ମୁମ୍ବାଇ ୦୭।୦୩- ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୟେସ୍ ବ୍ୟାଙ୍କର ସଂସ୍ଥାପକ ତଥା ପୂର୍ବତନ ସିଇଓ ରାଣା କପୁରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆର୍ଥିକ ଅନିୟମିତତା ମାମଲା ରୁଜୁ କରିଛି। ଶନିବାର ରାଣାଙ୍କୁ ମୁମ୍ବାଇ ସ୍ଥିତ ଇଡି କାର୍ଯ୍ୟାଳୟ ଅଣାଯାଇଛି। ଏଠାରେ ରାଣାଙ୍କୁ ଜେରା କରାଯିବ। ଏହା ପୂର୍ବରୁ ଇଡି ରାଣା କପୁରଙ୍କ ମୁମ୍ବାଇର ବର୍ଲି ସ୍ଥିତ ବାସଭବନ ସହିତ ଅନେକ ସ୍ଥାନରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଚଢାଉ କରିଥିଲା। ଇଡିର ଟିମ୍ କପୁରଙ୍କୁ ତାଙ୍କ ବାସଭବନରେ ହିଁ ପଚରା ଉଚୁରା କରିଥିଲା ଏବଂ ରାଣାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରାଯାଇଥିଲା।
ଅଧିକାରୀଙ୍କ କହିବା କଥା ରାଣାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ମନି ଲଣ୍ଡ୍ରିଂ ମାମଲାର ଯାଞ୍ଚ ସମ୍ଵନ୍ଧରେ କରାଯାଇଛି। ଇଡି କପୁର ଓ ଅନ୍ୟଙ୍କ ବିରୋଧରେ ପ୍ରିଭେନସନ ଅଫ ମନି ଲଣ୍ଡ୍ରିଂ ଆକ୍ଟ(PMLA) ଆଧାରରେ ମାମଲା ରୁଜୁ କରିଛି। ଅଧିକାରୀ କହିଛନ୍ତି ଯେ, କପୁରଙ୍କ ବାସଭବନ ଉପରେ ଚଢାଉର ଉଦ୍ଦେଶ୍ୟ ଅଧିକ ସାକ୍ଷ୍ୟ ପ୍ରମାଣ ଯୋଗାଡ କରିବା। ଏକ କର୍ପୋରେଟ୍ କମ୍ପାନୀକୁ ବ୍ୟାଙ୍କ ଦ୍ଵାରା ଋଣ ଦେବା ଏବଂ ଏହା ବଦଳରେ ପତ୍ନୀଙ୍କ ବ୍ୟାଙ୍କ ଖାତାରେ ଲାଞ୍ଚ ନେବା ସମ୍ଵନ୍ଧରେ ରାଣାଙ୍କ ଭୂମିକାକୁ ନେଇ ମଧ୍ୟ ଇଡି ତଦନ୍ତ କରୁଛି।
କପୁରଙ୍କ ବିରୋଧରେ ରୁଜୁ ମାମଲାର ସମ୍ବନ୍ଧ ଡିଏଚଏଫଏଲ ଯାଞ୍ଚ ସହିତ ମଧ୍ୟ ଜଡିତ ରହିଛି। ବ୍ୟାଙ୍କ ଡିଏଚଏଫଏଲ ଦ୍ଵାରା ନିଆଯାଇଥିବା ଋଣକୁ ଏନପିଏର ଆଖ୍ୟା ଦେଇଥିଲା। ବ୍ୟାଙ୍କ ଓ ଡିଏଚଏଫଏଲ ମଧ୍ୟରେ ସନ୍ଦିଗ୍ଧ ଅର୍ଥ କାରବାର ୫୦୦୦ କୋଟି ଟଙ୍କା ହୋଇଥିବା କୁହାଯାଉଛି।
ଆରବିଆଇ ଦ୍ଵାରା ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଣସୀମା ୫୦ ହଜାର କରାଯିବା ପରେ ଏହି ବ୍ୟାଙ୍କ କେତେ ସଙ୍କଟ ଜନକ ସ୍ଥିତି ଦେଇ ଗତି କରୁଛି ତାହା ଜାଣିବାକୁ ମିଳିଥିଲା। ଏହା ସହିତ ସଂପ୍ରତି ୟେସ୍ ବ୍ୟାଙ୍କ ଉପରେ ଋଣ ଦେବା, ନୂତନ ନିବେଶ ସହିତ ଅନେକ ମହତ୍ଵପୂର୍ଣ୍ଣ କାମ ନେଇ ରୋକ୍ ଲଗାଯାଇଛି।
ଉଲ୍ଲେଖଯୋଗ୍ୟ, ବାଲାନ୍ସ ସିଟର ସଠିକ ସୂଚନା ନଦେବା କାରଣରୁ ରାଣା କପୁରଙ୍କୁ ଆରବିଆଇ ଜାନୁଆରୀ ୩୧ରେ ପଦ ଛାଡିବାକୁ କହିଥିଲା। ବ୍ୟାଙ୍କର ଦୟନୀୟ ସ୍ଥିତି କାରଣରୁ କମ୍ପାନୀକୁ ସହ ସଂସ୍ଥାପକ ରାଣା କପୁରଙ୍କୁ ପଦରୁ ହଟାଇବାକୁ ପଡିଥିଲା।