ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକାପ୍ଟର ଯାଞ୍ଚ ପଡିଲା ମହଙ୍ଗା, ସମ୍ବଲପୁର ପର୍ଯ୍ୟବେକ୍ଷକ ନିଲମ୍ବିତ

Published By : Prameya-News7 Bureau | April 18, 2019 IST

ଭୁବନେଶ୍ବର ୧୮|୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକାପ୍ଟର ଯାଞ୍ଚ ବେଶ୍‌ ମହଙ୍ଗା ପଡ଼ିଛି । ସମ୍ବଲପୁର ଲୋକସଭା ଆସନ ସାଧାରଣ ପର୍ଯ୍ୟବେକ୍ଷକଙ୍କୁ ନିଲମ୍ବନ କରିଛନ୍ତି ନିର୍ବାଚନ ଆୟୋଗ । ପ୍ରଧାନମନ୍ତ୍ରୀ ଏକ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ସମ୍ବଲପୁର ଗସ୍ତରେ ଥିବାବେଳେ ଏକ ଫ୍ଲାଇଂ ସ୍କ୍ବାର୍ଡ ତାଙ୍କ ହେଲିକାପ୍ଟର ଯାଞ୍ଚ କରିଥିଲା । 
ନିର୍ବାଚନ ଆୟୋଗ ଏକ ଆଦେଶନାମାରେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ବେଳେ ସେଠାକାର ସାଧାରଣ ପର୍ଯ୍ୟବେକ୍ଷକ ତଥା ୧୯୯୬ ବ୍ୟାଚ୍‌ କର୍ଣ୍ଣାଟକ କ୍ୟାଡର୍‌ ପ୍ରଶାସନିକ ସେବା ଅଧିକାରୀ ମହମ୍ମଦ ମହସିନ୍‌ କର୍ତ୍ତବ୍ୟରେ ଅବହେଳା କରିଛନ୍ତି । ଏସ୍‌ପିଜି ନିରାପତ୍ତା ନିୟମକୁ ମାନିନାହାନ୍ତି । ଏଣୁ ତାଙ୍କୁ ତତ୍କାଳ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । 

ବିଜେପିର ଜଣେ କାର୍ଯ୍ୟକର୍ତ୍ତା କହିଛନ୍ତି, ମୋଦିଙ୍କ ଗସ୍ତ ବେଳେ ସମ୍ବଲପୁରଠାରେ ତାଙ୍କ ହେଲିକାପ୍ଟରକୁ ଯାଞ୍ଚ କରାଯାଇଛି । ତେବେ ଏଥିରେ ମହସିନ୍‌ଙ୍କ ଭୂମିକା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ଏହି ଘଟଣା ପରେ ଆଜି ଉପ ନିର୍ବାଚନ ଆୟୁକ୍ତ ଧର୍ମେନ୍ଦ୍ର ଶର୍ମା ସମ୍ବଲପୁର ଗସ୍ତରେ ଆସି ସେଠାକାର ରିଟର୍ଣ୍ଣିଂ ଅଫିସର ଓ ଜିଲ୍ଲାପାଳ ଶୁଭମ୍ ସକ୍ସେନାଙ୍କୁ ଭେଟିଛନ୍ତି ଓ ଘଟଣାର ଅନୁଧ୍ୟାନ କରିଛନ୍ତି ।

ତେବେ ଏ ନେଇ ସକ୍ସେନା କିମ୍ବା ନିର୍ବାଚନ ଆୟୋଗଙ୍କ ନିକଟରୁ କୌଣସି ତଥ୍ୟ ମିଳିପାରି ନାହିଁ । 
ନିର୍ବାଚନ ଆୟୋଗଙ୍କ ଆଦେଶନାମାରେ କୁହାଯାଇଛି, ମହସିନ୍‌ ଏସ୍‌ପିଜି ନିୟମକୁ ପାଳନ କରିନାହାନ୍ତି ବୋଲି ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ), ଜିଲ୍ଲା ନିର୍ବାଚନ ଅଧିକାରୀ ଓ ସମ୍ବଲପୁର ଡିଆଇଜି ନିଜ ରିପୋର୍ଟରେ ଦର୍ଶାଇଛନ୍ତି । ଏଣୁ ନିର୍ବାଚନ ଆୟୋଗ ନିଜ ଅଧିକାର ବଳରେ ମହସିନ୍‌ଙ୍କୁ ନିଲମ୍ବନ କରାଯାଇଛି । ଯେ ପର୍ଯ୍ୟନ୍ତ ପୁନଶ୍ଚ ଆଦେଶନାମା ଜାରି ନ ହୋଇଛି, ସେଯାଏଁ ସେ ସମ୍ବଲପୁର ମୁଖ୍ୟାଳୟରେ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.