କହିଛନ୍ତି।

ଏଗୁଡିକ ଗତ ସପ୍ତାହରରେ ନୀଳନଦୀ ପଶ୍ଟିମ ଉପକୁଳ ଆସିଫ ନେକ୍ରୋପଲିସରୁ ଖନନ ବେଳେ ମିଳିଥିଲା। ସେଠାରେ ଏବେବି ପୁରାତାତ୍ୱିକ ଖନନ ଚାଲିଥିବା ନେଇ ଆଣ୍ଟିକ୍ୱିଟି ମିନିଷ୍ଟର ଖାଲିଦ ଅଲ-ଅନାନୀ କହିଛନ୍ତି। ମିଳିଥିବା ମମ୍ମିଗୁଡିକୁ ଆସନ୍ତା ମାସରେ କାଇରୋ ଗିଜା ପିରାମିଡ ନିକଟରେ ନିର୍ମାଣାଧୀନ ଥିବା ଗ୍ରାଣ୍ଡ ଇଜିପ୍ଟ ସଂଗ୍ରହାଳୟରେ ସ୍ଥାନିତ କରାଯିବ। ତେବେ ଆସନ୍ତା ବର୍ଷରୁ ସର୍ବସାଧାରଣଙ୍କ ଲାଗି ମ୍ୟୁଜିୟମ ଉନ୍ମୁକ୍ତ ହେବା ପରେ ଲୋକେ ସେଠାରେ ମମ୍ମିଗୁଡିକୁ ଦେଖିପାରିବେ।