ସଂସଦରେ ଆର୍ଥିକ ସର୍ବେକ୍ଷେଣ ରିପୋର୍ଟ: ଆର୍ଥିକ ବର୍ଷ ୨୦୨୧-୨୨ରେ ଆର୍ଥିକ ଅଭିବୃଦ୍ଧି ୧୧% ରହିବାର ଅନୁମାନ

Published By : Prameya-News7 Bureau | January 29, 2021 IST

ନୂଆଦିଲ୍ଲୀ ୨୯।୦୧: ଆଜିଠୁ ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆର୍ଥିକ ସର୍ବେକ୍ଷେଣ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଆର୍ଥିକ ସର୍ବେକ୍ଷେଣରେ ଆର୍ଥିକ ବର୍ଷ ୨୦୨୧-୨୦୨୨ ପାଇଁ ଆର୍ଥିକ ଅଭିବୃଦ୍ଧିହାର ୧୧ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଛି। ଆର୍ଥିକ ବର୍ଷ ୨୦୨୦-୨୧ରେ ଆର୍ଥିକ ଅଭିବୃଦ୍ଧିହାର ବିଯୁକ୍ତ ୭.୭ ପ୍ରତିଶତ  ରହିବାର ଅନୁମାନ କରାଯାଇଛି। ଏଥର ଆର୍ଥିକ ସର୍ବେକ୍ଷେଣ ଅନେକ ଦୃଷ୍ଟିରୁ ବହୁତ ଖାସ୍ ରହିଛି। କରୋନା ଭାଇରସ୍ ମହାମାରୀ କାରଣରୁ ଅର୍ଥବ୍ୟବସ୍ଥାକୁ ବଡ ଝଟକା ଲାଗିଥିଲା। ସର୍ଭେରେ ଅର୍ଥବ୍ୟବସ୍ଥା ସଂପର୍କିତ ଏମିତି ଅନେକ ସୂଚନା ଓ ତଥ୍ୟ ରହିଛି, ଯାହା ଉପରେ ଲୋକଙ୍କ ନଜର ରହିଛି।

ଆର୍ଥିକ ସର୍ବେକ୍ଷେଣରେ ଆଗାମୀ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ହାରର ଅନୁମାନ ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ କାରଣ ସରକାରଙ୍କୁ କେଉଁ ଗତିରେ ଅର୍ଥବ୍ୟବସ୍ଥାକୁ ସଜଡା ଯିବ ଏଥିରୁ ସୂଚନା ମିଳିଥାଏ। ସର୍ବେକ୍ଷେଣରେ ଭାରତୀୟ ଅର୍ଥବ୍ୟବସ୍ଥାର ରୋଡମ୍ୟାପ୍ ମଧ୍ୟ ରହିଛି। ଏଥିସହ ୫ ଟ୍ରିଲିୟନ ଡଲାରର ଅର୍ଥନୀତି ପାଇଁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି।

କଣ ଏହି ଆର୍ଥିକ ସର୍ବେକ୍ଷେଣ ରିପୋର୍ଟ

ଆର୍ଥିକ ସର୍ବେକ୍ଷେଣ ଦେଶର ଅର୍ଥବ୍ୟବସ୍ଥା ଉପରେ ଏକ ଆନୁଷ୍ଠାନିକ ରିପୋର୍ଟ ହୋଇଥାଏ। ସାଧାରଣତଃ ଏହାକୁ ସାଧାରଣ ବଜେଟ୍‌ର ଗୋଟିଏ ଦିନ ପୂର୍ବରୁ ଉପସ୍ଥାପନ କରାଯାଏ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକବାର ସଂସଦରେ ଏହାକୁ ଉପସ୍ଥାପନ କରିଛନ୍ତି। ଆର୍ଥିକ ସର୍ବେକ୍ଷେଣ ପ୍ରସ୍ତୁତ କରିବାର ଦାୟିତ୍ଵ ଭାରତର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଏବଂ ତାଙ୍କ ଟିମ୍‌ ଉପରେ ରହିଥାଏ। ବର୍ତ୍ତମାନ ମୁଖ୍ୟ ପରାମର୍ଶଦାତା ଅଛନ୍ତି କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ।

ଆର୍ଥିକ ସର୍ବେକ୍ଷେଣରେ କଣ ରହିଥାଏ

ଏଥିରେ ଦେଶର ଅର୍ଥବ୍ୟବସ୍ଥାର ଅବସ୍ଥା ଏବଂ ରୂପ ରେଖ ବିଷୟରେ ପୂରା ସୂଚନା ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଥାଏ। ଏହା ମଧ୍ୟ ଦର୍ଶାଯାଇଥାଏ ଯେ ଭବିଷ୍ୟତରେ ଦେଶର ଅର୍ଥବ୍ୟବସ୍ଥା କେଉଁ ଦିଗରେ ଯିବ ଏବଂ କଣ ସମ୍ଭାବନା ରହିଛି। ଆର୍ଥିକ ମୋର୍ଚ୍ଚାରେ ଉତ୍ପନ ଚ୍ୟାଲେଞ୍ଜର କେମିତି ସମ୍ମୁଖୀନ କରାଯିବ। ଏଥିରେ ବିଭିନ୍ନ ସେକ୍ଟରର ସୂଚନା ଦିଆଯାଇଥାଏ। ଏଥିରେ ପୁନର୍ଗଠନର ଉପାୟ ବିଷୟରେ ମଧ୍ୟ ଉଲ୍ଲେଖ ରହିଥାଏ। ସର୍ଭେର ଆଉଟ୍ ଲୁକ୍ ଦେଖି ଭବିଷ୍ୟତର ନୀତି ପ୍ରସ୍ତୁତ କରାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.