ସଂକ୍ରମଣ ବୃଦ୍ଧି ପରେ ଇସିଙ୍କ କଡ଼ା ନିର୍ଦ୍ଦେଶ, ପଶ୍ଚିମବଙ୍ଗରେ ରୋଡ୍‌ ଶୋ ବନ୍ଦ, ରାଲିରେ କେବଳ ୫୦୦ ଜଣଙ୍କୁ ଅନୁମତି

Published By : Prameya-News7 Bureau | April 22, 2021 IST

ନୂଆଦିଲ୍ଲୀ ୨୨/୪: ଦେଶରେ କରୋନା ଭୂତାଣୁ ସଂକ୍ରମଣ ମାଡ଼ିଚାଲିଥିବା ବେଳେ ନିର୍ବାଚନ ରାଲିକୁ ନେଇ ଚିନ୍ତା ବଢ଼ିଛି। ଏହାକୁ ନଜରରେ ରଖି ଭାରତୀୟ ନିର୍ବାଚନ ଆୟୋଗ ନିର୍ଦେଶ ଜାରି କରିଛନ୍ତି। ପଶ୍ଚିମବଙ୍ଗରେ ନିର୍ବାଚନ ଚାଲିଥିବା ବେଳେ ସେଠାରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଇସିଙ୍କ ନୂଆ ଗାଇଡଲାଇନ୍ସ ଅନୁସାରେ ଏବେ ରାଜ୍ୟରେ କୌଣସି ପ୍ରକାର ରୋଡ୍‌ ଶୋ, ବାଇକ୍‌ ରାଲି ଆଦି ହୋଇପାରିବ ନାହିଁ। ଏହା ସହ ନିର୍ବାଚନୀ ରାଲିରେ କେବଳ ୫୦୦ ଲୋକ ସାମିଲ ହୋଇପାରିବେ।

ବିଳମ୍ବରେ ହେଲେ ମଧ୍ୟ ଇସିଙ୍କ ନିଦ ଭାଙ୍ଗିଛି। ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ଆଉ ଦୁଇଟି ଚରଣରେ ମତଦାନ ବାକି ରହିଛି। ଏଥିପାଇଁ ବିଭିନ୍ନ ଦଳ ଏବଂ ରାଜନେତା ନିର୍ବାଚନୀ ପ୍ରଚାର କରୁଛନ୍ତି । କିନ୍ତୁ ଏହି ସମୟରେ ସେମାନେ କରୋନା ନିୟମ ଉଲ୍ଲଂଘନ କରୁଥିବା ନେଇ ଅଭିଯୋଗ ହେଉଥିବା ଇସି କହିଛନ୍ତି। କିଛି ଦିନ ପୂର୍ବରୁ ରାଜ୍ୟରେ ନିର୍ବାଚନକୁ ନେଇ ଇସି କଡ଼ା ପଦକ୍ଷେପ ଗ୍ରହଣ କରିଥିଲେ।

କୌଣସି ପାର୍ଟି ସନ୍ଧ୍ୟା ୭ ପରେ ପ୍ରଚାର କରିପାରିବେ ନାହିଁ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଥିଲେ। ଏହା ବ୍ୟତୀତ ଭୋଟିଂର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ଶେଷ କରିବାକୁ ନିର୍ଦେଶ ଥିଲା। ପୂର୍ବରୁ ଏହି ମସୟ ସୀମା ୪୮ ଘଣ୍ଟା ଥିଲା। କରୋନା ମହାମାରୀ କୟା ମେଲାଇଥିବା ବେଳେ ନିର୍ବାଚନ ଆୟୋଜ କଡ଼ା ନିର୍ଦେଶ ଦେଇ କହିଥିଲେ ପ୍ରତ୍ୟେକ ପ୍ରାର୍ଥୀ ଏବଂ ରାଜନୈତିକ ଦଳ କରୋନା ନିୟମ ମାନିବାକୁ ବାଧ୍ୟ। ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଲି ଆୟୋଜକ ଉପସ୍ଥିତ ଜନତାଙ୍କୁ ମାସ୍କ ଏବଂ ସାନିଟାଇଜର ଯୋଗାଇବେ ବୋଲି ମଧ୍ୟ ଇସି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.