ଅଣ ହଟ୍‌ସ୍ପଟ୍ ଅଞ୍ଚଳରେ ଆଂଶିକ କାରବାର ଖୋଲିବା ନେଇ ଯୋଜନା ପ୍ରସ୍ତୁତ, ବୈଠକରେ ସମୀକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

Published By : Prameya-News7 Bureau | April 18, 2020 IST

ନୂଆଦିଲ୍ଲୀ ୧୮।୦୪: କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇ ମେ ୩ କରାଯାଇଛି। ହେଲେ ଯେଉଁ ଅଞ୍ଚଳରେ କରୋନାର ପ୍ରଭାବ ନାହିଁ ଏବଂ ଲକ୍‌ଡାଉନ୍‌ର ନିୟମ ଠିକ୍ ପାଳନ ହେଉଛି ସେହି ଅଞ୍ଚଳରେ ଏପ୍ରିଲ ୨୦ରୁ ଆଂଶିକ କୋହଳ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନିଜର ଘୋଷଣା କରିଥିଲେ। ଏବେ ସରକାର ଲକ୍‌ଡାଉନ୍‌କୁ ଧିରେ ଧିରେ ଖୋଲିବା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। କାରଣ ଦେଶର ଅର୍ଥନୀତିକୁ ଗତିଶୀଳ କରାଇବାକୁ ପଡିବ। ଏହାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତା ମନ୍ତ୍ରୀ ସମୂହ(GoM)ର ବୈଠକ ଶନିବାର ଆୟୋଜିତ ହୋଇଛି।

ଏହି ବୈଠକରେ କରୋନା ଭାଇରସ୍ ମହାମାରୀ କାରଣରୁ ଦେଶରେ ମେ ୩ ପର୍ଯ୍ୟନ୍ତ ବଢାଯାଇଥିବା ଲକ୍‌ଡାଉନ୍‌ କାରଣରୁ ଉତ୍ପନ ସ୍ଥିତିର ସମୀକ୍ଷା କରାଯାଇଛି। ଏହା ସହିତ ଏପ୍ରିଲ ୨୦ରୁ କରୋନା ସଂକ୍ରମଣରେ ପ୍ରଭାବିତ ହୋଇନଥିବା ଅଞ୍ଚଳ ବା ଅଣ ହଟ୍ ସ୍ପଟ୍ ଅଞ୍ଚଳରେ କାରବାର ନିଃସର୍ତ୍ତ ଖୋଲିବା ନେଇ ଯୋଜନାକୁ ଅନ୍ତିମ ରୂପ ଦିଆଯାଇଛି। ମନ୍ତ୍ରୀ ସମୂହ  ବିଭିନ୍ନ ମନ୍ତ୍ରଣାଳୟ ସହ କରୋନା ଭାଇରସ୍‌ର ସ୍ଥିତି ଉପରେ ସେମାନଙ୍କର ପ୍ରତିକ୍ରିୟା ମଧ୍ୟ ନେଇଛନ୍ତି।

ମନ୍ତ୍ରୀ ସମୂହ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ସହିତ ସେହି ଅଞ୍ଚଳରେ ଆର୍ଥିକ ଗତିବିଧି ଆରମ୍ଭ କରିବା ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି ଯେଉଁଠି ଗୋଟିଏ ହେଲେ କରୋନ ସଂକ୍ରମଣ ମାମଲା ଆସିନାହିଁ। ବୈଠକରେ କରୋନା ସଂକ୍ରମଣକୁ ବ୍ୟାପିବାରେ ରୋକିବା ଲାଗି ସାମାଜିକ ଦୂରତ୍ଵ ଓ ସ୍ଵଚ୍ଛତା ଉପରେ  ବିଶେଷ ଧ୍ୟାନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବୈଠକରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଜରିଆରେ ୩୩.୨୫ କୋଟି ଗରିବ ଲାଭାର୍ଥୀଙ୍କୁ ୩୧ ହଜାର କୋଟି ଟଙ୍କା ବିତରଣ କରାଯିବା କାର୍ଯ୍ୟକୁ ପ୍ରଶଂସା କରାଯାଇଛି। ମନ୍ତ୍ରୀ ସମୂହ ଅବସରପ୍ରାପ୍ତ ଡାକ୍ତର, ସ୍ଵାସ୍ଥ୍ୟକର୍ମୀ ଓ ମେଡିକାଲ ଛାତ୍ରଙ୍କ ସେବା ନେବାକୁ ମଧ୍ୟ ପ୍ରସ୍ତାବ ଦେବା ଉପରେ ବିଚାର କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ପ୍ରଧାନ ସଚିବ ପିକେ ମିଶ୍ର ସମେତ ବରିଷ୍ଠ ଅଧିକାରୀଙ୍କୁ ନେଇ ଶୁକ୍ରବାର ବୈଠକ କରିଥିଲେ। ବୈଠକରେ ଶ୍ରମିକ କେମିତି ଫ୍ୟାକ୍ଟ୍ରିକୁ ଯାଇ କାମ ଆରମ୍ଭ କରିବେ, ଅର୍ଥନୀତି କେମିତ ଗତିଶୀଳ କରାଯିବ ଏବଂ ଲକ୍‌ଡାଉନ୍‌ରେ କେମିତି ଗାଇଡ୍‌ ଲାଇନର ପାଳନ ହେବ ସେଇ ନେଇ ଆଲୋଚନା କରିଥିଲେ।

କୋଭିଡ୍-୧୯କୁ ନେଇ ଗଠିତ ମନ୍ତ୍ରୀ ସମୂହଙ୍କ ମାର୍ଚ୍ଚ ୨୫ ପରେ ଏହା ପଞ୍ଚମ ବୈଠକ ଥିଲା। ପ୍ରତିରକ୍ଷା ମନ୍ତ୍ରୀ ବୈଠକରେ ହୋଇଥିବା ଆଲୋଚନା, ମିଳିଥିବା ପ୍ରସ୍ତାବ ଏବଂ ପ୍ରତିକ୍ରିୟା ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଇଛନ୍ତି।

ବୈଠକରେ ଗୃହ ମନ୍ତ୍ରୀ ଅମିତ୍ ଶାହା, ରସାୟନ ଓ ଉର୍ବରକ ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡା, ଖାଦ୍ୟ ଉପଭୋକ୍ତା ଓ ଯୋଗାଣ ମନ୍ତ୍ରୀ ରାମବିଳାସ ପାସଓ୍ଵାନ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମତି ଇରାନୀ, ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର, ରେଳ ମନ୍ତ୍ରୀ ପିୟୂଷ ଗୋଏଲ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ପଶୁପାଳନ ଓ ମତ୍ସ ସଂପଦ ମନ୍ତ୍ରୀ ଗିରିରାଜ ସିଂହ, ଶ୍ରମ ଓ ରୋଜଗାର ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗଓ୍ଵାର, ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ଵତ, ଗୃହ ଓ ନଗର ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ, ଗୃହ ରାଷ୍ଟ୍ର ମନ୍ତ୍ରୀ ଜି କୃଷ୍ଣା ରେଡ୍ଡୀ ଓ ଅନ୍ୟ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.