ଦେଶରେ ୬ % ବଢିଛି ଦୁଗ୍ଧ ଓ ଅଣ୍ଡା ଉତ୍ପାଦନ : 'ସୋଆ'ରେ ଅନୁଷ୍ଠିତ ଜାତୀୟ ସମ୍ମିଳନୀରେ ତଥ୍ୟ ରଖିଲେ ବିଶେଷଜ୍ଞ

Published By : Prameya-News7 Bureau | September 15, 2020 IST

ଭୁବନେଶ୍ୱର , ୧୫/୯ : ଅର୍ଥନୀତି ଉପରେ କୋଭିଡ-୧୯ ମହାମାରୀର ଗଭୀର ପ୍ରଭାବ ପଡିବା ସତ୍ୱେ ଭାରତରେ ଦୁଗ୍ଧ ଏବଂ ଅଣ୍ଡାର ଉତ୍ପାଦନ ବୃଦ୍ଧି ପାଇଛି । ଦେଶରେ ଅଣ୍ଡା ଓ ଦୁଗ୍ଧର ଉତ୍ପାଦନ ୬% ବୃଦ୍ଧି ପାଇଛି ବୋଲି କହିଛନ୍ତି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍‌)ର ମହା ନିର୍ଦ୍ଦେଶକ ଓ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ଡ. ତ୍ରିଲୋଚନ ମହାପାତ୍ର ।

ଏହି ମହାମାରୀ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିବା କୃଷକମାନଙ୍କ କାର୍ଯ୍ୟକୁ ବନ୍ଦ କରିପାରି ନାହିଁ କିମ୍ବା ସେମାନଙ୍କର କୃଷି ଉତ୍ପାଦନ କାର୍ଯ୍ୟରେ କୌଣସି ପ୍ରଭାବ ପକାଇ଼ ପାରି ନାହିଁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ ପକ୍ଷରୁ ଆୟୋଜିତ ୩ ଦିନିଆ ଜାତୀୟ ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଡ. ମହାପାତ୍ର ଏହି ସୂଚନା ଦେଇଛନ୍ତି ।

କୃଷି କ୍ଷେତ୍ରରେ ବିଭିଧତା ଏକ ସଫଳ କୃଷି ଅର୍ଥନୀତିର ମାନଦଣ୍ଡ ବୋଲି କହିବା ସହ କୃଷି କ୍ଷେତ୍ରରେ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ନୂତନ ବୈଜ୍ଞାନିକ ଜ୍ଞାନ କୌଶଳର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ପ୍ରମୁଖ ପରାମର୍ଶଦାତା ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ପୂର୍ବତନ କୁଳପତି ପ୍ରଫେସର ଡି.ପି. ରାୟ, ସୋଆର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଆଇଏଏସ୍‌ର ଡିନ୍ (ପିଜି) ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଡିନ୍‌ ପ୍ରଫେସର ବିଜୟ କୁମାର ସାହୁ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ପ୍ରଫେସର ବିବୁଧ ପରାସର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.