୧୦ ଟଙ୍କାରେ ମିଳିବ ଏଲ୍ଇଡି ବଲ୍ବ, EESLର ‘ଗ୍ରାମ ଉଜାଲା’ ସ୍କିମ୍ରେ ଘର ହେବ ଉଜ୍ଜ୍ୱଳ
10/08/2020 at 1:59 PM

ନୂଆଦିଲ୍ଲୀ ୧୦।୦୮: ଗାଁରେ ୧୦ ଟଙ୍କାରେ ମିଳିବ ଏଲ୍ଇଡି ବଲ୍ବ । ପ୍ରସ୍ତାବିତ ‘ଗ୍ରାମ ଉଜାଲା (ଉନ୍ନତ ଜ୍ୟୋତି ବାଏ ଆଫର୍ଡେବଲ ଲାଇଟିଂ ଫର୍ ଅଲ୍)’ ସ୍କିମ୍ ଅଧୀନରେ ରାଷ୍ଟ୍ରାୟତ୍ତ ଏନର୍ଜି ଏଫିସିଏନ୍ସି ସର୍ଭିସେସ୍ ଲିମିଟେଡ୍ (ଇଇଏସ୍ଏଲ୍) ଏହି ବଲ୍ବ ଯୋଗାଇବ । ସରକାରଙ୍କ ବିନା ସହାୟତା କିମ୍ବା ସବ୍ସିଡିରେ ଏଭଳି ୬୦ କୋଟି ଏଲ୍ଇଡି ବଲ୍ବ ଯୋଗାଇବାକୁ ଯୋଜନା ରଖିଛି ଇଇଏସ୍ଏଲ୍ । କମ୍ପାନିର ଜଣେ ବରିଷ୍ଠ ଅଧିକାରୀ ରବିବାର ଏହି ସୂଚନା ଦେଇଛନ୍ତି ।
ବିଶ୍ୱରେ ସବୁଠୁ ଶସ୍ତାରେ ଉପଲବ୍ଧ ହେବାକୁ ଥିବା ଏହି ଏଲ୍ଇଡି ବଲ୍ବ ଜରିଆରେ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ତ୍ୱରାନ୍ୱିତ ହେବ । ଏହାସହ ଇଇଏସ୍ଏଲ୍ର ଏହି ପଦକ୍ଷେପ ଭାରତର ଜଳବାୟୁ ପରିବର୍ତ୍ତନ ରଣନୀତିକୁ ଅଧିକ ମଜବୁତ କରିବ । ଏବେ ବିଶ୍ୱର ସର୍ବବୃହତ ଘରୋଇ ଲାଇଟିଂ କାର୍ଯ୍ୟକ୍ରମ ‘ଉଜାଲା’ ଚାଲୁ ରଖିଥିବା ଇଇଏସ୍ଏଲ୍ ଖୁବ୍ଶୀଘ୍ର ଜାତିସଂଘର ସ୍ୱଚ୍ଛ ବିକାଶ ମେକାନିଜ୍ମ (ସିଡିଏମ୍) ଅଧୀନରେ ‘ଗ୍ରାମ ଉଜାଲା’ ସ୍କିମ୍ ପଞ୍ଜୀକୃତ ପାଇଁ କାର୍ଯ୍ୟପନ୍ଥା ଆରମ୍ଭ କରିଛି । ଏହା ଅଧୀନରେ ଇଇଏସ୍ଏଲ୍ ଗ୍ରାମାଞ୍ଚଳରେ ୧୦ ଟଙ୍କାରେ ବଲ୍ବ ବିକିବ ଓ ପ୍ରତି ବଲ୍ବ ପିଛା ଏହା ଜାତିସଂଘ ସିଡିଏମ୍ ନିକଟରୁ କାର୍ବନ କ୍ରେଡିଟ୍ ଦାବି କରିବ । କେନ୍ଦ୍ର ସରକାରଙ୍କ ଉଜାଲା ସ୍କିମ୍ରେ ଏଲ୍ଇଡି ବଲ୍ବ ଦାମକୁ ୨୦୧୪ରେ ୩୧୦ ଟଙ୍କାରୁ ୭୦ ଟଙ୍କାକୁ ହ୍ରାସ କରାଯାଇଛି ।
