ED ରାଡାରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ ରନିନ୍ଦର ସିଂହ, ଏହି ମାମଲାରେ କରିବ ପଚରା ଉଚରା

Published By : Prameya-News7 Bureau | October 23, 2020 IST

ନୂଆଦିଲ୍ଲୀ ୨୩/୧୦: ବିଦେଶରେ ଥିବା ସମ୍ପତ୍ତିକୁ ନେଇ ଭୁଲ ବିବରଣୀ ଦେଇ ଏବେ ହରଡ଼ଘଣାରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ ରନିନ୍ଦର ସିଂହ । ଫେମା (FEMA) ନିୟମ ଉଲ୍ଲଂଘନ ମାମଲାରେ ରନିନ୍ଦରଙ୍କୁ ହାଜର ହେବାକୁ ନୋଟିସ୍‌ ଦେଇଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମିରିନ୍ଦର ସିଂହଙ୍କ ପୁଅ ହେଉଛନ୍ତି ରନିନ୍ଦର ସିଂହ। ତେବେ ମଙ୍ଗଳବାର ସାଢ଼େ ୧୦ଟାରେ ହାଜର ହେବାକୁ ରନିନ୍ଦରଙ୍କୁ ନୋଟିସ୍‌ ପଠାଇଛି ଇଡି।

ତେବେ ବିଦେଶରେ ଥିବା ସମ୍ପତ୍ତିର ଭୁଲ ବିବରଣୀ ଆୟକର ବିଭାଗକୁ ଦେଇଥିଲେ ରନିନ୍ଦର। ଏନେଇ ରନିନ୍ଦରଙ୍କୁ ଆୟକର ବିଭାଗ ପକ୍ଷରୁ ବାରମ୍ବାର ପଚରା ଯାଇଥିଲେ ହେଁ ସେ ଭୁଲ ତଥ୍ୟ ଦେଉଥିଲେ। ଏନେଇ ଆଇକର ବିଭାଗ ଇଡିକୁ ଜଣାଇଥିଲା। ପରେ ଇଡି କାର୍ଯ୍ୟାନୁଷ୍ଠାନ ପାଇଁ ରିପୋର୍ଟ ପ୍ରସ୍ତୁତ କରିବା ପରେ ରନିନ୍ଦରଙ୍କୁ ନୋଟିସ୍‌ ପଠାଇଛି। ତେବେ ଫେମା ଆକ୍ଟ ଉଲ୍ଲଂଘନ ଅଭିଯୋଗରେ ରନିନ୍ଦରଙ୍କୁ ଏବେ ପଚରା ଉଚରା କରିବ ଇଡି। ପଚରା ଉଚରା ସମୟରେ ରନିନ୍ଦରଙ୍କ ଯାହା ବି ବୟାନ ରହିବ ତାହାକୁ ଲିଖିତ ଆକାରରେ ନିଆଯିବ। ଯାହାକି କୋର୍ଟରେ ଦରକାର ପଡ଼ିବ ବୋଲି ସୂଚନା ମିଳିଛି।

ରନିନ୍ଦର ୨୦୦୪-୦୫ ଓ ୨୦୦୬-୦୭ ଆର୍ଥିକ ବର୍ଷରେ ନିଜର ତମାମ ସମ୍ପତ୍ତିର ବିବରଣୀ ଆୟକର ବିଭାଗକୁ ଦେଇଥିଲେ। କିନ୍ତୁ ଏମିତି କିଛି ଚଳ-ଅଚଳ ସମ୍ପତ୍ତି ତଥ୍ୟ ଲୁଚାଇଥିଲେ ଯାହାକି ବିଦେଶରେ ରହିଛି। ତେଣୁ ଏନେଇ ବିଭିନ୍ନ ସମୟରେ ଆୟକର ବିଭାଗ ପକ୍ଷରୁ ରନିନ୍ଦରଙ୍କୁ ନୋଟିସ୍‌ ହୋଇଥିଲେ ହେଁ ସେ କିଛି ଜବାବ ଦେଉନଥିଲେ। ତେବେ ଏନେଇ ଆୟକର ବିଭାଗ ପ୍ରସ୍ତୁତ କରିଥିବା ରିପୋର୍ଟ ଇଡିକୁ ଦେଇଥିଲା। ପୁଣି ୨୦୧୯-୨୦ ପ୍ରସ୍ତୁତ କରିଥିବା ଆସେସ୍‌ମେଣ୍ଟ ଅର୍ଡରକୁ ବି ଇଡିକୁ ଦେଇଥିଲା ଆୟକର ବିଭାଗ। ଏହାକୁ ଆଧାର କରି ଫେମା ନିୟମ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି ଇଡି।

ତେବେ ନ୍ୟୁଜ୍‌ ୧୮ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ରନିନ୍ଦରଙ୍କ ବ୍ରିଟେନ୍‌ରେ ଥିବା ସମ୍ପତ୍ତି ସମ୍ପର୍କରେ ଆୟକର ବିଭାଗ ଜାଣିସାରିଛି। ଏନେଇ ରିପୋର୍ଟ ମଧ୍ୟ ଇଡିକୁ ଦେଇଛି ଆୟକର ବିଭାଗ। ମଙ୍ଗଳବାର ଏହି ମାମଲାରେ ରନିନ୍ଦରଙ୍କୁ ପଚରା ଉଚରା କରାଯିବାର ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.