ଜଗତସିଂହପୁରରେ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ

Published By : Prameya-News7 Bureau | November 01, 2018 IST

ଜଗତସିଂହପୁର ୧/୧୧: ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ତାଲିମ ସାଙ୍ଗକୁ ଚାକିରୀ କରାଇଦେବାକୁ ପ୍ରତିଶୃତି ଦେଇ ଲକ୍ଷାଧିକ ଟଙ୍କା ଠକେଇ କରା ଯାଇଥିବାର ଅଭିଯୋଗ ହୋଇଛି । ଏପରି ଅଭିଯୋଗ ହୋଇଛି ଜଗତସିଂହପୁର ଜିଲ୍ଲା ତିର୍ତୋଲ ଅଞ୍ଚଳରେ। ଗ୍ରାମାଞ୍ଚଳରେ ମଧୁମେହ ରୋଗ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ନର୍ଥ ଇଣ୍ଡିଆନ ଏଜୁକେସନାଲ ଟ୍ରଷ୍ଟ ନାମକ ଏକ ଜାତୀୟ ସ୍ତରୀୟ ଏନଜିଓ ଜଗତସିଂହପୁର ଜିଲ୍ଲାରେ ଅର୍ଚ୍ଚନା ଏନଜିଓ ଜରିଆରେ ୧୮୦ଜଣ ଶିକ୍ଷିତ ବେକାରଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି।ତିନିମାସ ମଧ୍ୟରେ ତାଲିମ ସହ ଚାକିରୀ ପ୍ରଲୋଭନ ଦେଇ ଜଣ ପିଛା୬ରୁ୧୦ହଜାର ଟଙ୍କା ନେଇଥିବା ସଂସ୍ଥା ଚାକିରୀ ତ ଦୁରର କଥା ବର୍ଷକ ପରେ ପରୀକ୍ଷା କରିବା ବାହାନାରେ ଅଧିକ ଅର୍ଥ ଦାବିକରିବାରୁ କଥା ପଦାକୁ ଆସିଛି। ତିର୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା ପଞାୟତ ହୁକୁଟୋଲା ଠାରେ ଥିବା ସିଂହ ବାହିନୀ ମଣ୍ଡପରେ ଗତକାଲି ପ୍ରତ୍ୟାଶୀ ଯୁବକ ଯୁବତୀମାନଙ୍କୁ ପରୀକ୍ଷା କରିବା ବାହାନାରେ ଡକାଇଥିବା ବେଳେ ସେମାନେ ପ୍ରତିବାଦ ଜଣାଇଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଉତ୍ୟକ୍ତ ଯୁବକ ଯୁବତୀମାନେ ଆୟୋଜକଙ୍କୁ ମଣ୍ଡପରେ ଅଟକ ରଖି ପାଟିତୁଣ୍ଡ କରିଥିଲେ। ଖବରପାଇ ତିର୍ତୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଟକ ଥିବା ଏନଜିଓ କର୍ମକର୍ତ୍ତା ମାନଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ଏନଜିଓ ଦ୍ୱାରା ଠକାମିର ଶିକାର ଯୁବକ ଯୁବତୀ ଥାନାରେ ପହଞ୍ଚି ଅଭିଯୋଗ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଂସ୍ଥାର କର୍ମକର୍ତ୍ତା ତାଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଠକିଥିବା ଅଭିଯୋଗ କରିଥିଲେ । ପୋଲିସ ଏନଆଇଇଟିର କର୍ମକର୍ତ୍ତା ତଥା ଆୟୋଜକଙ୍କୁ ଥାନାରେ ପଚରାଉଚୁରା କରିବା ସହ କାଗଜପତ୍ର ଯାଞ୍ଚ କରିଥିଲେ। ଆସନ୍ତା ସପ୍ତାହରେ ସମସ୍ତ ପ୍ରତ୍ୟାଶୀଙ୍କୁ ପରୀକ୍ଷା କରାଇବା ସହ ନିଯୁକ୍ତି ଦେବାକୁ ସଂସ୍ଥା ପକ୍ଷରୁ ଲିଖିତ ଭାବେ ଜଣାଇଥିଲେ। ଘଟଣାର ସମାଧାନ କରାଯାଇଥିବା ଥାନା ଅଧିକାରୀ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.