ଆଜି ବସୁଛି ପୂର୍ବାଞ୍ଚଳ ପରିଷଦ ବୈଠକ : କୋଇଲା ରୟାଲଟି, ଆନ୍ତଃରାଜ୍ୟ ଜଳବିବାଦ ରହିବ ମୁଖ୍ୟ ପ୍ରସଙ୍ଗ

Published By : Prameya-News7 Bureau | February 28, 2020 IST

ଭୁବନେଶ୍ବର ୨୮।୨: ଆଜି ଭୁବନେଶ୍ବରରେ ବସିବ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ନେଇ ଗଠିତ ପୂର୍ବାଞ୍ଚଳ ପରିଷଦର ବୈଠକ । ଦିନ ୧୦ଟାରେ ଭୁବନେଶ୍ବର ପହଞ୍ଚିବା ପରେ ଲୋକସେବା ଭବନର ସମ୍ମେଳନ କକ୍ଷରେ ପୂର୍ବାହ୍ନ ୧୦ଟା ୪୦ମିନିଟ୍ ସମୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ ।

ଏହି ପରିଷଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପାଧ୍ୟକ୍ଷ ଅଛନ୍ତି । ତାଙ୍କ ବ୍ୟତୀତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମମତା ୨୫ ତାରିଖରୁ ଓଡ଼ିଶା ଗସ୍ତରେ ଅଛନ୍ତି ।

ବୈଠକରେ ପ୍ରାୟ ୫୦ଟି ବିଭିନ୍ନ ବିଷୟ ଉପରେ ଆଲୋଚନା ହେବ। ବିଶେଷ କରି ଆନ୍ତଃରାଜ୍ୟ ଜଳବିବାଦ, ବିଦ୍ୟୁତ ସରବରାହ, କୋଇଲା ଖଣି ଗୁଡିକର ପରିଚାଳନା, ରୟାଲିଟି, ରେଳ ପ୍ରକଳ୍ପଗୁଡିକ ନିମନ୍ତେ ଭୂମି, ଜଙ୍ଗଲଗତ ମଞ୍ଜୁରି, ଜଘନ୍ୟ ଅପରାଧଗୁଡିକର ତଦନ୍ତ, ଦେଶ ଭିତରେ ଓ ସୀମାରେ ଗୋରୁ ଚାଲାଣ ଭଳି ସଙ୍ଗୀନ ପ୍ରସଙ୍ଗ ଉଠିପାରେ । ଏହାବ୍ୟତୀତ ଦୁର୍ଗମ ଅଞ୍ଚଳରେ ଦୂରସଞ୍ଚାର ଓ ବ୍ୟାଙ୍କିଙ୍ଗ୍ ସେବାର ଭିତ୍ତିଭୂମି, ପେଟ୍ରୋଲିୟମ ପ୍ରକଳ୍ପ, କେନ୍ଦ୍ରୀୟ ରାଜସ୍ବର ପରିବଣ୍ଟନ ଇତ୍ୟାଦି ପ୍ରସଙ୍ଗ ମଧ୍ୟ ତାଲିକାଭୁକ୍ତ ହୋଇଛି ।

ସେପଟେ ଓଡ଼ିଶା ବୈଠକରେ କୋଇଲା ରୟାଲିଟି ବୃଦ୍ଧି, ରାଜ୍ୟର ୧୧ ହଜାର ଗାଁରେ ମୋବାଇଲ ସେବା ଉପଲବ୍ଧ ନଥିବା, ସବୁ ପଞ୍ଚାୟତରେ ବ୍ୟାଙ୍କିଂ ସେବା ଓ କ୍ଲିନ୍ ଏନର୍ଜି ସେସ୍ ପ୍ରସଙ୍ଗରେ ଦାବି ଉପସ୍ଥାପନ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.