ଆଇପିଏଲର ଟାଇଟଲ ସ୍ପନସରସିପ୍‌ର ପ୍ରାୟୋଜକ ଦୌଡରେ ‘ଅନଏକାଡେମୀ’, ଭିଭୋ ଜାଗା ନେବାକୁ ଟେଣ୍ଡରରେ ଡାକିବ ବୋଲି

Published By : Prameya-News7 Bureau | August 12, 2020 IST

ନୂଆଦିଲ୍ଲୀ ୧୨।୦୮: ଶିକ୍ଷା ଉଦ୍ୟୋଗ ବା କମ୍ପାନୀ ‘ଅନଏକାଡେମୀ’ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ପ୍ରାୟୋଜକଙ୍କ ମଧ୍ୟରୁ ଗୋଟିଏ। ଏବେ ଏହି କମ୍ପାନୀର ନଜର ଲିଗ୍‌ର ଟାଇଟଲ ସ୍ପନସରସିପ୍ ହାସଲ କରିବା ଉପରେ ରହିଛି। କମ୍ପାନୀ ଆଇପିଏଲର ୧୩ତମ ସଂସ୍କରଣରେ ଚୀନ ମୋବାଇଲ କମ୍ପାନୀ ଭିଭୋର ଜାଗା ନେବାକୁ ବୋଲି ଲଗାଇବାକୁ ପ୍ରସ୍ତୁତ।  ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ)ର ଜଣେ ଅଧିକାରୀ ଏହାର ସୂଚନା ଦେଇ କହିଛନ୍ତି ‘ଅନଏକାଡେମୀ’ ବୋଲି ଲଗାଇବା ପାଇଁ ଫର୍ମ ଭରିଛି। କିନ୍ତୁ ଏଥିରୁ ଅଧିକ ଟିପ୍ପଣୀ କରିବାକୁ ଜୈନକ ଅଧିକାରୀ ମନା କରି ଦେଇଛନ୍ତି।

ବରିଷ୍ଠ ଅଧିକାରୀ ନାମ ଗୋପନୀୟ ରଖିବା ସର୍ତ୍ତରେ କହିଛନ୍ତି, ମୁଁ ନିଶ୍ଚିତ ଅନଏକାଡେମୀ ଆଇପିଏଲର ଟାଇଟଲ ସ୍ପନସରସିପ୍ ହାସଲ କରିବାକୁ ଇଚ୍ଛା ପ୍ରକାଶ କରିଛି। ଏଥିପାଇଁ କମ୍ପାନୀ ବୋଲି ଲଗାଇବା ପାଇଁ ବିଡ୍‌ କାଗଜପତ୍ର ନେଇଛି। ପତଞ୍ଜଳୀ ମଧ୍ୟ ସ୍ପନସରସିପ୍ ପାଇବା ପାଇଁ ଇଚ୍ଛୁକ ରହିଛି। ତେଣୁ ଅନଏକାଡେମୀ ଓ ପତଞ୍ଜଳୀ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିପାରେ ବୋଲି ଜୈନକ ଅଧିକାରୀ କହିଛନ୍ତି।

ଉଲ୍ଲେଖନୀୟ ଭିଭୋ ଆଇପିଏଲ ଟାଇଟଲ ସ୍ପନସରସିପ୍ ପାଇଁ ବାର୍ଷିକ ୪୪୦ କୋଟି ଟଙ୍କା ବିସିସିଆଇକୁ ପ୍ରଦାନ କରୁଥିଲା। ହେଲେ ଚଳିତ ବର୍ଷ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଓ ଉତ୍ତେଜନା କାରଣରୁ ଭିଭୋକୁ ଆଇପିଏଲର ଟାଇଟଲ ସ୍ପନସରସିପରୁ ହଟିବାକୁ ପଡିଛି।

ବିସିସିଆଇ ଆଇପିଏଲରେ ନିଜର ଅଫିସିଆଲ ପାର୍ଟନରସିପ୍ ସଂଖ୍ୟା ଚଳିତ ବର୍ଷ ତିନିରୁ ବୃଦ୍ଧି କରି ୫ କରିବାକୁ ଚାହୁଁଛି। ବୋର୍ଡ ଆଶା ରଖିଛି ଦୁଇ ଅତିରିକ୍ତ ପାର୍ଟନରସିପରୁ ୮୦ କୋଟି ଟଙ୍କା ମିଳିବ। ଏହି ହିସାବରେ ଭିବୋ ଯିବା ପରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଏବେ ଚାରି ମାସ ୧୩ ଦିନ ପାଇଁ ୩୦୦ ରୁ ୩୫୦ କୋଟି ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖିଛି।

ଅନଏକାଡେମୀ ଆଇପିଏଲର ସେଣ୍ଟ୍ରାଲ ସ୍ପନସରସିପ୍‌ରେ ଡ୍ରିମ ୧୧ ଓ ପେଟିଏମ ପରି ଏକ ଅଂଶ। ଅନଏକାଡେମୀ ଏଥିପାଇଁ ୨୦୨୦ ରୁ ୨୦୨୩ ପର୍ଯ୍ୟନ୍ତ ବିସିସିଆଇ ସହିତ ଚୁକ୍ତି ମଧ୍ୟ କରିଛି। ଟାଇଟଲ ସ୍ପନରସିପ୍ ଏବଂ ସେଣ୍ଟ୍ରାଲ ସ୍ପନସରସିପ୍‌ ମଧ୍ୟରେ ଥିବା ପ୍ରଭେଦ ବିଷୟରେ ଅଧିକାରୀ କହିଛନ୍ତି ସେଣ୍ଟ୍ରାଲ ସ୍ପନସରସିପ୍‌ ବର୍ତ୍ତମାନ ଜର୍ସି ଅଧିକାର ସାମିଲ ନାହିଁ। ଆଇପିଏଲରେ ଜର୍ସିରେ କେବଳ ଟାଇଟଲ ସ୍ପନସରସିପଙ୍କ ପାଇଁ ରହିଛି। ଯଦି ଅନଏକାଡେମୀ ଟାଇଟଲ ସ୍ପନରସିପ  ହାସଲ କରେ ତେବେ ତାଙ୍କୁ ବିଭିନ୍ନ ବ୍ରାଡିଂ ଜିନିଷ ଉପରେ ଅଧିକାର ମିଳିଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.