ଚଳିତ ବର୍ଷ ୭.୭ ପ୍ରତିଶତ ହ୍ରାସ ପାଇବ ଜିଡିପି, ଆଗାମୀ ବର୍ଷ ୧୧ ପ୍ରତିଶତ ବଢ଼ିବ: ଆର୍ଥିକ ସର୍ବେକ୍ଷଣ ରିପୋର୍ଟ

Published By : Prameya-News7 Bureau | January 29, 2021 IST

ନୂଆଦିଲ୍ଲୀ, ୨୯/୧: ଚଳିତ ବର୍ଷର ବଜେଟ୍‌ ଅଧିବେଶନ ସଂସଦରେ ଆରମ୍ଭ ହୋଇଯାଇଛି । ବର୍ଷ ୨୦୨୦-୨୧ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ସଂସଦରେ ଉପସ୍ଥାପନ କରିଛନ୍ତି । ଏହି ସର୍ବେକ୍ଷଣ ରିପୋର୍ଟ ଜରିଆରେ କରୋନା ସଂକଟ ସମୟରେ ଦେଶର ଅର୍ଥବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି । ୨୦୨୦-୨୧ରେ ଜିଡିପି ବିଯୁକ୍ତ ୭.୭ ପ୍ରତିଶତ ହେବ ଅର୍ଥାତ ଜିଡିପିରେ ୭.୭ ପ୍ରତିଶତ ହ୍ରାସ ହେବ ବେଲି ଏହି ସର୍ଭେରେ କୁହାଯାଇଛି ।

ଏହି ରିପୋର୍ଟ ଅନୁସାରେ, ଆଗାମୀ ବର୍ଷ ଦେଶର ଅର୍ଥବ୍ୟବସ୍ଥାରେ ସୁଧାର ଆସିବ । ଆସନ୍ତା ଆର୍ଥିକ ବର୍ଷ ୨୦୨୧-୨୨ରେ ଜିଡିପି ୧୧ ପ୍ରତିଶତ ବୃଦ୍ଧି ପାଇବାର ଅନୁମାନ କରାଯାଉଛି । କରୋନା ମହାମାରୀରେ ଜାରି ଲକ୍‌ଡାଉନ୍‌ କାରଣରୁ ଅର୍ଥବ୍ୟବସ୍ଥା ଖରାପ ସ୍ଥିତିରେ ପହଞ୍ଚିଥିବା ଏହି ରିପୋର୍ଟରେ ସୂଚନା ଦିଆଯାଇଛି ।

କରୋନା ସଙ୍କଟ କାରଣରୁ ଦେଶର ସ୍ଥିତି ବିଗିଡ଼ିଯାଇଛି । କିଛି ରେଟିଙ୍ଗ ଏଜେନ୍ସିଙ୍କ ଅନୁସାରେ ଦେଶରେ ଜିଡିପି ପାଖାପାଖି ୧୦ ପ୍ରତିଶତ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି । ଏହି ବର୍ଷର ପ୍ରଥମ ତ୍ରୈମାସିକରେ ଜିଡିପିରେ ପାଖାପାଖି ୨୪ ପ୍ରତିଶତ ହ୍ରାସ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି । ଦ୍ୱିତୀୟ ତ୍ରୈମାସିକରେ ମଧ୍ୟ ଏଥିରେ ହ୍ରାସ ଦେଖିବାକୁ ମିଳିଛି ଏବଂ ତୃତୀୟ ତ୍ରୈମାସିକରେ ମଧ୍ୟ ଜିଡିପିରେ ହ୍ରାସ ଘଟିବା ନେଇ ଆଶଙ୍କା କରାଯାଉଛି ।     

ତେବେ ଏହି ଅର୍ଥିକ ସର୍ଭେକ୍ଷଣ ଦେଶର ଅର୍ଥବ୍ୟବସ୍ଥାର ବିକାଶକୁ ସୂଚିତ କରିଥାଏ । ଏହି ରିପୋର୍ଟରୁ ବର୍ଷକ ମଧ୍ୟରେ ଦେଶର ଅର୍ଥନୈତିକ କ୍ଷେତ୍ରରେ କଣ ସବୁ ବିକାଶ ଘଟିଛି ଏବଂ ସ୍ଥିତି କଣ ରହିଥିଲା ସେ ସମ୍ବନ୍ଧରେ ଜଣାପଡ଼ିଥାଏ । ଏହା ଛଡ଼ା ଆଗାମୀ ସମୟରେ ଅର୍ଥବ୍ୟବସ୍ଥାରେ କେଉଁ ସବୁ ପରିବର୍ତ୍ତନ ଆସିବ ସେ ବିଷୟରେ ଜଣାପଡ଼ିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.