RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ବଡ଼ ସୂଚନା, କହିଲେ ସ୍ୱଭାବିକ ହେଉଛି ଅର୍ଥନୀତି, ମିଳିଲାଣି ସଂକେତ

Published By : Prameya-News7 Bureau | July 11, 2020 IST

ମୁମ୍ବାଇ ୧୧।୭:  ଭାରତୀୟ ରିଜର୍ଭବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶନିବାର ଦେଶର ଅର୍ଥନୀତି ସ୍ୱଭାବିକ ହେଉଥିବା ନେଇ ସଙ୍କେତ ମିଳିଲାଣି ବୋଲି କହିଛନ୍ତି। କରୋନା ଲକଡାଉନ୍‌ ହଟିବା ପରେ ଅର୍ଥବ୍ୟବସ୍ଥା ପୁଣି ପୂର୍ବସ୍ଥିତିକୁ ଫେରୁଛି। ଏଣୁ ଲୋକଙ୍କ ବିଶ୍ୱାସ ପୁଣି ଫେରାଇ ଆଣିବା, ଆର୍ଥିକ ସ୍ଥିରତା ସୁରକ୍ଷିତ କରିବା ଓ ଅଭିବୃଦ୍ଧିକୁ ତୀବ୍ର କରିବା ସହ ଜୋରଦାର ପ୍ରତ୍ୟାବର୍ତ୍ତନ  ବର୍ତ୍ତମାନ ସମୟର ସବୁଠାରୁ ବଡ ଆବଶ୍ୟକତା ବୋଲି ଦାସ କହିଛନ୍ତି।

ଶନିବାର ସପ୍ତମ ଏସବିଆଇ ବ୍ୟାଙ୍କିଙ୍ଗ ଏଣ୍ଡ ଇକନୋମିକ୍ କନକ୍ଲେଭକୁ ସମ୍ବୋଧିତ କରିବା ଅବସରରେ ଦାସ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଲକଡାଉନ୍‌ କଟକଣା ଢିଲା କରାଯିବା ଯୋଗୁ ଦେଶରେ ପୁଣି ଆର୍ଥିକ ଗତିବିଧି ଆରମ୍ଭ ହୋଇଛି। ତେବେ ଚାହିଦା ଓ ଯୋଗାଣ ଶୃଙ୍ଖଳାରେ ସୃଷ୍ଟି ହୋଇଥିବା ବ୍ୟବଧାନ ପୁରଣ ହେବାକୁ କେତେ ସମୟ ଲାଗିବ ତାହା କିନ୍ତୁ ଏବେ କୁହାଯାଇପାରୁନାହିଁ। ତେବେ ଏହି ଅନିଶ୍ଚିତତା ଆମର ସମ୍ଭାବିତ ଅଭିବୃଦ୍ଧି ଉପରେ କିଭଳି ପ୍ରଭାବ ପକାଉଛି ତାହା ହିଁ ଏବେ ଦେଖିବାର କଥା । ସରକାର ଯେଉଁ ସୁଧାରର ଉପାୟ ଘୋଷଣା କରିଛନ୍ତି ଏଥିରୁ ଆର୍ଥିକ ବୃଦ୍ଧିକୁ ସାହାରା ମିଳିବା କଥା। ହେଲେ ସାମାନ୍ୟ ବିଳମ୍ବ ହୋଇପାରେ ବୋଲି ସେ ଆଶାପୋଷଣ କରିଛନ୍ତି।

ସେ କହିଛନ୍ତି ଯେ କୋଭିଡ-୧୯ ପରର ଦୁନିଆ ସମ୍ପୂର୍ଣ୍ଣ ଭିନ୍ନ ହେବ। ଏଥିରେ ଆର୍ଥିକ ବୃଦ୍ଧିକୁ ଗତି ଦେବା ଲାଗି ହୁଏତ ନୂଆ ବାହକ ଆଗକୁ ଆସିପାରନ୍ତି ।  କୋଭିଡ-୧୯ ପରବର୍ତ୍ତି ଯୁଗରେ ପର ସାଇକ୍ଲିକାଲ ରେଗୁଲେଟରୀ ମେଜର୍ସକୁ ବ୍ୟବସ୍ଥିତ ଉପାୟରେ ପ୍ରବନ୍ଧନ ଲାଗି ସାବଧାନତା ପୂର୍ବକ ସମସ୍ତଙ୍କୁ ଗୋଟିଏ ରାସ୍ତା ଆପଣେଇବାକୁ ପଡିବ। ଏଥିରେ କରୋନା ସଂକ୍ରମଣ କାଳରେ ଯେଉଁ ସବୁ ନିୟମ କୋହଳ ହୋଇଥିଲା ସେଗୁଡିକ ପରିବର୍ତ୍ତନ ନ କରି ମଧ୍ୟ ଆର୍ଥିକ କ୍ଷେତ୍ର ସ୍ୱଭାବିକ ହୋଇପାରିବ।  ସେ କହିଛନ୍ତି ଯେ ଆରବିଆଇଙ୍କ ପାରମ୍ପରିକ ଓ ଅଣ ପାରମ୍ପରିକ ମୁଦ୍ରା ନୀତି , ତରଳତା ଦ୍ୱାରା ବଜାରର ଭରସା ପୁଣି ଫେରାଇ ଆଣିବା, ତରଳତା ଲାଗି ହେଉଥିବା ସମସ୍ୟା ଦୂର କରିବା, ଆର୍ଥିକ ନୀତିନିୟମକୁ କୋହଳ କରିବା, ଋଣ ବଜାରରେ ଉପୁଜିଥିବା ସ୍ଥାଣୁତା ଦୂର କରିବା ଓ ରଚନାତ୍ମ ଉଦ୍ଦେଶ୍ୟ ଲାଗି ଆବଶ୍ୟକ କ୍ଷେତ୍ରକୁ ଆର୍ଥିକ ସହଯୋଗ ଯୋଗାଇ ଦେବା ଉପରେ ଏବେ ଆରବିଆଇ ତାଙ୍କର ଧ୍ୟାନ କେନ୍ଦ୍ରିତ କରିଛନ୍ତି। ଏଣୁ ବ୍ୟାଙ୍କମାନଙ୍କୁ ପରିଚାଳନାଗତ ସଂସ୍କାର ଲାଗି ଦାସ ପରାମର୍ଶ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.