ମାର୍ଚ୍ଚ ୧୦ ତାରିଖରେ ଘୋଷଣା ହେବ ନିର୍ବାଚନ ତାରିଖ !

Published By : Prameya-News7 Bureau | March 04, 2019 IST

ନୂଆଦିଲ୍ଲୀ ୪|୩ : ଆସନ୍ତା ମାର୍ଚ୍ଚ ୧୦ ତାରିଖରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବା ସହ ସେହି ଦିନଠାରୁ ସମଗ୍ର ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇପାରେ । ପୂର୍ବରୁ ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ମୁଖ୍ୟ ନିର୍ବାଚନ ଆୟୋଗ ସଂକେତ ପ୍ରଦାନ କରିଥିଲେ । ତେବେ ଫେବୃଆରୀ ୧୪ ତାରିଖ ଦିନ ପୁଲଓ୍ବାମା ଆତଙ୍କୀ ହମଲା ଏବଂ ଫେବୃଆରୀ ୨୬ ତାରିଖରେ ପିଓକେରେ ଭାରତର ଏୟାରଷ୍ଟ୍ରାଇକ୍ ଯୋଗୁଁ ନିର୍ବାଚନ ତାରିଖ ଘୋଷଣା ବିଳମ୍ବିତ ହେବ ବୋଲି ଆଶଙ୍କା କରାଯାଉଥିଲା । ତେବେ ମାର୍ଚ୍ଚ ୧ ତାରିଖ ଦିନ ଲକ୍ଷ୍ନୌଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଘୋଷଣା କରିଥିଲେ ଯେ, ନିର୍ଦ୍ଧାରିତ ସମୟରେ ହିଁ ନିର୍ବାଚନ ହେବ ବୋଲି କହିଥିଲେ । ଫଳରେ ଦେଶରେ ପୁଣି ନିର୍ବାଚନକୁ ନେଇ ମାହୋଲ ସରଗରମ ହେବାରେ ଲାଗିଛି ।

ସୂଚନାଯୋଗ୍ୟ ଯେ, ଲୋକସଭା ସମେତ ୮ଟି ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟ ଘୋଷଣା ହୋଇପାରେ । ଏହି ୮ଟି ରାଜ୍ୟ ହେଲା ଓଡିଶା, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ଅରୁଣାଞ୍ଚଳ ପ୍ରଦେଶ, ସିକିମ, ହରିୟାଣା, ମହାରାଷ୍ଟ୍ର, ଜମ୍ମୁ ଓ କାଶ୍ମୀର । ସମ୍ଭବତଃ ୫ଟି ବା ୬ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ । ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ସହ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ କରିବା ପାଇଁ ବ୍ୟାକପ ସୁରକ୍ଷା ବଳର ଆବଶ୍ୟକତା ରହିଛି । ସୁରକ୍ଷାବଳଙ୍କ ଉପଲବ୍ଧିକୁ ଦୃଷ୍ଟିରେ ରଖି ନିର୍ବାଚନ ତାରିଖ ସ୍ଥିର ହୋଇପାରେ । ମାର୍ଚ୍ଚ ୮ତାରିଖରେ ବାରଣାସୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ସରକାରୀ କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ପରେ ୧୦ତାରିଖରେ ନିର୍ବାଚନ ତାରିଖ ଘୋଷଣା ପାଇଁ ଆପାତତଃ ସ୍ଥିର ହୋଇଛି । ଚଳିତବର୍ଷ ସାଧାରଣ ନିର୍ବାଚନ ଥିବାରୁ ସ୍କୁଲ, କଲେଜର ପରୀକ୍ଷା ମଧ୍ୟ ଆଗୁଆ ଅନୁଷ୍ଠିତ ହେଉଛି । ଆଜିଠାରୁ ମୁସଲମାନମାନଙ୍କର ରମଜାନ୍ ମାସ ଆରମ୍ଭ ହେଉଥିବାବେଳେ ଏହାକୁ ମଧ୍ୟ କମିଶନ ଦୃଷ୍ଟିରେ ରଖିଛନ୍ତି । ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିରହିଥିବା ତିକ୍ତତା ମଧ୍ୟ ନିର୍ବାଚନ ତାରିଖ ନିର୍ଦ୍ଧାରଣକୁ ପ୍ରଭାବିତ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.