ରେଳ ବଜେଟ୍‌ରେ ଓଡିଶାକୁ ରେକର୍ଡ ଅର୍ଥ ଓ ପ୍ରକଳ୍ପ : ଫୁଲବାଣୀକୁ ଟ୍ରେନ୍‌ ଲାଇନ୍ , ଖୋର୍ଦ୍ଧା-ବଲାଙ୍ଗୀରକୁ ଫୋକସ୍

Published By : Prameya-News7 Bureau | February 05, 2020 IST

ଭୁବନେଶ୍ବର ୦୫।୦୨:  ଫୁଲବାଣୀକୁ ହେବ ରେଳ ସଂଯୋଗ । ବର୍ଷ ବର୍ଷ ଧରି ଥିବା ଦାବିକୁ ପୂରଣ କରିବା ଲାଗି ଚଳିତ ବର୍ଷ ବଜେଟରେ ଘୋଷଣା କରାଯାଇଛି । ସମ୍ବଲପୁରରରୁ ଫୁଲବାଣୀ ଦେଇ ଗୋପାଳପୁରକୁ ହେବ ରେଳ ପଥ । ୨୪୧ କିଲୋମିଟରର ଏହି ରେଳ ପଥ ପାଇଁ କେନ୍ଦ୍ର ସରକାର ୨ ହଜାର ୯୯୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥର ରେଳ ବଜେଟରେ ଓଡ଼ିଶାକୁ ମିଳିବ ରେକର୍ଡ ଅର୍ଥର ପ୍ରକଳ୍ପ ।  ଇଷ୍ଟକୋଷ୍ଟ ରେଲୱେକୁ ମିଳିବ ୫ ହଜାର ୮୬୫ କୋଟି । ଇଷ୍ଟକୋଷ୍ଟ ଜୋନ୍ ଭିତରେ ଓଡ଼ିଶାକୁ ମିଳିବ ୪ ହଜାର ୩୭୩ କୋଟି ।

ସମ୍ବଲପୁର ଗୋପାଳପୁର ଭାୟା ଫୁଲବାଣୀ ଲାଇନ୍ ବ୍ୟତୀତ ,ରେଳ ବଜେଟରେ ସବୁଠାରୁ ଅଧିକ ଫୋକସ ଦିଆଯାଇଛି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପକୁ ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ପରେ ବଜେଟରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । ଏହି ପ୍ରୋଜେକ୍ଟ କେମିତି ଶୀଘ୍ର ଶେଷ ହେବ ସେନେଇ ଏଥର ବଜେଟରେ ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ଲାଇନ ପାଇଁ ୫୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପୂର୍ବ ବର୍ଷ ୩୫୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିଲା ।

ସେହିପରି ଅନୁଗୁଳ-ସୁକିନ୍ଦା ରୋଡ୍ ନୂଆ ଲାଇନ ପାଇଁ ୪୫୦ କୋଟି ।  ହରିଦାସପୁର-ପାରାଦୀପ ଲାଇନ ପାଇଁ ୧୦୦ କୋଟି । ଏହି ବର୍ଷ ମାର୍ଚ୍ଚ ସୁଦ୍ଧା ହରିଦାସପୁର-ପାରାଦୀପ ଲାଇନରେ ରେଳ ଚଳାଚଳ ଆରମ୍ଭ ହେବ । ଗତବର୍ଷ ଏହି ପ୍ରକଳ୍ପ ପାଇଁ ୪ଶହ କୋଟି ଟଙ୍କା ଘୋଷଣା କରାଯାଇ କାମକୁ ତ୍ବରାନ୍ବିତ କରାଯାଇଥିଲା । ତାଳଚେର-ବିମଳାଗଡ଼ ଲାଇନ୍ ପାଇଁ ୧୪୦ କୋଟି ଟଙ୍କା ମଞ୍ଜୁର ହୋଇଛି । ସମ୍ବଲପୁର-ତାଳଚେର ଦୋହରୀକରଣ ପାଇଁ ୨୯୨ କୋଟି , ସମ୍ବଲପୁର-ଟିଟିଲାଗଡ଼ ଦୋହରୀକରଣ ପାଇଁ ୩୮୨ କୋଟି । ଭଦ୍ରକ-ନିର୍ଗୁଣ୍ଡି ଦୋହରୀକରଣ ପାଇଁ ୧୦୨ କୋଟି । ଜଗଦଲପୁର-କୋରାପୁଟ ଦୋହରୀକରଣ ପାଇଁ ୧୩୦ କୋଟି । ଝାରସୁଗୁଡ଼ା-ବିଳାସପୁର ଦୋହରୀକରଣ ପାଇଁ ୨୮୦ କୋଟି ଏବଂ ରାଉରକେଲା-ଝାରସୁଗୁଡ଼ା ଦୋହରୀକରଣ ପାଇଁ ୧୭୦ କୋଟି ବ୍ୟୟବରାଦ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.