ପୁଣି ଚର୍ଚ୍ଚାରେ ପଶ୍ଚିମବଙ୍ଗ ରାଜନୀତି : ଶାହଙ୍କ ରାଲିରେ ହିଂସାକାଣ୍ଡ ପରେ ସମୟ ଆଗରୁ ନିର୍ବାଚନୀ ସଭା ଶୋଭାଯାତ୍ରାରେ ପ୍ରତିବନ୍ଧକ ଲଗାଇଲେ ନିର୍ବାଚନ କମିଶନ, ଗର୍ଜିଲେ ମମତା ବାନର୍ଜୀ

Published By : Prameya-News7 Bureau | May 16, 2019 IST

ନୂଆଦିଲ୍ଲୀ ୧୬|୫: ରୋଚକ ସ୍ଥିତିରେ ପଶ୍ଚିମବଙ୍ଗ ରାଜନୀତି । ଅମିତ ଶାହାଙ୍କ ରାଲି ବେଳେ ହିଂସାକାଣ୍ଡ ପାଇଁ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ । ନିର୍ଦ୍ଧାରିତ ସମୟ ଅବଧି ଆଗରୁ ନିର୍ବାଚନ ପ୍ରଚାରକୁ ବନ୍ଦ କରାଯାଛି । ଶାହଙ୍କ ରାଲିବେଳେ ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏହି ସମୟରେ କିଛି ଦୁର୍ବୃତ୍ତ କଲେଜରେ ପଶି ବିଦ୍ୟାସାଗରଙ୍କ ମୃର୍ତ୍ତି ଭାଙ୍ଗିଦେଇଥିଲେ ।ଯାହାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ । ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହ ଦୁଇଜଣ ବରିଷ୍ଠ ଆଇଏଏସ ଓ ଆଇପିଏସ୍ ଅଧିକାରୀଙ୍କୁ ଦାୟିତ୍ବରୁ ହଟାଇ ଦେଇଛନ୍ତି । ନିର୍ବାଚନୀ ପ୍ରଚାର ସମେତ, ସୋସିଆଲ ମିଡିଆ ପ୍ରଚାର ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି ନିର୍ବାଚନ କମିଶନ ।  ମୁଖ୍ୟ ଶାସନ ସଚିବଙ୍କ ସମେତ ଗୃହ ସଚିବଙ୍କୁ ଛୁଟିରେ ପଠାଇଦେଇଛନ୍ତି ନିର୍ବାଚନ କମିଶନ ।

ଆସନ୍ତା ରବିବାର ପଶ୍ଚିମବଙ୍ଗରେ  ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତାକାଲି ସରିଥାନ୍ତା ପ୍ରଚାର । କିନ୍ତୁ ହିଂସାକାଣ୍ଡକୁ ଆଖିରେ ରଖି ପ୍ରଚାର ବନ୍ଦ କରାଯାଇଛି । ସେହିପରି ୩୨୪ ଧାରା ଜାରି କରାଯାଇଥିବା ନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନ। ସେପଟେ ନିର୍ବାଚନ କମିସନଙ୍କ ପଦକ୍ଷେପକୁ ମମତା ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ମୋଦିଙ୍କୁ ଉପହାର ଦେଇଛନ୍ତି କମିସନ । ଯଦି ହିଂସାକୁ ନେଇ କମିସନ ଏତେ ଚିନ୍ତିତ ତାହାହେଲେ ଆଗରୁ କାହିଁକି ପ୍ରଚାରକୁ ବନ୍ଦ କରିଲେ ନାହିଁ। ମୋଦିଙ୍କର ଦୁଇଟି ରାଲି ଥିବାରୁ କମିସନ ତାଙ୍କୁ ସୁଯୋଗ ଦେଇଛନ୍ତି। ମୋଦି ଓ ଶାହାଙ୍କ ଇଙ୍ଗିତରେ କମିସନ କାମ କରୁଛନ୍ତି ବୋଲି ଅଭିଯୋଗ କରି ମମତା କହିଛନ୍ତି ଯେ ନିର୍ବାଚନ କମିସନରେ ଆରଏସଏସ ଲୋକ ଭର୍ତି ହୋଇଛନ୍ତି। ରାଜ୍ୟବାସୀ ଏହାର ଉଚିତ ଜବାବ ଦେବେ। ଅନ୍ତିମ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୯ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.