ନୂଆ ସ୍କିମ୍ ଅଧୀନରେ ଇଇଏସ୍ଏଲ୍ ଗ୍ରାମୀଣ ଉପଭୋକ୍ତାଙ୍କୁ ୧୦ ଟଙ୍କାରେ ଏଲ୍ଇଡି ବଲ୍ବ ବିକିବ । ଏହା କାର୍ବନ କ୍ରେଡିଟ୍ ମାଧ୍ୟମରେ ପ୍ରତି ବଲ୍ବ ପିଛା ୬୦ ଟଙ୍କା ପାଇବ । ଇଇଏସ୍ଏଲ୍ ଗ୍ରୁପ୍ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ସୌରଭ କୁମାର କହିଛନ୍ତି, ବହୁ ଗ୍ରାମୀଣ ଲୋକ ଉଜାଲା ସ୍କିମ୍ରେ ୭୦ ଟଙ୍କାରେ ଏଲ୍ଇଡି ବଲ୍ବ କିଣିବାକୁ ସକ୍ଷମ ନୁହନ୍ତି । ତେଣୁ ପ୍ରସ୍ତାବିତ ସ୍କିମ୍ରେ କମ୍ପାନି ଉପଭୋକ୍ତା ବ୍ୟବହାର କରୁଥିବା ଇନ୍କାଣ୍ଡେସେଣ୍ଟ ବା ସିଏଫ୍ଏଲ୍ ବଲ୍ବକୁ ଫେରାଇ ନେବ ଏବଂ ସେମାନଙ୍କୁ ୧୦ ଟଙ୍କା ବିନିମୟରେ ନୂଆ ଏଲ୍ଇଡି ବଲ୍ବ ଯୋଗାଇବ । ବଳକା ଅର୍ଥ ଏହା କାର୍ବନ କ୍ରେଡିଟ୍ ଜରିଆରେ ଆଦାୟ କରିବ । ଉଜାଲା ସ୍କିମ୍ ଅଧୀନରେ ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୩୬ କୋଟି ଏଲ୍ଇଡି ବଲ୍ବ ବିତରଣ ହୋଇସାରିଛି ।
ସେଥିମଧ୍ୟରୁ କେବଳ ଏକପଞ୍ଚମାଂଶ ବା ୧୮% ଗ୍ରାମାଞ୍ଚଳରେ ବଣ୍ଟନ କରାଯାଇଛି । କିନ୍ତୁ ଗ୍ରାମ ଉଜାଲା ସ୍କିମ୍ ଗ୍ରାମାଞ୍ଚଳରେ ଏଲଇଡି ବଲ୍ବ ବ୍ୟବହାରକୁ ତ୍ୱରାନ୍ୱିତ କରିବା ସହ ଶକ୍ତି ଆକ୍ସେସ୍ରେ ସୁଧାର ଆଣିବ । ନୂଆ ସ୍କିମ୍ର ପ୍ରଥମ ପର୍ଯ୍ୟାୟରେ ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ୧ କୋଟି ଏଲ୍ଇଡି ବଲ୍ବ ଯୋଗାଇ ଦିଆଯିବ । ସ୍କିମ୍ ଅଧୀନରେ ୬୦ କୋଟି ବଲ୍ବ ଯୋଗାଣ ପାଇଁ ମୋଟ ୪,୦୦୦ କୋଟି ଟଙ୍କା ପୁଞ୍ଜିନିବେଶ ଆବଶ୍ୟକ । ସେଥିରୁ ୬୦୦ କୋଟି ଟଙ୍କା ଉପଭୋକ୍ତାଙ୍କ ନିକଟରୁ ଆସିବାକୁ ଥିବା ବେଳେ ବଳକା ୩,୪୦୦ କୋଟି ଟଙ୍କା କାର୍ବନ କ୍ରେଡିଟ୍ ରାଜସ୍ୱରୁ ମିଳିବ । ଜାତିସଂଘ ସିଡିଏମ୍ ଅଧୀନରେ ସ୍କିମ୍ ପଞ୍ଜୀକୃତ ହେବାମାତ୍ରେ ଏହାକୁ ଦେଶରେ ପ୍ରଚଳନ କରାଯିବ ବୋଲି ଶ୍ରୀ କୁମାର ସୂଚନା ଦେଇଛନ୍ତି ।