ବାଇଡେନ୍‌ଙ୍କ ଶପଥ ଗ୍ରହଣରେ ହିଂସା ଆଶଙ୍କା, ଜରୁରୀ ପରିସ୍ଥିତି ଘୋଷଣା କଲେ ଟ୍ରମ୍ପ

Published By : Prameya-News7 Bureau | January 12, 2021 IST

ୱାଶିଂଟନ, ୧୨/୦୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି। ଜାନୁଆରୀ ୨୦ ତାରିଖରେ ହେବାକୁ ଥିବା ଉତ୍ସବ ପୂର୍ବରୁ କିମ୍ୱା ପରେ ହିଂସାର ଆଶଙ୍କା କରି ଏପରି ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଏବଂ ସଙ୍ଘୀୟ ଅଧିକାରୀଙ୍କ ବଢ଼ୁଥିବା ଚିନ୍ତାକୁ ଲକ୍ଷ୍ୟ କରି ଦେଶର ରାଜଧାନୀରେ ଏହି ପରିସ୍ଥିତିର ଘୋଷଣା କରାଯାଇଥିବା ସେ କହିଛନ୍ତି।ଏହି ଘୋଷଣାପରେ ଆମେରିକାର ଗୃହ ମନ୍ତ୍ରଣାଳୟ ଏବଂ ସଙ୍ଘିୟ ଜରୁରୀକାଳୀନ ପ୍ରବନ୍ଧନ ଏଜେନ୍ସିର ସ୍ଥାନୀୟ ଅଧିକାରୀଙ୍କ ମଧ୍ୟରେ ଆବଶ୍ୟକ ଅନୁସାରେ ସମନ୍ୱୟ ରଖିବାକୁ ଅନୁମତି ଦିଆଯାଇଛି।

ସୂଚନା ଥାଉ କି, ଟ୍ରମ୍ପଙ୍କ ନିର୍ବାଚନ ହାରିବା ଘଟଣାକୁ ସହଜରେ ଗ୍ରହଣ କରିପାରିନଥିଲେ ତାଙ୍କ ସମର୍ଥକ। ନିର୍ବାଚନ ଫଳାଫଳରେ ଅନିୟମିତତା ହୋଇଥିବା ସେମାନେ ଅଭିଯୋଗ କରିଥିଲେ । ଏ ନେଇ ହ୍ୱାଇଟ ହାଉସ ଓ କ୍ୟାପିଟୋଲ୍‌ ବିଲ୍ଡିଂ ଆଗରେ ସେମାନେ ଧାରଣା ଦେଇଥିଲେ । ଉଭୟ ସ୍ଥଳରେ ପୋଲିସ ସହ ମଧ୍ୟ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ତେବେ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଓ୍ୱାସିଂଟନ ଡିସିରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଥିଲା । ଏପରିକି ହଙ୍ଗାମା ସ୍ଥଳରେ ହୋଇଥିବା ଗୁଳିମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସମୁଦାୟ ୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ।

ଏହା ପୂର୍ବରୁ କଲମ୍ୱିଆ ଜିଲ୍ଲାର ମେୟର ମ୍ୟୁରିଅଲ୍ ବାଞ୍ଜର, ବର୍ଜିନିଆର ଗଭର୍ଣ୍ଣର ରାଲ୍ଫ ନାର୍ଥମ ଏବଂ ମୋରିଲ୍ୟାଣ୍ଡର ଗଭର୍ଣ୍ଣର ଲୋରି ହୋଗନ ଟ୍ରମ୍ପ ସମର୍ଥକମାନଙ୍କ ହିଂସା ଓ କୋଭିଡ୍ କାରଣରୁ ଶପଥ ଗ୍ରହଣ ଉତ୍ସବରୁ ନିବୃତ୍ତ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ଟ୍ରମ୍ପଙ୍କ ଏହି ଜରୁରୀକାଳୀନ ଘୋଷଣା ସୋମବାର ଠାରୁ ଆରମ୍ଭ ହୋଇ ୨୪ ଜାନୁଆରୀ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.