ଶୀତ ଦିନରେ ମହଙ୍ଗା ହେଲା ଅଣ୍ଡା : ୩ ବର୍ଷର ରେକର୍ଡ ଭାଙ୍ଗିଲା ଦାମ୍
21/12/2020 at 2:23 PM

ନୂଆଦିଲ୍ଲୀ ୨୧/୧୨ : ଶୀତ ଦିନ ଆସିଲା ପରେ ପୁଣି ଅଣ୍ଡା ଦାମ ବୃଦ୍ଧି ପାଇଛି। ଅଣ୍ଡାର ବଜାର ମୂଲ୍ୟ ଗତ ୩-୪ ବର୍ଷର ରେକର୍ଡ ଭାଙ୍ଗିବା ଉପରେ। ଡିସେମ୍ବର ୨୦ ତାରିଖରେ ଅଣ୍ଡାର ଓପନ୍ ମାର୍କେଟ୍ ରେଟ୍ ଗତ ୩ ବର୍ଷର ଅଫିସିଆଲ୍ ରେଟର ରେକର୍ଡ ଭାଙ୍ଗିଛି। ଦିନେ ପୂର୍ବରୁ ଦେଶର ସବୁଠାରୁ ବଡ ବରବାଲା ମଣ୍ଡିରେ ଓପନ୍ ମାର୍କେଟରେ ୧୦୦ ଟି ଅଣ୍ଡାକୁ ୫୫୦ ଟଙ୍କାରେ ବିକ୍ରି ହୋଇଛି। ଅଫିସିଆଲ ରେଟ୍ ୫୨୧ ଟଙ୍କା ଥିଲା | ୩ ବର୍ଷ ପୂର୍ବରୁ ଅଣ୍ଡାର ଅଫିସିଆଲ୍ ମୂଲ୍ୟ ୫୪୩ ଟଙ୍କା ଥିଲା। ବରବାଲା ମଣ୍ଡିରେ ଅଫିସିଆଲ୍ ଦାମ୍ ଆହୁରି ଉପରକୁ ଯିବାର ସମ୍ଭାବନା ରହିଛି।
ଦେଶର ସବୁଠାରୁ ବଡ ଅଣ୍ଡା ମଣ୍ଡିରେ ୧୦୦ ଅଣ୍ଡାର ଦାମ୍ ୪୨୦ ରୁ ୫୨୧ ଟଙ୍କା ହୋଇଛି। ଓପନ୍ ମାର୍କେଟରେ ୧୦୦ ଅଣ୍ଡା ୫୫୦ ଟଙ୍କାରେ ବିକ୍ରି ହେଉଛି। ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଅଣ୍ଡା ଦାମ୍ ବହୁତ ବଢିଯାଇଛି। ଡିସେମ୍ବର ୩ ତାରିଖ ଯାଏଁ ଅଣ୍ଡା ଦାମ୍ ୪୨୦ ଟଙ୍କା ଥିଲା। କିନ୍ତୁ ୫ ତାରିଖ ଦାମ୍ ବୃଦ୍ଧି ପାଇ ୪୮୩ ଟଙ୍କାରେ ପହଞ୍ଚିଥିଲା।
ବର୍ତ୍ତମାନ ସ୍ଥିତି ଏହିଭଳି ହୋଇଗଲାଣି ଯେ ମଣ୍ଡିରେ ଅଣ୍ଡା ଦାମ୍ ଯାହା ଧାର୍ଯ୍ୟ ହେଉଛି ତାଠୁ ଅଧିକ ଦାମରେ ବିକ୍ରି ହେଉଛି। କୁକୁଡ଼ାଙ୍କୁ ରୋଗ ହେବା କାରଣରୁ ଅଣ୍ଡା ଉତ୍ପାଦନ ହ୍ରାସ ପାଇଥିବା ବାହାନା କରାଯାଇଛି। କିନ୍ତୁ ବଜାର ବିଶେଷଜ୍ଞ ଏହାକୁ ବ୍ୟବସାୟୀଙ୍କ ଚାଲ ବୋଲି କହୁଛନ୍ତି।
ବରବାଲା ଅଣ୍ଡା ମଣ୍ଡିରେ ଖବର ପ୍ରଚାର ହୋଇଛି ଯେ କୁକୁଡ଼ାଙ୍କୁ ଆରଡି ନାମକ ରୋଗ ହୋଇଛି ଏବଂ ସେଥିପାଇଁ ଉତ୍ପାଦନ କମିଯାଇଛି। ଆରଡି ରୋଗ ଯୋଗୁଁ କୁକୁଡ଼ାଙ୍କ ପେଟରେ ଯନ୍ତ୍ରଣା ହୋଇଥାଏ। ସେଥିପାଇଁ କୁକୁଡ଼ାଙ୍କୁ ଲଗାତାର ଔଷଧ ଦିଆଯାଏ। କୁକୁଡ଼ାଙ୍କୁ ମୋଲଡିଙ୍ଗରେ ରଖାଯାଏ ଏବଂ ଏହି ସମୟରେ କୁକୁଡ଼ାଙ୍କୁ ଦାନା ଦିଆଯାଏନାହିଁ, କେବଳ ଔଷଧ ଦିଆଯାଏ। ଦାନା ନ ଦେବା ଯୋଗୁଁ କୁକୁଡ଼ା ଅଣ୍ଡା ବି ଦିଅନ୍ତିନି। କିନ୍ତୁ ବରବାଲା ବ୍ୟବସାୟୀ ଏହାକୁ କେବଳ ଅପପ୍ରଚାର ବୋଲି କହିଛନ୍ତି।