ନିବେଶକଙ୍କୁ କୋଟି କୋଟି ଟଙ୍କା ଚୂନା ଲଗାଇଥିଲେ ଟିଏମସିର ପୂର୍ବତନ ସାଂସଦ, ଗିରଫ କଲା ଇଡି
13/01/2021 at 6:52 PM

କୋଲକାତା ୧୨।୦୧: ନିବେଶକଙ୍କୁ ଶତାଧିକ କୋଟି ଟଙ୍କାର ଚୂନା ଲଗାଇବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡ୍ରିଂ ଆକ୍ଟ ଆଧାରରେ ଟିଏମସିର ପୂର୍ବତନ ରାଜ୍ୟସଭା ସାଂସଦ ତଥା ବ୍ୟବସାୟୀ କେଡି ସିଂହଙ୍କୁ ବୁଧବାର ଗିରଫ କରିଛି। କେଡି ସିଂହଙ୍କୁ ଇଡି ସ୍ଵତନ୍ତ୍ର ଅଦାଲତରେ ହାଜର କରିଛି। ଅଦାଲତ ପଚରାଉଚୁରା ପାଇଁ ଜାନୁଆରୀ ୧୬ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ପଠାଇଛନ୍ତି। ଟିଏମସିର ପୂର୍ବତନ ସାଂସଦ କେଡି ସିଂହ ନିଜର ସଫେଇରେ କହିଛନ୍ତି ଯେ, ସେ କୌଣସି ଭୁଲ୍ କରି ନାହାନ୍ତି।
କେଡି ସିଂହଙ୍କ ଗିରଫଦାରୀ ମମତା ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ। କାରଣ କେଡି ସିଂହ ସମୟ ଥିଲା ମମତାଙ୍କ ଅତି ଘନିଷ୍ଠ ଥିଲେ। କେଡି ସିଂହଙ୍କ ଗିରଫଦାରୀ ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ ରହିଛି କାରଣ ଚଳିତ ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର ମୁହାଁମୁହିଁ ସ୍ଥିତିରେ ରହିଛନ୍ତି।
ଇଡି କୋର୍ଟରେ କହିଛି ଯେ, ସେବିର ଅଭିଯୋଗ ଆଧାରରେ ଅଲକେମିଷ୍ଟ ଗ୍ରୁପ ବିରୋଧରେ ମନି ଲଣ୍ଡ୍ରିଂ ଆକ୍ଟ ଆଧାରରେ ମାମଲା ରୁଜୁ କରାଯାଇଛି। ନିବେଶକଙ୍କଠୁ କୋଟି କୋଟି ଟଙ୍କା ନେଇ ଫେରସ୍ତ ନକରିବାର ଗମ୍ଭୀର ଅଭିଯୋଗ ତାଙ୍କ ଉପରେ ଲଗାଯାଇଛି। ପୂର୍ବରୁ କେଡି ସିଂହଙ୍କୁ ପଚରା ଉଚୁରା ପାଇଁ ନୋଟିସ୍ ଜାରି କରାଯାଇଥିଲା। ହେଲେ ସେ ଇଡିକୁ ସହଯୋଗ କରିନଥିଲେ। ତେଣୁ ଜେରା ପାଇଁ ରିମାଣ୍ଡ ଦେବାକୁ ଇଡି କୋର୍ଟରେ ନିଜର ଯୁକ୍ତି ଉପସ୍ଥାପନ କରିଥିଲା।
ତଦନ୍ତ ବେଳେ ଇଡି ଜାଣିବାକୁ ପାଇଛି ଯେ, ଅଲକେମିଷ୍ଟ ନିବେଶକଙ୍କଠୁ ଯେଉଁ ଟଙ୍କା ନେଇଛି ତାହା ଏକ ପୂର୍ବ ନିୟୋଜିତ ଷଡଯନ୍ତ୍ର ଆଧାରରେ ହୋଇଛି। ଉକ୍ତ ଅର୍ଥକୁ ଅନ୍ୟ କମ୍ପାନୀକୁ ଟ୍ରାନ୍ସଫର କରାଯାଇଛି। ଇଡି ଦାବି କରିଛି ଯେ,ଯେଉଁ କମ୍ପାନୀକୁ ଟଙ୍କା ସ୍ଥାନାନ୍ତର କରାଯାଇଛି ତାହା କେଡି ସିଂହଙ୍କ କମ୍ପାନୀର କାଗଜପତ୍ର ରହିଥିଲା। ତଦନ୍ତରୁ ଏହା ମଧ୍ୟ ଜଣା ପଡିଛି ଯେ ଯୋଜନାବଦ୍ଧ ଭାବେ ସଂଗ୍ରହ କରାଯାଇଥିବା ଅର୍ଥରେ ହରିୟାଣା , ସିମଲାର ଅନେକ ସହରରେ ସଂପତ୍ତି କିଣା ଯାଇଛି। ଇଡି ଅଲକେମିଷ୍ଟ ଗ୍ରୁପର ୨୩୯ କୋଟି ଟଙ୍କାର ସଂପତ୍ତି ମଧ୍ୟ ଜବତ କରିଛି।