ସତର୍କ କରାଇଲେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ: ପୁଣି ଥରେ ବଢିବ କରୋନା କେସ୍ ! ଦେଖିବାକୁ ମିଳିପାରେ ନିର୍ବାଚନ, ଦୁର୍ଗାପୂଜା ଓ ଦୀପାବଳିର ପ୍ରଭାବ

Published By : Prameya-News7 Bureau | November 17, 2020 IST

ନୂଆଦିଲ୍ଲୀ ୧୭।୧୧: ଆଗାମୀ ଦିନରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ଦେଖିବାକୁ ମିଳିପାରେ। ସରକାର ସତର୍କ କରାଇଛନ୍ତି ଯେ, ନିର୍ବାଚନ, ଦୁର୍ଗା ପୂଜା, ଦୀପାବଳିର ପ୍ରଭାବ ଆଗାମୀ ସପ୍ତାହରେ ଦେଖିବାକୁ ମିଳିପାରେ। ତେଣୁ ଆମକୁ ବହୁତ ସାବଧାନ ରହିବାକୁ ପଡିବ ବୋଲି ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିହାର ବିଧାନସଭା ନିର୍ବାଚନ ବ୍ୟତୀତ ୧୧ ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନକୁ ନେଇ ଏହି ଆଶଙ୍କା ପ୍ରକାଶ କରାଯାଇଛି ଯେ, ଦେଶରେ ପୁଣି ଥରେ କରୋନା କେସ୍‌ରେ ବୃଦ୍ଧି ଘଟିପାରେ।

ଦେଶରେ ଚାରି ମାସ ପରେ ପ୍ରଥମ ଥର ଦୈନିକ ସଂକ୍ରମଣ ସଂଖ୍ୟା ୩୦ ହଜାରରୁ କମ ରହିଛି। ଏଥିସହ ଭାରତରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୮.୭୪ ଲକ୍ଷକୁ ବୃଦ୍ଧି ଘଟିଛି। ଏହା ପୂର୍ବରୁ ଜୁଲାଇ ୧୫ରେ ଦେଶରେ ଗୋଟିଏ ଦିନରେ ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାରରେ ତଳେ ରହିଥିଲା। ତା ପରଠୁ ହୁ ହୁ ହୋଇ ସଂକ୍ରମଣ ବଢି ଚାଲିଥିଲା ଏବଂ ଦୈନିକ ୫୦ ହଜାରରୁ ଉର୍ଦ୍ଧ୍ଵ ନୂତନ କୋଭିଡ୍-୧୯ ଚିହ୍ନଟ ହେଉଥିଲେ।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ସୂଚନା ଦେଇଛନ୍ତି ଯେ, ଦେଶରେ ଏ ପର୍ଯ୍ୟନ୍ତ କୋଭିଡ୍-୧୯ ପାଇଁ ୧୨.୬୫ କୋଟିରୁ ଅଧିକ ନମୂନା ସଂଗ୍ରହ କରାଯାଇଛି। ସୁସ୍ଥ ବଢିବା ସହିତ ସଂକ୍ରମଣ ହାର ୭.୦୧ ପ୍ରତିଶତକୁ ହ୍ରାସ ଘଟିଛି। ପ୍ରତି ୧୦ ଲକ୍ଷ ସଂକ୍ରମିତଙ୍କ ମଧ୍ୟରେ ସବୁଠୁ କମ ମୃତ୍ୟୁ ହାରରେ ଭାରତ ଅନ୍ୟ ଦେଶ ତୂଳନାରେ ଭଲ ସ୍ଥିତିରେ ରହିଛି। ଦେଶରେ କୋଭିଡ୍-୧୯ର ମୋଟ୍ ଚିକିତ୍ସାଧୀନଙ୍କ ମଧ୍ୟରୁ ୭୬.୬ ପ୍ରତିଶତ ରୋଗୀ ମହାରାଷ୍ଟ୍ର, ଦିଲ୍ଲୀ, କେରଳ ଓ ପଶ୍ଚିମବଙ୍ଗ ସମେତ ୧୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.